ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ ଗଳ୍ପ ଅଧର୍ମର ବିନାଶ

     ଅଧର୍ମର ବିନାଶ

                        ନବ କୁମାର ଦାସ

ଶୀତ ସକାଳର କଅଁଳ ଖରା, ସିଧା ପଡିଥାଏ ଦାଣ୍ଡ ପିଣ୍ଡା ଉପରେ l ପିଣ୍ଡା ଉପରେ ଠୁଙ୍ଗୁରି ବୁଢ଼ୀ ଟା ଖରା ଆଡକୁ ପିଠି କରି ବସିଥାଏ l ପ୍ରବଳ ଶୀତରେ ଯେମିତି ଥରୁଥାଏ ସେମିତି ପାକୁଆ ପାଟିରେ ବଡ଼ ନାତୁଣୀ ମୀରାକୁ ଡାକୁଥାଏ l ଲୋ ମୀରା କୁଆଡେ ଗଲୁ ଲୋ ମାଆ l ସତରେ ଯେମିତି ସବୁ ସ୍ନେହର ଗୋଟିଏ ମାତ୍ର ସାଗର ଏଇ ବୁଢ଼ୀ ମାଆ l ନାତୁଣୀ ଦୁଇଜଣ ମୀରା ଆଉ ରାଧା l କେଉଁ ଏକ ରହିଜଳା ଅଜଣା ରୋଗ ସେମାନଙ୍କ ମାଆ କୁ ସେମାନଙ୍କଠାରୁ ଛଡେଇ ନେଇଛି l ସେହି ଦିନଠାରୁ ବୁଢୀମା ହିଁ ପିଲା ଦୁଇଟାର ଯତ୍ନ ନେଇଛି, ବହୁତ ଆଦରରେ ବଢ଼ାଇଛି l ବୁଢ଼ୀ ମାଆ ମୀରାକୁ ଡାକିବା କ୍ଷଣି ମୀରା ଆସି ପହଞ୍ଚିଗଲା l ବୁଢ଼ୀ ଥରି ଥରି କହିଲା ମାଆ ରେ ବାପ ତୋର ଆଖି ମଳିଚିଆ ସକାଳରୁ ବିଲକୁ ବାହାରି ଗଲାଣି l ହେମରେ ଦେହ ହାତ ତାର ଥରି ଯାଉଥିବ l ଭୋକରେ ପେଟ ପିଠି ସମାନ ହେଇ ଯାଉଥିବ l ଯା ଲୋ ଯା କିଛି ଖାଇବା ନେଇଯା l ଆଉ ଗଲାବେଳେ ବାଡ଼ି ପଟ କବାଟ କିଳି ଦେଇଯା l ଏହାପରେ ମୀରା କହିଲା ହଉ ମା ମୁଁ ଯାଉଛି l

