ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୀବନ ଗୀତି

       ଜୀବନ ଗୀତି

ଏନ୍ତୁଡି ନିଆଁରୁ ଆରମ୍ଭ ଜୀବନ
ଜୁଇର ନିଆଁରେ ଇତି
ମଧ୍ୟ ଭାଗେ ଜୀବନରେ ଘଟିଥିବା
ଘଟଣା ଜୀବନ ଗୀତି।। 
ବାଲ୍ୟ କାଳ କାଟେ ଜନନୀ ଜନକ
ସ୍ନେହ ଆଉ ଆଦରରେ
କେତେ ଅଳି ଅଝଟକୁ ସହି ପୁଣି
ବସାନ୍ତି ନେଇ କୋଳରେ।। 
ସମୟ କ୍ରମରେ ବିଦ୍ୟା ଶିକ୍ଷା ପାଇଁ 
ବିଦ୍ୟାଳୟ ଯାଇଥାଏ
ବିଦ୍ୟା ଶିକ୍ଷା ସହ ସଂସ୍କାର ଶିଖାନ୍ତି 
ଆମରି ଗୁରୁଜୀ ସିଏ।। 
କିଶୋର ବୟସେ ବିଦ୍ୟା ଚାପ ବଢେ
ବିଦ୍ୟା ପଠନରେ ମତି
ଉଚ୍ଚ ଶିକ୍ଷା ପାଇଁ ମହାବିଦ୍ୟାଳୟେ
ପୁଣି ପାଠ ପଢିଥାନ୍ତି।। 
ଯୌବନ ଛୁଇଁଲେ ମନ ଆନମନା 
ଖାଲ ଢିପ ପଥେ ଯାଏ
ନିଜକୁ ସଳଖି ବାଟ ଚାଲୁଥିଲେ
ଏଥିରୁ ଉଦ୍ଧାର ହୁଏ।। 
ବିବାହ ସମୟେ ପତି ପତ୍ନୀ ଭାବେ
ଜୀବନ ବନ୍ଧା ହୁଅଇ
ଆପଣାକୁ ପର ପରକୁ ଆପଣା
ସଂସାରର ରୀତି ଏହି।। 
ଦୁଃଖ ସୁଖ ମଣି ସଂସାର ଗଢଇ
ସନ୍ତାନ ସନ୍ତତି ଲଭି
ଲାଳନ ପାଳନ ଦିବସ ସରଇ
ତାଙ୍କ କଥା ଭାବି ଭାବି।। 
ଉତ୍ଥାନ ପତନ ଅତିକ୍ରମ କରି
ଲହୁ ଲୁହ ସବୁ ପିଇ 
ସନ୍ତାନ ଭବିଷ୍ୟ ଗଠନ କରନ୍ତି 
ନିଜ ସୁଖ ବଳି ଦେଇ।। 
ସମୟ କ୍ରମରେ ପୁତ୍ର କନ୍ୟା ବିଭା
ସମ୍ପନ୍ନ କରନ୍ତି ସେହି
ପୁତ୍ର କନ୍ୟା ଯିଏ ଯେଝା ବାଟେ ଯାନ୍ତି
ଏକା କରି ଛାଡିଦେଇ।। 
ବାର୍ଦ୍ଧକ୍ୟ ଆସିଲେ ରୋଗ ଗ୍ରାସ କରେ
ଶରୀର ଅବଶ ହୋଇ
ବାତ ପିତ କଫ ଏକାଠି ହୁଅନ୍ତି 
ଶରୀର କଷ୍ଟ ଲଭଇ।।
ଦୁଃଖ ସୁଖ ଭରା ଅନ୍ଧାର ଆଲୁଏ
ଜୀବନଟା ଯାଏ ବିତି
ଅଢେଇ ଦିନର ଏ ମାୟା ସଂସାରେ 
ଏଇତ ଜୀବନଗୀତି।। 
ଜୀବନର ଛକି ଶୂନ ଖେଳେ ଯେବେ
ଜବନିକା ପଡିଯାଏ
ଏ ଜୀବନ ଗୀତି ଇତି ହୋଇ ଶେଷେ
ଜୁଇପରେ ଜଳିଯାଏ।। 

   ବନଲକ୍ଷ୍ମୀ ମହାନ୍ତି

 ନଡିଆବରାଇ, କେନ୍ଦ୍ରାପଡ଼ା ।।

Related posts

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠ ରେ ଧର୍ମୀୟ ସଭା  

Sunil Chandra Nayak

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

Sunil Chandra Nayak

ବିଶୋଇ ପ୍ରେସ କ୍ଳବ ତରଫରୁ ନୂତନ ଓ ବଦଳି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!