ଲଫାପା ଭିତରେ ଚିଠି
ଉପେନ୍ଦ୍ର କୁମାର ବସ୍ତିଆ
କହିଥିଲ ମୋତେ ଅନୁରୋଧ କରି
କବିତା ଲେଖିବା ପାଇଁ
କମ୍ପି ଉଠେ ମୋର ଲେଖନୀର ମୁନ
ଭାଷା ଖୋଜି ପାଉନାହିଁ
କି, ଲେଖିବି ଆଜ କୁହ ?
ଲେଖନୀ ମୁନରେ ଝରେ ଅବିରତ
ଶତ କଙ୍କାଳର ଲୁହ
ଶତ କଙ୍କାଳର ଲୁହ ll
ଲାସ୍ୟ ମୟୀ ତୁମ ପ୍ରତି ଛବି କେବେ
ମୋ ମାନସେ ଆସୁନାହିଁ
କୋଟି ରୂପବତୀ କେତେ ସୀତାସତୀ
ପଥ ଧାରେ ପଡ଼ିଛଇଁ
ସେଠି ମୋର ଦୃଷ୍ଟି ବଧ
ଗଣ ଅଗଣିତ ଯଉବନ ସେଠି
ଗୋଟିଏ ଚିନ୍ତାରେ ମୁଁ ସ୍ତବ୍ଧ
ଗୋଟିଏ ଚିନ୍ତାରେ ମୁଁ ସ୍ତବ୍ଧ ll
ତୁମେ ସିନା ସାଥି ବ୍ୟଥିତ ନୁହଁ ଗୋ
ଅନ୍ନ ମୁଠାଏ ପାଇଁ
ଭାବିଦେଖ ଥରେ ପୁର ପଲ୍ଲୀରେ
ମନ ଖୋଲା ହସ ନାହିଁ
ଶତ ଶତ ନିରିମାଖି
ମନ ଖୋଲି ଥରେ ଚାହିଁଲେ ସେଠାକୁ
ଫେରିବନି ତୁମ ଆଖି
ଫେରିବନି ତୁମ ଆଖି ll
ତୁମେ କି ଜାଣନା ଧନ ଦଉଲତ
ଶାନ୍ତି ମମତା ନୁଁହ
ଏହା ବୋଲି ମୁଁ ଯେ କହୁନି ତୁମକୁ
ପଥ ଭିକାରୁଣୀ ହୁଅ
ମନ ଖୋଲି ଥରେ କୁହ
ଏହି ମୋର ସତ୍ୟ ଆରେକ ଛଳନା
ଏହି ମୋ କବିତା ନିଅ
ଆଞ୍ଜୁଳା ଭରି ପିଅ
ଆଞ୍ଜୁଳା ଭରି ପିଅ ll
ରାଉରକେଲା



