ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

 ସାଇବର ଠକ, ସେ ପରା ଘାତକ

   ଜୟ କୁମାର ମିଶ୍ର

ସାଇବର ଠକ, ଦିଏ ବଡ଼ ଦୁଃଖ 
କରେ ବଡ଼ କଲବଲ 
ସବୁ ଜାଣି ଶୁଣି, ମନ ବଣା ପୁଣି 
ବୁଦ୍ଧିପରା ପୋତାତେଲ ll
ହନିଟେପ ମୋହ, ସୁନ୍ଦରୀର ଲୁହ 
କଅଁଳ ବିକଳ କଥା, 
ସାରିଦିଏ ବଳ , ଧନମାନ, କଳ
ଠକରେ କାଟନ୍ତି ଚିତା ll
ଫୁଟିଛି ଲଟେରି, ଆଶାର ଚାତୁରୀ 
ଲକ୍ଷ୍ୟ, ଲକ୍ଷ୍ୟ କୋଟି କୋଟି, 
ସଞ୍ଚୟ ଖାତାର, ମାଗନ୍ତି ନମ୍ବର, 
ମୋବାଇଲ ବାରତା ଭେଟି ll
ମେଳିବଟି କାର, ଦାମୀ ଉପହାର 
ଅଳଙ୍କାର ଦାମୀ ମୂଲ , 
ମେଳିବ ଚାକିରୀ, ଦରମାଟି ଭାରି 
ଠକ ତରିକାର ଜାଲ ll
ମିଛର ବାହାନା, ବିଶ୍ୱାସ ଭାବନା 
କେତେ ନଟକୁଟ ହାଟ,  
ରାଣ ଓ ପ୍ରମାଣ, ମଧ୍ୟସ୍ଥିତି ଜାଣ
କହି ଥୋଇ ନୁଆଁ ପାଠ ll
ଶିକ୍ଷିତ ମୁରୁଖ, ସବୁ ପରା ଏକ
ଯେତେ ସେ ଚତୁର ହେଉ, 
ସୁଖ ଭୋଗରୋଗ, ବଢ଼ାଇ ତା ବେଗ 
ମନରେ ଦେଉଛି ଦାଉ ll
ଘେନି ଯାଏ ମାନ, ଘେନେ କା’ର ପ୍ରାଣ 
ଧନ ଯଉବନ ଶିରୀ, 
ଉଚ୍ଚ ଅଭିଳାଷ, କରେ ସର୍ବନାଶ 
ଘରେ କଳାକନା ଘୁରି ll
ଗଣ ମାଧ୍ୟମରେ, ସଚେତନ ବାରେ 
ଚେତନା ଦୀପାଳି ଜଳେ,  
ତଥାପି ଅନ୍ଧାର, ଅଜ୍ଞାନଟି ଘୋର 
ବିବେକ ତାହାର କୋଳେ ll
ଜମି କିଣାବିକା,ଘର,ବାଡ଼ି, ଯୋଖା 
କେତେ କାଣ୍ଡକାରଖାନା, 
କାୟାକୁ ମେଲାଏ, ବୋକାଙ୍କୁ ବନାଏ  
ଭେଣ୍ଡି ହୁଏ, ଖାଣ୍ଟି ସୁନା ll
ମିଛ ଵିଜ୍ଞାପନ, ଦୁର୍ବଳିଆ ମନ 
ସପନ ରାଇଜେ ଘୁରେ, 
ସପନ ବଣିକ, ଆୟୁଷ କ୍ଷଣିକ 
କାଳ ବେଳ କାର ସାରେ ll
ଅଖା ଧୋଉଥାଏ, ଗୁଣ ଗାଉଥାଏ 
ଗୁଣମଣି ଗୁଣିବନ୍ତ, 
ଅତି ଲୋଭଲାଭ, ଦିଏ ପରାଭବ
କରି ଦିଏ ହନ୍ତସନ୍ତ ll
ସାଧୁ ସାବଧାନ, ଏଡି ଆଶା ମନ 
କରମରେ ମନ ଦୃଢ଼, 
ଖାଅ ଶାଗପେଜ, କୁଡ଼ିଆରେ ଶେଜ 
ମରୁ ମରୀଚିକା ଛାଡ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,

ଜିଲ୍ଲା-ଗଜପତି ଓଡିଶା

Related posts

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଙ୍କୁ ନେ଼ଇ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଯୁଧିଷ୍ଠିର ମୁଦୁଲି ଙ୍କ କବିତା ସ୍ଵଭାଵ ଓ ବଚନ

Sunil Chandra Nayak

ପୂର୍ବତନ ସ୍ବାଧୀନ ବିଧାୟକ କପିଲ ନାରାୟଣ ତିୱାରୀ ଙ୍କ ଆଜି ୯୩ ବର୍ଷରେ ପରଲୋକ

Sunil Chandra Nayak

Leave a Comment

error: Content is protected !!