ଲାଞ୍ଜିଗଡ଼,୨୩/୧୨(ମନିସ)-ଗତ ମାସକ ତଳେ ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ରାସ୍ତାର ବେହେରାଗୁଡ଼ା ପୋଲ ଭାଙ୍ଗିଯିବାରୁ ଦୁଇଟି କାର୍ ଖସି ପଡ଼ିଥିଲା ! ଯାହାକୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚା ଓ ଆଲୋଚନା ହୋଇଥିବାବେଳେ କଳାହାଣ୍ଡି ପିଡବ୍ଲ୍ୟୁଡି ବିଭାଗ ନିନ୍ଦିତ ହେବା ଯାଏଁ କଥା ଗଲା ! ଏପରିକି ନିନ୍ଦିତ ଓ ସମାଲୋଚିତ ହେବା ପରେ ଜିଲ୍ଲାର ବିପଦସଂକୁଳ ପୋଲଗୁଡ଼ିକୁ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ! ତେବେ ନାମକୁ ମାତ୍ର ପୋଲ ମରାମତି ଓ ତଦାରଖ କାର୍ଯ୍ୟ କରି ପିଡବ୍ଲ୍ୟୁଡି ବିଭାଗ ଦାୟିତ୍ବ ସାରିଦେବାକୁ ବସିଥିବାବେଳେ ବିଭାଗ ଅଧୀନରେ ଥିବା ଏକ ସଂକୀର୍ଣ୍ଣ ପୋଲ ଯୋଗୁଁ ଆଜି ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି ! ଆଜି ସନ୍ଧ୍ୟାରେ ଲାଞ୍ଜିଗଡ଼ ସମବାୟ ବ୍ୟାଙ୍କରେ କାର୍ଯ୍ୟରତ ଫିଲ୍ଡ ଅଫିସର କମ୍ବୁପାଣି ବାରିକ ଓ ବ୍ୟାଙ୍କର ଶାଖା ପରିଚାଳକ ମନୋରଞ୍ଜନ ଚାନ୍ଦ ଦୁହେଁ ଏକ ହୀରୋ ସ୍ପ୍ଲେଣ୍ଡର ବାଇକ୍ ରେ ନିଜ ଘରକୁ ଫେରୁଥିଲେ ! ଏହି ସମୟରେ ରାୟଗଡ଼ାରୁ ଭବାନୀପାଟଣା ପଟେ ଦ୍ରୁତଗତିରେ ଯାଉଥିବା ଏକ ମାଲବାହୀ ଟ୍ରକ ଢେପଗୁଡ଼ା-ଲୋକନାଥପୁର ନିକଟସ୍ଥ ସଂକୀର୍ଣ୍ଣ ପୋଲରେ ବାଇକଟିକୁ ଜୋରରେ ଧକ୍କା ଦେବା ସହ ବାଇକ୍ ପଛପଟେ ବସିଥିବା କମ୍ବୁପାଣିଙ୍କ ଉପରେ ଚଢ଼ିଯାଇଥିଲା ! ଫଳରେ ଘଟଣାସ୍ଥଳରେ କମ୍ବୁପାଣିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବାବେଳେ ଶ୍ରୀ ଚାନ୍ଦ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ! ଏ ସଂପର୍କରେ ଖବର ପାଇ ବିଶ୍ବନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ନେତୃତ୍ୱରେ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ! ଏନେଇ ବିଶ୍ବନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ! ତେବେ ଦୁର୍ଘଟଣା ଘଟିଥିବା ଏଇ ସଂକୀର୍ଣ୍ଣ ପୋଲ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ଗତ ବର୍ଷକ ତଳେ ନୂତନ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଏଇ ପୋଲକୁ ବାଦ୍ ଦିଆଯାଇଥିଲା ! ସେହିପରି ବେହେରାଗୁଡ଼ା ଦୁର୍ଘଟଣା ପରେ ବିଭାଗ ପକ୍ଷରୁ ଜିଲ୍ଲା ବ୍ୟାପି ପୋଲଗୁଡ଼ିକର ତଦାରଖ ଓ ମରାମତି କାମ ଆରମ୍ଭ ହୋଇଥିବାବେଳେ ଆଜିର ଦୁର୍ଘଟଣା ଘଟିଥିବା ସ୍ଥାନରେ କେବଳ ବାଡ଼ ମରାମତି କରାଯାଉଛି ! ଏଥିପାଇଁ ଉଦ୍ଦିଷ୍ଟ ବାଲି ଓ ଚିପ୍ସ ମଧ୍ୟ ରାସ୍ତା ଉପରକୁ ଲାଗି ରଖାଯାଇଥିବାବେଳେ ଏଇ ରାସ୍ତା ଓ ପୋଲ ଦେଇ ଯାତାୟତ କରିବା ମୁସ୍କିଲ ହୋଇପଡ଼ୁଛି ! ଯାହାର ଫଳ ସ୍ବରୂପ ଆଜିର ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରିଛନ୍ତି !
previous post
next post