ବାଲେଶ୍ଵର,୦୭/୦୧/୨୩- ସମାଜରେ ଅନେକ କିଶୋର ଅଛନ୍ତି ଯେଉଁମାନେ ବନମାଳତୀ ପରି ହଜିଯାଆନ୍ତି ଅଦୃଶ୍ୟ ଧରାବକ୍ଷରେ । ସେହିମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ବିଦ୍ୟାଳୟର ପରମ ଲକ୍ଷ୍ୟ ଏବଂ ପରମଧ୍ଯେୟ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ଉନ୍ମେଷ ପାଇଁ ଖଇରା ସରକାରୀ ବିଦ୍ୟାଳୟ ପ୍ରତିବର୍ଷ ପାଳନ କରୁଛି ତାର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ । ଏହି ପରିପ୍ରେକ୍ଷୀରେ ତା ୦୬/୦୧/୨୩ ରିଖ ଶୁକ୍ରବାର ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ୪ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର, ଖଇରା ପଞ୍ଚାୟତ ସମିତିସଭ୍ଯା ନର୍ମଦା ଦେଓ, ସରପଞ୍ଚ ମାଳତୀ ସେଠୀ, ପୁରାତନ ଛାତ୍ର ସଂସଦ ଓ ମୋ ସ୍କୁଲ ଅଭିଯାନର ସଭାପତି ମୁକ୍ତିକାନ୍ତ ଶତପଥୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୟ କୁମାର ସାହୁ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କଳା ଶିକ୍ଷୟିତ୍ରୀ ପ୍ରଜ୍ଞାପରମିତା ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ବାର୍ଷିକ କ୍ରୀଡା ଉତ୍ସବରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଏଥିରେ ପ୍ରାୟ ପ୍ରତ୍ୟେକ ପିଲା(ଛାତ୍ରଛାତ୍ରୀ)ଙ୍କ ଅଭିଭାବକ/ଅଭିଭାବିକା ମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ସଭା ଶେଷରେ ହିନ୍ଦୀ ଶିକ୍ଷକ ନରୋତ୍ତମ ପୂର୍ତ୍ତିଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭାସାଙ୍ଗ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