ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କସ୍ତୁରୀ ର ସାଂସ୍କୃତିକ ମହୋତ୍ସବ ୨୦୨୨ ପାଇଁ ପ୍ରସ୍ତୁତି..

ସମ୍ମାନିତ ହେବେ ଲାଲା ବିରେନ ରାୟ ଓ ଅଶୋକ କର …….

ରାଉରକେଲା/ ଆଗାମୀ ଦିନରେ ରାଉରକେଲାରେ ହେବାକୁ ଥିବା ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ଦୁଇ ରାଜ୍ୟ ସ୍ତରୀୟ ନାଟ୍ୟ ପ୍ରତିଭା ଲାଲା ବିରେନ ପ୍ରସାଦ ରାୟ ଓ ଅଶୋକ କୁମାର କର l ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି l ରାଉରକେଲାର ଅନ୍ୟତମ ନାଟ୍ଯ ଓ ସାଂସ୍କୃତିକ ଅନୁଷ୍ଠାନ ‘କସ୍ତୁରୀ’ ପକ୍ଷରୁ ଚଳିତ ବର୍ଷର ସାଂସ୍କୃତିକ ମହୋତ୍ସବ-୨୦୨୨ରେ ପ୍ରତିବର୍ଷ ପରି ପ୍ରଦାନ କରାଯିବ ” କସ୍ତୁରୀ ସମ୍ମାନ “। ନାଟକ ପ୍ରତ ବିଶେଷ ଅବଦାନ ଥିବା ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଲାଲା ବିରେନ ପ୍ରସାଦ ରାୟ ଓ ଅଶୋକ କୁମାର କରଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଓଡିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଶ୍ରୀ ରାୟ ଏକାଧାରରେ ଜଣେ ଦକ୍ଷ କଳାକାର, ନିର୍ଦ୍ଦେଶକ ଓ ମଞ୍ଚଶିଳ୍ପୀ। ଓଡିଶା ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡିଶାର ପ୍ରାୟ ପନ୍ଦରଟି ସ୍ଥାନ ସମେତ ସୁଦୂର ବାଙ୍ଗାଲୋରରେ ଶ୍ରୀ ରାୟଙ୍କ ଦ୍ବାରା ନିର୍ଦ୍ଦେଶିତ ନାଟକ ” ଆହେ ନୀଳ ଶୈଳ ” ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଶ୍ରୀ କର ମଧ୍ଯ ଏକାଧାରରେ ଜଣେ ସୁଦକ୍ଷ କଳାକାର, ନିର୍ଦ୍ଦେଶକ, ନାଟ୍ୟକାର ଓ ମଞ୍ଚଶିଳ୍ପୀ ରୂପେ ସୁନାମ ଅର୍ଜନ କରିଛନ୍ତି ଯାହାଙ୍କୁ ସ୍ବୀକୃତି ସ୍ବରୂପ ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ପୁରସ୍କାର ପ୍ରଦାନ କରାଯାଇଛି। ଏଵେ ସମ୍ମାନ ପାଇଁ ମନୋନୀତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ତାମ୍ରଫଳକ ଓ ଉତ୍ତରୀୟ ସହ ନଗଦ ଦଶ ହଜାର ରାଶି ପ୍ରଦାନ କରାଯିବ।

       ଆସନ୍ତା ଡିସେମ୍ବର ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ସ୍ବାଦର କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଉଦଘାଟନୀ ରଜନୀରେ ଏକ ବିଷୟ ଭିତ୍ତିକ ସ୍ମରଣିକା ” ମଣିଷ ଖୋଜୁଛି ମଣିଷ ” ଉନ୍ମୋଚିତ କରାଯିବା ସହ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ” ସତ କହିବାକୁ କିଆଁ ଡରିବି “ରେ ତିନିଜଣ ଭିନ୍ନ ଭିନ୍ନ ଚରିତ୍ର ମଞ୍ଚରେ ନିଜ ଅନ୍ତର୍ନିହିତ ସତ୍ଯ ଉପସ୍ଥାପନ କରିବେ। ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରାୟ ପନ୍ଦର ଜଣ ଛାତ୍ର ଛାତ୍ରୀଙ୍କ ଦ୍ବାରା ପରିବେଷିତ ହେବ ନାଟକ ” ମୋ ଆଖିର କେତେ କଥା “। ପରିଶେଷରେ ରାଉରକେଲାର ମାରାଙ୍ଗବୁରୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟନାଟିକା ” ସୋହରୟ ପରବ୍ ଓ ଦନ୍ତା ନୃତ୍ୟ ” ପରିବେଷଣ କରାଯିବ।

         ଦ୍ବିତୀୟ ରଜନୀରେ ଲିଖିତା ସେଠୀ ଓ ତାଙ୍କ ଦଳଦ୍ବାରା ” କଥକ ନୃତ୍ଯ “, ସ୍ବତନ୍ତ୍ର ଭାବେ ସକ୍ଷମ ପିଲାମାନଙ୍କ ଅନୁଷ୍ଠାନ ” ଶ୍ରଦ୍ଧା ” ଦ୍ବାରା ନାଟକ “ଆମ ଭବିଷ୍ୟତ ” ଓ ଶେଷରେ ସରନା ନବ ଯୁବକ ସଂଘ ପକ୍ଷରୁ ଏକ ନାଟକ “ଲଜ୍ଜ୍ୟା” ପରିବେଷଣ କରାଯିବ।

       ଉଦଯାପନୀ ସନ୍ଧ୍ୟାରେ ପ୍ରଯୋଜନା ଭିତ୍ତିକ ନାଟ୍ଯ କର୍ମଶାଳାର ଛାତ୍ରଛାତ୍ରୀମାନେ ଡଃ. ସଂଜୟ ହାତୀଙ୍କ ଦ୍ବାରା ଲିଖିତ ଓ ନିର୍ଦ୍ଦେଶିତ ନାଟକ ” ଦୃଶ୍ୟମ୍ ” ମଞ୍ଚସ୍ଥ କରିବେ । ଉଦୀୟମାନ କଳାକାରମାନଙ୍କୁ ଚିହ୍ନଟ କରି ପ୍ରାରମ୍ଭିକ ସ୍ତରରୁ ନାଟ୍ଯ କ୍ଷେତ୍ରରେ ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ “କସ୍ତୁରୀ” ଏହାର ନିରବଛିନ୍ନ ପ୍ରୟାସ ଜାରି ରଖିଛି ଓ ରଖିବ। ସାନ୍ତାଳୀ ଭାଷାରେ ଆବାହନୀ ସଂଗୀତ ଗାନ ସହ ଉତ୍ସବକୁ ପ୍ରାରମ୍ଭ କରିବା ପାଇଁ କସ୍ତୁରୀ ପ୍ରସ୍ତୁତି ଜାରି ରଖିଛି ବୋଲି ସଂପାଦକ ରାଧାଶ୍ଯାମ ମହାନ୍ତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ଗୀତା ଜ୍ଞାନ

Sunil Chandra Nayak

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର

Sunil Chandra Nayak

ଦିନିକିଆ ଗସ୍ତ ରେ ପୋଲିସ ମହା ନିର୍ଦେଶକ

Sunil Chandra Nayak

Leave a Comment

error: Content is protected !!