କୋକସରା,୯/୧୦( ମ ନି ସ) କଳାହାଣ୍ଡିର ଶେଷ ଦଶରା ଭାବେ ପ୍ରସିଦ୍ଧ ଆମପାଣି ପ୍ରଭୁ ବୁଢ଼ାରଜାଙ୍କ ଦଶରା ଆସନ୍ତା ୧୫ ତାରିଖରେ ହେବାକୁ ଥିବାବେଳେ କମିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଦଶରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ବିଗତ ୨ ବର୍ଷ ଧରି କୋଭିଡ ଯୋଗୁଁ ଦଶରା ଯାତ୍ରା ଉପରେ କଟକଣା ରହିଥିଲା। ତେବେ ଚଳିତ ବର୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବୁଢ଼ାରଜା ଦଶରା କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଛି। ୧୪ ତାରିଖରେ ବୁଢ଼ାରଜାଙ୍କ ଲାଠି ପୂଜାର୍ଚ୍ଚନା, ୧୫ ତାରିଖ ସକାଳ ୭ ଘଣ୍ଟାରୁ ମନ୍ଦିରରେ ବୁଢ଼ାରଜାଙ୍କ ଦର୍ଶନ ଆରମ୍ଭ ହେବ ଓ ସକାଳ ୧୦ ଘଣ୍ଟାରେ ପୂଜକଙ୍କ ଘରୁ ଲାଠି ଶୋଭାଯାତ୍ରା, ଅପରାହ୍ନ ୩ ଘଣ୍ଟାରେ ଲାଖବିନ୍ଧା, ସନ୍ଧ୍ୟା ୬ ଘଣ୍ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତି ୧୦ ଟାରେ ଘୁମୁରା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରି, ଉପ ସଭାନେତ୍ରୀ ତିଲୋତ୍ତମା ନାଏକ, ସମ୍ପାଦକ ନକୁଳ ବାଣୁଆ, ସହ ସମ୍ପାଦକ ସନ୍ତୋଷ ମାଝୀ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା ଓ ଉପଦେଷ୍ଟା ୠତୁରାଜ ମାଝୀ, ବିଘ୍ନେଶ୍ୱର ନାଏକ ସୁଚନା ଦେଇଛନ୍ତି। ଲକ୍ଷାଧିକ ଜନ ସମାଗମ କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ପୁଲିସ ପ୍ରଶାସନ କୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଅନୁରୋଧ କରାଯାଇଛି।