ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶିଷ୍ଟ ଶ୍ରମିକନେତା ଶିବଚରଣ ବୋଇତିଙ୍କ ବିୟୋଗରେ ..

ରାଉରକେଲା/ ରାଉରକେଲା ରେ ଶିଳ୍ପ ସମ୍ପର୍କ ରେ ଏକ ନୂତନ ଅଧ୍ୟାୟ ର ଅବତରଣା କରିଥିବା ଶିବଚରଣ ବୋଇତି ୧୯୪୦ ମସିହାରେ ଅଗଷ୍ଟ ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାର ରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ବୋଇତି ୧୯୬୨ ମସିହାରେ ରାଉରକେଲା ଇସ୍ପାତ କାରଖାନା ର ହଟ୍ ଷ୍ଟ୍ରିପ ମିଲ ରେ ଜଣେ ସିନିଅର ଅପେରେଟର ଭାବେ ଯୋଗଦେବା ସହିତ ବିଶିଷ୍ଟ ସମାଜବାଦୀ ନେତା ଲୋକ ନାୟକ ଜୟ ପ୍ରକାଶ ନାରାୟଣ,ଜଗଜ୍ଜୀବନ ରାମ, ଧୁଳିଶୂର ବସ୍ତିଆ,ସୁରେନ୍ଦ୍ର ନାଥ ଦ୍ବିବେଦୀ, ଜଗଦୀଶ ନାଗ ଏବଂ ରାଉରକେଲା ର ପ୍ରଥମ ବିଧାୟକ ସ୍ବର୍ଗତ ରାଜକିଶୋର ସାମନ୍ତରାୟ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ରାଉରକେଲା ମଜଦୁର ସଭା ତଥା ହିନ୍ଦ ମଜଦୁର ସଭା ରେ ସାମିଲ ହୋଇ ଶ୍ରମିକ ମାନଂକ ହକ ପାଇଁ ଅନବରତ ସଂଗ୍ରାମ କୁ ଏକ ପେଶା ଭାବେ ଗ୍ରହଣ କରିଥିଲେ।ସେ ହିନ୍ଦ ମଜଦୁର ସଭା ରେ ସାମିଲ ହେବା ସହିତ ଜାତୀୟ ଇସ୍ପାତ ଯୁଗ୍ମ କମିଟି ରେ ପ୍ରତିନିଧିତ୍ଵ କରିବା ସହିତ ଜାତୀୟ ସୁରକ୍ଷା କମିଟି ରେ ମଧ୍ୟ ପ୍ରତିନିଧିତ୍ଵ କରି ଇସ୍ପାତ ଶ୍ରମିକ ସମାଜର ଅନେକ କଲ୍ୟାଣକାରୀ ଯୋଜନା ର ପ୍ରଣୟନ କରିଥିଲେ। ଇସ୍ପାତ ଶିଳ୍ପ ରେ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ କୁ ନେଇ ଥିବା ଯୁଗ୍ମ କମିଟି ରେ ପ୍ରତିନିଧିତ୍ଵ କରି ଗୋଟିଏ ବୈଠକ ରେ ସେ ମତବ୍ୟକ୍ତ କରିଥିଲେ ଯେ ଆମ ରାଷ୍ଟ୍ର ର ମାନଦଣ୍ଡ ଶିଳ୍ପ ଉପରେ ନିର୍ଭର କରୁଥିବାବେଳେ ଏବେ ମଣିଷକୃତ ଶିଳ୍ପ ଭସ୍ମାଷୁର ସାଜି ତା’ର ସ୍ରଷ୍ଟା ମଣିଷ ପଛରେ ଧାବନ କରୁଛି ତାକୁ ନିଶ୍ଚିହ୍ନ କରିବା ପାଇଁ। ଯାହା ସେହି ବୈଠକରେ ଗୁରୁତ୍ୱ ବହନ କରିଥିଲା। ଅନ୍ୟ ପକ୍ଷରେ ମଣିଷ ଏବେ ଦଉଡିଛି ଜୀବନ ରକ୍ଷାର ପନ୍ଥା ନିର୍ଣ୍ଣୟ କରିବା ପାଇଁ ଯାହା ପରିବେଶ ପ୍ରଦୂଷଣ ର ମୂଳ ତତ୍ତ୍ୱ ଆଜି ପାଲଟିଛି ଏବଂ ତାଂକ ପୂର୍ବାନୁମାନ ସତରେ ପରିଣତ ହୋଇଛି। ଠିକ୍ ସେହିପରି ରାଉରକେଲା ମଜଦୁର ସଭା ର ପ୍ରତିନିଧି ଭାବରେ ସେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ର ଓଡ଼ିଶା ରାଜ୍ୟ ଶାଖାର ପ୍ରତିଷ୍ଠାତା ସଭ୍ୟ ଓ ପରେ ଦୀର୍ଘ ବର୍ଷ ଧରି ଅବୈତନିକ ରାଜ୍ୟ ଶାଖା ଅଧ୍ୟକ୍ଷ, ସାଧାରଣ ସମ୍ପାଦକ ପଦବୀ ଅଳଙ୍କୃତ କରିଥିଲେ। ତତ୍ ସହିତ ଅବୈତନିକ ଭାବରେ ତାଙ୍କର ଓଡ଼ିଶା ରାଜ୍ୟ ଶାଖା ସୁରକ୍ଷା ପରିଷଦ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଶିକ୍ଷା