   ଏହାପରେ ମୀରା ତା ସାନ ଭଉଣୀ ରାଧାକୁ କିଛି ଖାଇବାକୁ ଦେଇ ବିଲକୁ ବାହାରି ଗଲା l ବାପା ଙ୍କ ପାଇଁ ମୁଢି ସହିତ ପିଆଜ ଆଉ ଆମ୍ବୁଲ ଚଟଣି କରି ନେଇଗଲା l ବାପାଙ୍କୁ ଜୋର ଭୋକ ଲାଗି ଯାଇଥିବ ଭାବି ସଅଳ ସଅଳ ଚାଲିବା ଆରମ୍ଭ କଲା l କିଛି ସମୟ ପରେ ବିଲରେ ପହଞ୍ଚି ଗଲା l ମାଘ ମାସର ବାଘୁଆ ଶୀତ ଟା ଜୋର ଧରିଥାଏ , ସେଥିପାଇଁ ଆଖ ପାଖ ବିଲକୁ ଲୋକ ସେତେ ସକାଳୁ ଆସି ନଥାନ୍ତି l ମୀରା ଯାଇ ଦେଖିଲା ବାପା ବିଲରେ ନାହାନ୍ତି l ଇଆଡ଼େ ସିଆଡେ ଚାହିଁଲା ହେଲେ ବାପାଙ୍କୁ ଦେଖିବାକୁ ପାଇଲା ନାହିଁ l ଏହାପରେ ବିଲର ଶେଷ ମୁଣ୍ଡକୁ ଦେଖିଲା ବାପା ହିଡ଼ ଉପରେ ଶୋଇଛନ୍ତି l ଦେହ ଟିକେ ଟିକେ ନୀଳ ପଡ଼ିଗଲାଣି l ଚେତା ନଥାଏ l ଖାଲି ନାକ ପୁଡାରୁ ପବନ ସୁଁ ସୁଁ କରୁଥାଏ l ବିଚାରି ଝିଅଟି କ’ଣ କରିବ ! ପାଖରେ କେହିବି ନଥାନ୍ତି l ମନ ଦୁଃଖରେ କାନ୍ଦି କାନ୍ଦି ପୁଣି ଘରକୁ ଦୌଡିଲା l ଘରକୁ ଯାଇ ବୁଢ଼ୀ ମାଆକୁ ସବୁ କଥା କହିଲା l ବୁଢ଼ୀ ମାଆ ତ ପୁରୁଣା କାଳିଆ ଲୋକ l ମୀରା ର କଥାକୁ ଠଉରେଇ ନେଲା ଆଉ ଭୋ ଭୋ ହେଇ କାନ୍ଦିଲା l ଗଳା ଫଟାଇ କାନ୍ଦିଲା ଓ କହିଲା ମୋ ପୁଅକୁ କେହି ବଞ୍ଚାଅ ରେ , କେହି ସାପ ଫାପ ତାକୁ କାମୁଡି ଦେଇଛି ରେ l କ୍ରନ୍ଦନର କରୁଣ ଚିତ୍କାର,ଯେମିତି ଦୁଃଖ ସବୁ ସେଇଠି ଛିଡି ପଡିଛି କଳା ମେଘ ହେଇ l ଏହାପରେ ସବୁ ଲୋକ ବୁଢ଼ୀର ଚିତ୍କାର ଶୁଣି ଦଉଡି ଆସିଲେ ପୁଣି କାନ୍ଦିବାର କାରଣ ଶୁଣି ବିଲକୁ ଧାଇଁ ଗଲେ l ଯାଇ ଦେଖିଲେ – ମୀରାର ବାପା ଗୋପାଳ ଚନ୍ଦ୍ର ଆଉ ନାହିଁ l ପାଟିରୁ ଗରଳ ବାହାରି ଆସିଥାଏ l ସମସ୍ତେ ବୁଝି ନେଲେ – ଅମାନିଆ ସାପର ଚୋଟରେ ଅମାନିଆ ପବନର ଗତି ବନ୍ଦ ହେଇ ଯାଇଛି l ଗୋପାଳ ଚନ୍ଦ୍ର ଆଉ ନାହିଁ l ସେମାନେ ଘରକୁ ଗୋପାଳର ଶବ ନେଇ ଆସିଲେ l ହେଲେ ବୁଢ଼ୀ ପାଖରେ ସମସ୍ତେ ଚୁପ l କାହାରି ପାଟିରୁ ଶବ୍ଦ ବାହାରୁ ନଥାଏ l ବୁଢ଼ୀ ସବୁ ବୁଝି ନେଲା l ତାକୁ ଆଉ ସମ୍ଭାଳେ କିଏ ? ଛୁଆ ଦୁଇଟାକୁ ସମ୍ଭାଳେ କିଏ l କାନ୍ଦି କାନ୍ଦି ବୁଢ଼ୀର ଧୈର୍ଯ୍ୟ ନଥାଏ ଛୁଆ ଦିଇଟା କାନ୍ଦି କାନ୍ଦି ନୟାନ୍ତ l ପିଲାଦିନୁ ମାକୁ ଖାଇଥିଲେ ଆଜି ବାପା ର ପାଳି l ଏହାପରେ କଥା ଯାଇ ପଡିଲା ସରପଞ୍ଚ ମଦନ ମଙ୍ଗରାଜ କାନରେ l ଲୋକ ଦେଖାଣିଆ ଭାବନାର ସହିତ ଦଉଡି ଆସିଲା l ଛୁଆ ଦୁଇଟାକୁ କୋଳେଇ ନେଲା, ବୁଢ଼ୀ ମାଆକୁ ସାନ୍ତ୍ୱନା ଦେଲା l ସତରେ ଯେମିତି କେଉଁ ଏକ ଯୁଗଜନ୍ମା ସେଇଠି ଜନ୍ମ ନେଇଛି ଲୋକଙ୍କ ସେବା ପାଇଁ l

