ଡାବୁଗାଁ, ୧୩/୧୦ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ତେନ୍ତୁଳିଗୁଡା ଗ୍ରାମର ରମେଶ ହରିଜନ (୨୨) ନାମକ ଯୁବକ ଦିତୀୟ ସ୍ତ୍ରୀ ଗ୍ରହଣ କରିଥିବା ଅଭିଯୋଗରେ ଗୁରୁବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ସୂଚନାଯୋଗ୍ୟ ଯେ ଡାବୁଗାଁ ଥାନା ଅଧୀନ ତେନ୍ତୁଳିଗୁଡା ଗ୍ରାମର ରମେଶ ହରିଜନ ଓ ସେହି ଗ୍ରାମର ଫୁଲବୀଣା ହରିଜନ ୩ ବର୍ଷ ପୂର୍ବେ ୨ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା | ପରେ ୨ ଜଣଙ୍କର ବିବାହ ହୋଇଥିଲା | ୨ ଜଣ ସ୍ତ୍ରୀ ସ୍ଵାମୀ ଭାବେ ରହିଆସୁଥିଲେ | ତାଙ୍କର ୨ ବର୍ଷର ଶିଶୁ ପୁତ୍ର ମଧ୍ୟ ରହିଛି | କିଛି ଦିନ ହେଲା ସ୍ତ୍ରୀ ଫୁଲବୀଣା ଜାଣିବାକୁ ପାଇଥିଲେ ଯେ ସ୍ଵାମୀ ରମେଶ ଡ଼ଙ୍ଗରିଗୁଡା ଗ୍ରାମର ନମିତା ପନକା ନାମକ ଜଣେ ଯୁବତୀକୁ ଭଲ ପାଉଛି | ପରେ ସ୍ତ୍ରୀ ଫୁଲବୀଣା ଏହାର ବିରୋଧ କରିଥିଲେ | ଗତ ଦଶହରା ସମୟରେ ରମେଶ ଡ଼ଙ୍ଗରିଗୁଡା ଗ୍ରାମର ନମିତା ପନକା କୁ ସ୍ତ୍ରୀ କରି ଆଣି ନିଜ ଘରକୁ ଆସିଥିଲା | ଏହାପରେ ୨ ଜଣ ଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ରମେଶ ପ୍ରଥମ ସ୍ତ୍ରୀ ଫୁଲବୀଣାକୁ ମାରପିଟ କରିଥିଲେ | ପରେ ଫୁଲବୀଣା ନିଜ ବାପା ଘରକୁ ଚାଲି ଯାଇଥିଲେ | ଏନେଇ ବୁଧବାର ରାତିରେ ଫୁଲବୀଣା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ପୋଲିସ ସ୍ଵାମୀ ରମେଶ ହରିଜନ ଙ୍କୁ ଗୁରୁବାର ଗିରଫ କରି ଥାନାକୁ ଆଣିଥିଲେ | ରମେଶ ହରିଜନ ଙ୍କ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