ପ୍ରଦାନ କରିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଠିକ୍ ସେହିପରି ଉତ୍ପାଦନ ଓ ଉତ୍ପାଦକତା କ୍ଷେତ୍ରରେ ସେ ଏକ ମାଇଲଖୁଣ୍ଟ ଥିଲେ। ୯୦ ଦଶକରେ ୫ମ ବ୍ଲାଷ୍ଟ ଫର୍ଣ୍ଣେସ ପ୍ରତିଷ୍ଠା କରିବାକୁ ଆର୍ ଏସ ପି ମ୍ୟାନେଜମେଣ୍ଟ କୁ ପ୍ରସ୍ତାବ ଦେଇ ଚର୍ଚ୍ଚାରେ ସେ ରହିଥିଲେ। ସେଲ୍ ର ଉତ୍ପାଦନ ଓ ଉତ୍ପାଦକତା ବୈଠକ ରେ ବିଭିନ୍ନ ସମୟରେ ସେ ଆଲୋକ ବର୍ତ୍ତିକା ପରି କାର୍ଯ୍ୟ କରୁଥିଲେ। ସେ ରାଉରକେଲା ମଜଦୁର ସଭା ର କାର୍ଯକାରୀ ସଭାପତି ପଦ ମଣ୍ଡନ କରିଥିଲେ। ଶିଳ୍ପ ସମ୍ପର୍କ କଥା ଆସିଲେ ଆପେ ଆପେ ବୋଇତି ବାବୁ ହିଁ ଚର୍ଚ୍ଚାକୁ ଆସିଥାନ୍ତି। ସେ କେହି ହୋଇ ଥାଆନ୍ତୁ ନା କାହିଁକି ତାଙ୍କର ପ୍ରସଙ୍ଗ ଭିତ୍ତିକ ଯୁକ୍ତି ଆଗରେ ହାର ମାନିଥାନ୍ତି। ସେ ବାସ୍ତବ ରେ ଜଣେ ତଥ୍ୟ ଭିତ୍ତିକ ଶ୍ରମିକ ନେତା ଥିଲେ। ଚାକିରି ରୁ ଅବସ‌ର ପରେ କର୍ମତତ୍ପର ସ୍ବର୍ଗତ ବୋଇତି ଅବସରପ୍ରାପ୍ତ କର୍ମଚାରୀ ସଂଘ, ଶ୍ୟାମ ଅନୁ ଦେବକୀ ଟ୍ରଷ୍ଟ , ଶ୍ରଦ୍ଧା,ଲାଫିଙ୍ଗ କ୍ଲବ ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ସାମିଲ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ରେ ନେତୃତ୍ୱ ନେଉଥିଲେ ତଥା ପରାମର୍ଶ ଦେଉଥିଲେ। ଠିକ୍ ସେହିପରି ମଜଦୁର ସଭାର ଦିଗଦର୍ଶକ ଙ୍କୁ ହରାଇ ସମାଜବାଦୀ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ଶୁଭେଚ୍ଛୁ ମାନେ ନିଶ୍ଚିତ ଭାବରେ ମର୍ମାହତ ହୋଇଥିଲା ବେଳେ ମୁଁ ବ୍ୟକ୍ତିଗତ ଭାବେ ମୋର ଜଣେ ପିତୃପ୍ରତିମ ଙ୍କୁ ହରାଇଲି ଏବଂ ମୋ ମୁଣ୍ଡ ଉପରକୁ ସଦା ସର୍ବଦା ଆଶୀର୍ବାଦ ଝରାଉଥିବା ସ୍ନେହମୟ ହାତଟି ଏ ଉଠିଗଲା ଭଳି ମୋତେ ଲାଗୁଛି। ତାଂକ ଅନୁପସ୍ଥିତି ଜନିତ କ୍ଷତି କେବେ ପୂରଣ ହେବାର ନାହିଁ କିନ୍ତୁ ସେ ଯେଉଁଠି ଥାଆନ୍ତୁ ନା ଖୁସିରେ ଥାଆନ୍ତୂ। ଆଜି ତାଂକ ଏକାଦଶାହ ଅବସରରେ ଭାବ ବିନମ୍ର ଶ୍ରଦ୍ଧାର୍ଘ୍ଯ ବାଢ଼ିବା ସହ ଭକ୍ତିପୂତ ପ୍ରଣାମ ଜଣାଉଛି। ଦିବ୍ୟ ଜନନୀ ତାଂକୁ ନିଜ ପାଦତଳେ ଆଶ୍ରୟ ଦେଇ ପରମ ଶାନ୍ତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା କରୁଛି। 

                                         ” ନିରଞ୍ଜନ ସାମଲ “
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତ୍ରିନାଥ ପଟ୍ଟନାୟକ ଙ୍କ କବିତା କାଳିଆର ରଥଯାତ୍ରା

Sunil Chandra Nayak

ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

Sunil Chandra Nayak

ଅସଂଯତ ମନର ଯୋଗସିଦ୍ଧି ଦୁଷ୍ପ୍ରାପ୍ୟ

Sunil Chandra Nayak

Leave a Comment

error: Content is protected !!