   ଲୋକେ ତ ଜାଣନ୍ତି l ହଁ ହଁ ଲୋକେ ସବୁ ଜାଣନ୍ତି ମଦନ ମଙ୍ଗରାଜ କେଉଁ ନାବର ନାବିକ l ସ୍ୱାର୍ଥର ମଙ୍ଗକୁ ସେ ଭଲକି ଧରେ l ଯେ ପର୍ଯ୍ୟନ୍ତ ଜିରାରୁ ଶିରା ନ ବାହାରିଛି ସେ ଛାଡ଼ିବା ଲୋକ ନୁହେଁ l ନିଜ ସ୍ୱାର୍ଥର ପରମ ଦେବତା ସେ l ଅର୍ଥ ବଳ, ବାହୁବଳ ରେ ସେ ସେଠାକାର ସରପଞ୍ଚ l ଲୋକେ ତ ଛି ଛାକର କରନ୍ତି , କୁହନ୍ତି କି କେବେ କି ପାପ କରିଥିଲେ ଆମେ ଏପରି ସରପଞ୍ଚ ଆମରି ଭାଗ୍ୟରେ ଆସିଲା l ସେ ଯାହାବି ହେଉ ଆଜି ସେହି ସରପଞ୍ଚ ଠାରେ ନୈତିକତାର ଲକ୍ଷଣ ଦେଖି ସମସ୍ତେ ଆଶ୍ଚର୍ଯ୍ୟ l

  ସମୟର ସ୍ରୋତ ସବୁ ଭସେଇ ନେବ l ଯିଏ ଏଠାକୁ ଆସିଛି ସେ ନିଶ୍ଚୟ ଯିବ l ଏମିତି ମୀରା ବାପାର ଶୁଦ୍ଧି କ୍ରିୟା ସରିଲା l ଏହାପରେ ସରପଞ୍ଚ ଝିଅ ଦୁଇଟି ର ପାଠପଢା ଦାୟିତ୍ୱ ତୁଲାଇବ ବୋଲି କହିଛି l କେଜାଣି ସମୟ ସବୁ କହିବ ଲୋକଙ୍କ ମୁଖର ଭାଷା ସରପଞ୍ଚଙ୍କ କାର୍ଯ୍ୟରେ l ଏପଟେ ବୁଢ଼ୀର ସମୟ ସରି ଆସିଲାଣି l ପୁଅକୁ ଝୁରି ଝୁରି ଆହୁରି ଦୁର୍ବଳ ହେଇଗଲାଣି l ନାତୁଣୀଙ୍କ ଭବିଷ୍ୟତ କଥା ଭାବିଲା ବେଳକୁ ତା ମୁଣ୍ଡ କାମ କରୁନି l ନାତୁଣୀ ଦୁଇଜଣ ଭଲ ପଢୁ ଥାନ୍ତି l ବଡ଼ ନାତୁଣୀ ମୀରା ଦଶମ ଶ୍ରେଣୀରେ ପଢୁଛି ସାନ ଟା ସପ୍ତମ ଶ୍ରେଣୀରେ l ବାପା, ମାଆ ଥିଲେ ଆଜି ବହୁତ ଖୁସି ହୋଇଥାନ୍ତେ l ଝିଅ ଦୁଇଟା ତାଙ୍କର ଜଗତ ଜିତା l ରୂପରେ ଯେମିତି ଗୁଣରେ ସେମିତି, ପାଠରେ ବି ଆହୁରି ଭଲ l ଦଇବ ତ ଦାଉ ସାଧିଛି l କାଳ ଆସି ଦୁଆର ପାଖରେ ହାଜର , ବୁଢ଼ୀର ନିଃଶ୍ୱାସ ବନ୍ଦ ହେବାକୁ ଲାଗିଲାନି l ଏଇତ ନାତୁଣୀ ଦୁଇଜଣ ମୁଣ୍ଡ ବାଡେଇ କାନ୍ଦିଲେଣି l ଦେଖ ଦେଖ ବୁଢ଼ୀ ଟା ବି ଚାଲିଗଲା l ସବୁ ସରିଗଲା l ଗୋଟେ ସଂସାର ଭାସିଗଲା l

