ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକୀର୍ଣ୍ଣ ପୋଲ ସାଜିଲା ଦୁର୍ଘଟଣାର କାରଣ, ଟ୍ରକ ଚାପାରେ ବାଇକ୍ ଆରୋହୀଙ୍କ ଜୀବନ ଗଲା

ଲାଞ୍ଜିଗଡ଼,୨୩/୧୨(ମନିସ)-ଗତ ମାସକ ତଳେ ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ରାସ୍ତାର ବେହେରାଗୁଡ଼ା ପୋଲ ଭାଙ୍ଗିଯିବାରୁ ଦୁଇଟି କାର୍ ଖସି ପଡ଼ିଥିଲା ! ଯାହାକୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚା ଓ ଆଲୋଚନା ହୋଇଥିବାବେଳେ କଳାହାଣ୍ଡି ପିଡବ୍ଲ୍ୟୁଡି ବିଭାଗ ନିନ୍ଦିତ ହେବା ଯାଏଁ କଥା ଗଲା ! ଏପରିକି ନିନ୍ଦିତ ଓ ସମାଲୋଚିତ ହେବା ପରେ ଜିଲ୍ଲାର ବିପଦସଂକୁଳ ପୋଲଗୁଡ଼ିକୁ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ! ତେବେ ନାମକୁ ମାତ୍ର ପୋଲ ମରାମତି ଓ ତଦାରଖ କାର୍ଯ୍ୟ କରି ପିଡବ୍ଲ୍ୟୁଡି ବିଭାଗ ଦାୟିତ୍ବ ସାରିଦେବାକୁ ବସିଥିବାବେଳେ ବିଭାଗ ଅଧୀନରେ ଥିବା ଏକ ସଂକୀର୍ଣ୍ଣ ପୋଲ ଯୋଗୁଁ ଆଜି ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି ! ଆଜି ସନ୍ଧ୍ୟାରେ ଲାଞ୍ଜିଗଡ଼ ସମବାୟ ବ୍ୟାଙ୍କରେ କାର୍ଯ୍ୟରତ ଫିଲ୍ଡ ଅଫିସର କମ୍ବୁପାଣି ବାରିକ ଓ ବ୍ୟାଙ୍କର ଶାଖା ପରିଚାଳକ ମନୋରଞ୍ଜନ ଚାନ୍ଦ ଦୁହେଁ ଏକ ହୀରୋ ସ୍ପ୍ଲେଣ୍ଡର ବାଇକ୍ ରେ ନିଜ ଘରକୁ ଫେରୁଥିଲେ ! ଏହି ସମୟରେ ରାୟଗଡ଼ାରୁ ଭବାନୀପାଟଣା ପଟେ ଦ୍ରୁତଗତିରେ ଯାଉଥିବା ଏକ ମାଲବାହୀ ଟ୍ରକ ଢେପଗୁଡ଼ା-ଲୋକନାଥପୁର ନିକଟସ୍ଥ ସଂକୀର୍ଣ୍ଣ ପୋଲରେ ବାଇକଟିକୁ ଜୋରରେ ଧକ୍କା ଦେବା ସହ ବାଇକ୍ ପଛପଟେ ବସିଥିବା କମ୍ବୁପାଣିଙ୍କ ଉପରେ ଚଢ଼ିଯାଇଥିଲା ! ଫଳରେ ଘଟଣାସ୍ଥଳରେ କମ୍ବୁପାଣିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବାବେଳେ ଶ୍ରୀ ଚାନ୍ଦ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ! ଏ ସଂପର୍କରେ ଖବର ପାଇ ବିଶ୍ବନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ନେତୃତ୍ୱରେ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ! ଏନେଇ ବିଶ୍ବନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ! ତେବେ ଦୁର୍ଘଟଣା ଘଟିଥିବା ଏଇ ସଂକୀର୍ଣ୍ଣ ପୋଲ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ଗତ ବର୍ଷକ ତଳେ ନୂତନ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଏଇ ପୋଲକୁ ବାଦ୍ ଦିଆଯାଇଥିଲା ! ସେହିପରି ବେହେରାଗୁଡ଼ା ଦୁର୍ଘଟଣା ପରେ ବିଭାଗ ପକ୍ଷରୁ ଜିଲ୍ଲା ବ୍ୟାପି ପୋଲଗୁଡ଼ିକର ତଦାରଖ ଓ ମରାମତି କାମ ଆରମ୍ଭ ହୋଇଥିବାବେଳେ ଆଜିର ଦୁର୍ଘଟଣା ଘଟିଥିବା ସ୍ଥାନରେ କେବଳ ବାଡ଼ ମରାମତି କରାଯାଉଛି ! ଏଥିପାଇଁ ଉଦ୍ଦିଷ୍ଟ ବାଲି ଓ ଚିପ୍ସ ମଧ୍ୟ ରାସ୍ତା ଉପରକୁ ଲାଗି ରଖାଯାଇଥିବାବେଳେ ଏଇ ରାସ୍ତା ଓ ପୋଲ ଦେଇ ଯାତାୟତ କରିବା ମୁସ୍କିଲ ହୋଇପଡ଼ୁଛି ! ଯାହାର ଫଳ ସ୍ବରୂପ ଆଜିର ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରିଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଆମେ ଜାଣିବା ଆମେ ଜିଣିବା  ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ନବରଙ୍ଗପୁର ପୌରାଞ୍ଚଳ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

masiha

୩୬ ଦିନରେ ପ୍ରାଥମିକ ଶିକ୍ଷକ ମହାସଂଘ , ଓଡ଼ିଶା ଷ୍ଟିଅରିଂ କମିଟିର ଗଣଧାରଣା

Leave a Comment

error: Content is protected !!