ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

 ଭାବ କଳ୍ପରେ କବି

    ବେଣୁଧର ସୂତାର

କେତେ ଭାବ କେତେ     
                     ଭାବନା ଲହରୀ
ଆଶାର ସାୟରୀ ରାଗ ଆଶାବରୀ
             ଜାଗିଉଠେ ମନତଳେ
ବୁକୁରେ ଖେଳଇ ନବ ଉନ୍ମାଦନା
ନବ ସୃଜନର ଲଳିତ କଳ୍ପନା
            ଭାବନାର ଅନ୍ତରାଳେ ।।
ବରଷା ବସନ୍ତ ଯା ପାଇଁ ସମାନ
ହୃଦ ଆବେଗର ଅନୁଭବ ମାନ
           ଅସରନ୍ତି ଆଶା ଜାଗେ
ଶବ୍ଦାୟିତ ହୁଏ କଳ୍ପନାର ଧାରା
ଭାବ ପ୍ରସୂନର ମହକ ପସରା
         ଭାଷା ପ୍ରୀତି ଅନୁରାଗେ ।।
ପ୍ରଲୁବ୍ଧ ମନର ଭାବକଳ୍ପ ଝର
ନିଃଶବ୍ଦରେ ତୋଳେ       
                      ଶବ୍ଦର ଝଙ୍କାର
          ସୁମୋହନ ସୁର ତାଳେ
ହୃଦୟ ବୀଣାର ମୂର୍ଚ୍ଛନା ମଧୁର
ଶବ୍ଦ ସୁର ଛନ୍ଦ ରସ ସମାହାର
             ରମ୍ୟ ରଚନା ଛଳେ ।।
ଭାବ ପୀୟୂଷର ପବିତ୍ର ପ୍ଳାବନ
ସୃଷ୍ଟି ସର୍ଜନା ର ଶ୍ରେଷ୍ଠ ଉପାଦାନ
          ସାରସ୍ବତ ପୁଣ୍ୟ ସ୍ରୋତେ
ଲେଖନୀରେ ଭାଷା 
                    କମଳିନୀ ଫୁଟେ
ମନ୍ଦାକିନୀ ଧାରା ମରୁତଟେ ଛୁଟେ
          ଚାନ୍ଦ ଉଏଁ ଅମା ରାତେ ।।
କଳ୍ପନା ନୟନ ପାରେ ଅନୁଭବି
ମାଟି ମଟାଳର ନବ ରୂପ ଛବି
             ପ୍ରୀତିର ଗୀତିକା ଗାଏ
ପ୍ରେମ ପ୍ରଣୟର ପୂରବୀ ଝଙ୍କାରେ
ବେଦନାର ସୁର ବିରହୀ ଅନ୍ତରେ
          ଲେଖନୀରେ ରୂପପାଏ ।।
କଙ୍କାଳ ବୁକୁରେ ତୁମେ ଭର ଭାଷା
ତୃଷାର୍ତ୍ତ ପ୍ରାଣର ହରିନିଅ ତୃଷା
                 ଭରି ନବ ଉନ୍ମାଦନା
ଭକ୍ତି ଆବେଗର ଭାବାଶ୍ରିତ ସ୍ବର
ହୃଦୟ ଅର୍ଘ୍ୟର ଗୀତି ସୁଧା ଧାର
            ଭକ୍ତିମୟ ନିରାଜନା ।।
ସାରସ୍ବତ ବନେ ପ୍ରଜ୍ଞାର ଦୀପାଳି
ତୁମ ଲେଖନୀର ପୂତ ଅର୍ଘ୍ୟାଞ୍ଜଳି
            ହରେ ଜନମନ କ୍ଷୁଧା 
ମର୍ମଭେଦି ତୁମ ଶବ୍ଦର ଚାତୁରୀ
ଦିବ୍ୟ ସୃଜନର ଅମୃତ ଲହରୀ
            ସାରସ୍ୱତ ସ୍ବପ୍ନ ସୁଧା ।।

କେଶଦୁରାପାଳ କେନ୍ଦୁଝର 

Related posts

ବିବାଦ ଘେରରେ ଖଙ୍ଗାର ଗୁଡା -ଡ଼ଙ୍ଗାରିଗୁଡା ପ୍ରଧାନ ମନ୍ତ୍ରୀ ରାସ୍ତା ,ଅଧପାନ୍ତରିଆ କାମ ଶେଷ ହେବ କେବେ?

Sunil Chandra Nayak

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

କୁନ୍ଦେଇ ଅଞ୍ଚଳରେ ମାଓ ପୋଷ୍ଟର 

Sunil Chandra Nayak

Leave a Comment

error: Content is protected !!