      ବାସ ବଢିଆ ହେଲା, ଏହି ସୁଯୋଗ ତ ଖୋଜୁଥିଲା ମଦନ ସରପଞ୍ଚ l ଏବେ ସେମାନଙ୍କ କେହି ନାହିଁ ତାକୁ ପ୍ରତିବାଦ କରିବ କିଏ l ସରକାରୀ ଘର ଯୋଗେଇଦେବା ଆଶାରେ କାଗଜ ପତ୍ର ପ୍ରସ୍ତୁତ କଲା l ଘର ବି ଆସିଲା ହେଲେ କାଗଜ ଦେହରେ ମାଟି, ବାଲି, ଇଟା, ସିମେଣ୍ଟର ଘର ରହିଗଲା l ସରପଞ୍ଚ ସେ କଥା କାହାକୁ ଜଣେଇଲା ନାହିଁ lସବୁ ଟଙ୍କା ଖାଇଦେଲା l ଝିଅ ଦୁଇଟି କିଛି ଜାଣି ପାରୁ ନଥିଲେ , ଜାଣିଲେ ବା କରିବେ କଣ ? କଷ୍ଟେମଷ୍ଟେ ସେମାନେ ଚାଲୁଥାନ୍ତି l ସରକାରୀ ସୁବିଧା କହିଲେ ବାପା ମା ନଥିବାରୁ ମାସକୁ 2000 ଟଙ୍କା ପାଆନ୍ତି l ହେଲେ ସେଥିରେ କଣ ଦୁଇଟା ପ୍ରାଣୀ ଚଳି ପାରିବେ ? ତିଅଣ କୁ ଲୁଣ ନିଅଣ୍ଟ ପୁଣି ଦେହ ରୋଗ ବିରହ କଥା ଅଛି ନା’ l ସେ ବର୍ଷ ମୀରା ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲା l ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ରାଜ୍ୟର ପ୍ରଥମ ସ୍ଥାନ ହାସଲ କରିଛି ବୋଲି ଜଣା ପଡିଲା l ସବୁଆଡୁ ଶୁଭେଚ୍ଛାର ସୁଅ ଫିଟିଲା l ସରପଞ୍ଚ ବି ଫୁଲତୋଡ଼ା ଟିଏ ଦେଇ 5000 ଟଙ୍କା ପୁରସ୍କାର ଘୋଷଣା କଲା l ସମସ୍ତେ ଏହା ଦେଖି ଖୁସି ହେଲେ l ଆମ ସରପଞ୍ଚ ସୁଧୁରି ଗଲାକି ? ଲୋକ ତୁଣ୍ଡରେ ଏହି କଥା l

       ଏହି ସମୟ ଅବସରରେ ମଦନ ସରପଞ୍ଚ ଦୁଇ ଭଉଣୀକୁ କହିଲା – ମାଆ ରେ ତମର ସରକାରୀ ଘର ଆସି ଯାଇଛି l କିନ୍ତୁ ସେତିକି ଟଙ୍କାରେ ଘର ସମ୍ପୂର୍ଣ ନୁହେଁ l ତେଣୁ କଣ ଗୋଟେ କରିବାକୁ ପଡିବ ଘର ସମ୍ପୂର୍ଣ ହେବା ପାଇଁ l ଝିଅ ଦି’ ଜଣ କହିଲେ ଆପଣତ ଆମର ସବୁ କଥା ବୁଝୁଛନ୍ତି, ତେଣୁ ଆପଣ କିଛି ବ୍ୟବସ୍ଥା କରନ୍ତୁ l ଏଣୁ ସରପଞ୍ଚ କିଛି କାଗଜ ପତ୍ର ପ୍ରସ୍ତୁତ କରି ଆଣି ଥାଏ , ଝିଅ ମାନଙ୍କ ଠାରୁ ଦସ୍ତଖତ କରି ନେଲା l ସେମାନଙ୍କର ଗୋଟିଏ ଏକର ଜମିକୁ ହଡପ କରି ନେଇ ନିଜ ନାମରେ କରି ନେଲା l

     କଷ୍ଟେ ମଷ୍ଟେ ଦୁଇ ଭଉଣୀର ପଢ଼ା ଚାଲିଥାଏ l ମୀରାର ଲକ୍ଷ୍ୟ IPS ଅଫିସର ହେବ l କିନ୍ତୁ ଟଙ୍କା ନାହିଁ କଣ କରିବ ? ସେ ଭାବିଲା ଏବେ ତ କେହି ଚାଷ କରିବା ପାଇଁ ନାହାନ୍ତି, ବାପାଙ୍କ ସେହି ଜମି ଖଣ୍ଡକ ରଖି ଆଉ ଲାଭ କ’ଣ ତେଣୁ ଦୁଇ ଭଉଣୀ ଜମି ବିକିଦେବାକୁ ଯୋଜନା କଲେ l ପାଖ ପଡୋଶୀଙ୍କୁ ସବୁ କହିଲେ l ପଡୋଶୀ ଜଣଙ୍କ ଝିଅ ଦୁଇଜଣଙ୍କୁ ସାହାଯ୍ୟ କଲେ l କିନ୍ତୁ ଦେଖିଲା ବେଳକୁ ଜମି ଆଉ ନାହିଁ l ମଦନା ସରପଞ୍ଚ ସବୁ ହଡପ କରି ନେଇଛି l ଝିଅ ଦୁଇଟା କେତେ ଆଶା କରିଥିଲେ ପାଠ ପଢି ବଡ଼ ଅଫିସର ହେଇଥାନ୍ତେ l ସବୁ ଫସର ଫାଟିଗଲା l ଆଉ ସେ ସରପଞ୍ଚକୁ ସବୁ ଛି ଛାକର କଲେ l ଏମିତି ସରପଞ୍ଚକୁ ପାନେ ଦେବାକୁ ହେବ l ତେଣୁ ଗାଁ ଲୋକ ଯୋଜନା କଲେ l ଏଥି ପାଇଁ କଣ କରିବାକୁ ହେବ l ସମସ୍ତେ କହିଲେ ଆମେ ଏହି କାମ ଆମ ଝିଅ ମୀରା ମାଧ୍ୟମରେ କରିବା l ତେଣୁ ସମସ୍ତେ ମୀରାର ପାଠ ପଢ଼ା ପାଇଁ ଟଙ୍କା ଖର୍ଚ୍ଚ କଲେ l ଦୁଇ ଭଉଣୀ ଗାଁ ଲୋକଙ୍କ ସାହାଯ୍ୟ ଦେଖି ବହୁତ ଖୁସି ହେଲେ l

      ଏବେ ସମୟ ଆସି ଯାଇଛି l ମୀରା ସବୁ ପରୀକ୍ଷାରେ ଉତୀର୍ଣ୍ଣ ହେଇଛି l ଆଜି ସେ lPS ଅଫିସର ବନି ଯାଇଛି l ଗାଁ ଲୋକଙ୍କ ସୁଖ ଦୁଃଖରେ ସାଥି ହେଇଛି l ତାର ପ୍ରଥମ କାମ ମଦନା ସରପଞ୍ଚକୁ ଧରିବା l ଏଣୁ ମଦନା ସରପଞ୍ଚର ସମସ୍ତ ଜଟିଳ କାମର ପର୍ଦାଫାଶ କରାଇବାରେ ଗାଁ ଲୋକ ମାନେ ସାହାଯ୍ୟ କଲେ l ସରପଞ୍ଚର ଚାମଚା ଗିରିଧାରୀକୁ ଧରି ସବୁ ଧରା ପକଡ କଲେ l ଜଣା ପଡିଗଲା ସରପଞ୍ଚ ଗାଁକୁ ଆସୁଥିବା ସରକାରୀ ଘରର ଟଙ୍କା ସବୁକୁ କେମିତି ହଡପ କରିଛି l ତାଙ୍କ ଜମି କେମିତି ଛଡେଇ ନେଇଛି l ଏଣୁ lPS ଅଫିସର ମୀରାକୁ ଖୁବ ସହଜ ହେଲା ସରପଞ୍ଚକୁ ଏରେଷ୍ଟ କରିବାକୁ l ସେ ସେହା କଲା l ସରପଞ୍ଚର ଗାଦି ଗଲା l

      ଏଥର ଲୋକେ ସମସ୍ତେ ଖୁସି l ଝିଅ ଦୁଇଜଣ ବଡ଼ ମଣିଷ ହେଲେ ଆଉ ସୁଖ ଦୁଃଖର ସାଥି ହେଇ ରହିଲେ l ‘ତାପରେ ଲୋକେ କହିଲେ ଅଧର୍ମର ବିନାଶ ହେଇଛି l ‘

ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିର୍ବାଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ  ଉଦ୍ଘାଟନ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!