ତମେମୋ ସଞ୍ଜୁଆ ତାରା
ସୁରେନ୍ଦ୍ର କୁମାର ବେହେରା
ତମେ ମିଠାମିଠା ପ୍ରୀତି ଆଲିଙ୍ଗନ
ସକାଳ କଅଁଳ ଖରା
ମୁହଁ ଅନ୍ଧାରରେ ବାଟ ଦେଖେଇଛ
ତମେ ମୋ ସଞ୍ଜୁଆ ତାରା ।1।
ତମ ଚାହାଣୀରେ ଏତେ ଆକର୍ଷଣ
ହୃଦୟ ଚହଲି ଯାଏ
ତମ ମଧୁ ହସ ମୋମନେ ବିଶ୍ବାସ
କବିତା ପାଲଟି ଯାଏ ।2।
ରାତି ବଢ଼ିଗଲେ ବେଶି ମନେପଡ଼
ମନର ମାନସୀ ପ୍ରିୟା
ସପନରେ ପୁଣି ଆସୁଛ ଯାଉଛ
ଏଦେହେ ଲଗାଇ ନିଆଁ ।3।
ତମ କଥା ଯେତେ ମୁଁ ଭାବୁଛି ବସି
ପ୍ରୀତିର ପରଶ ପାଇଁ
ବେଳ ଅବେଳରେ ମୋକଥା ଟିକିଏ
ତମେ ଭାବୁଛକି ନାହିଁ ।4।
ଆକାଶରେ ଜହ୍ନ ପୋଖରୀରେ କଇଁ
ଦୁହିଁଙ୍କର କେତେ ଭାବ
ଫୁଲ ସବାରିରେ ବସେଇ ଆଣିବି
ମଥାରେ ଓଢଣୀ ଥିବ ।5।
ପ୍ରେୟସୀ ସାଯିବ ପ୍ରିୟତ୍ତମା ମୋର
ପାଦରେ ପାଉଁଜି ନାଇ
ବଧୂବେଶ ଦେଖି ଅଗଣା ହସିବ
ଚାଲୁଥିବ ନଇଁ ନଇଁ ।6।
ଦୁନିଆଁର ଯେତେ ସବୁ ସୁଖଶିରୀ
ଜହ୍ନଠୁ ମାଗି ଆଣିବି
ବାସର ଶେଯରେ ଓଢଣୀ ଖୋଲିବ
ଗାଲେ ଗୋଟେ ଚୁମା ଦେବି ।7।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର