ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଅଭିଯାନ
ରାଇରଙ୍ଗପୁର : ତା ୧୯-୧୧-୨୦୨୬ ଭାରତ ସରକାରଙ୍କ ମିଶନ ସ୍ପନ୍ଦନ ଅଧୀନସ୍ଥ ନିଶାମୁକ୍ତ ଭାରତ ଅଭିଯାନ କ୍ରମରେ ଆଜି ରାଇରଙ୍ଗପୁର ଠାରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ନିଶା ନିବାରଣ ଓ ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଏକ ସଚେତନତା ରଥକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି ଭ୍ରାମ୍ୟମାଣ ସଚେତନତା ରଥ ଉପଖଣ୍ଡର ବିଭିନ୍ନ ବ୍ଲକକୁ ପରିକ୍ରମାରେ ଯାଇ ଜନସାଧାରଣଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ, ଏହାର ଶାରୀରିକ, ମାନସିକ ଓ ସାମାଜିକ ପ୍ରଭାବ ସମ୍ପର୍କରେ ବୁଝାଇବା ସହ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବାକୁ ପରାମର୍ଶ ଦେଇ ସଚେତନତା ବାର୍ତ୍ତା ପହଞ୍ଚାଇବ।
ଏହି ଅବସରରେ ରାଇରଙ୍ଗପୁର ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପିଏମ ଶ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀମାନଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରାଯିବା ସହ ନିଶାମୁକ୍ତ ଜୀବନଶୈଳୀ ଆପଣାଇବା, ନିଜ ପରିବାର ଓ ସମାଜର ସୁସ୍ଥତା ପାଇଁ ସଚେତନ ରହିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା।ନିଶାମୁକ୍ତ ଭାରତ ଗଠନ ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା, ଆତ୍ମସଂଯମ ଓ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଥିବା ବିଷୟରେ ଆଲୋକପାତ କରାଯାଇଥିଲା।ଏହି ଅବସରରେ ଶପଥ ପାଠ ଜରିଆରେ ନିଶାକୁ ପରିହାର କରିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ନିଶା ବା ମାଦକ ଦ୍ରବ୍ୟରେ ଅଭ୍ୟସ୍ତ ବ୍ୟକ୍ତି ଏଥିରୁ ମୁକ୍ତି ପାଇଁ ପ୍ରଜାପତି ବ୍ରହ୍ମ କୁମାରୀ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ରାଜଯୋଗ ଶିକ୍ଷାକୁ ଆପଣେଇଵା ପାଇଁ ପରାମର୍ଶ ଦିଆଯାଇଥିଲା।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

