ଶୀତ ଆସେ ଯେବେ
ଚିତ୍ତ ରଞ୍ଜନ ଦେହୁରୀ
ଶୀତ ର ଲହରୀ ଯାଏ ବହି ବହି
ଦେହ ମନ ଶିତଳାଇ ।
ଶୀତ ଆସେ ଯେବେ ବେଳା ଭୂମି ଛୁଇଁ
ଜାବୁଡ଼ି ତାକୁ ଧରଇ ।।
ବାର ବୁଲି ଶୀତ କୁଆଡେ ବୁଲେ ଯେ
ଦେଖିଲେ ଛାଡେନା ମୋତେ ।
ବୁଝାଇ ବହୁତ କହିଲା ପରେ ବି
ଭାରି ଭଲ ପାଏ ମୋତେ ।।
କହିଲି ତାହାକୁ ପ୍ରିୟା ଲୋ ମୋହର
ବଳାନା ମୋ ଠାରେ ମନ ।
ତୁ ଯାହା ମାଗିବୁ ଦେଇକି ପାରିବି
ଅଣ୍ଟା ରେ ମୋ ନାହିଁ ଧନ ।।
କମ୍ବଳ ରେଜେଇ ମାଗିବୁ ଗେହ୍ଲେଇ
କୁଆଡୁ ମୁଁ ଦେବି ଆଣି ।
ନଦେଲେ ତୋହର କାକର ପରିକା
ଆଖିରୁ ପଡ଼ିବ ପାଣି ।।
ମାଡ଼ ପରି ଜାଡ ଛାତିରେ ମୋହର
ଅଭିମାନ କରି ପିଟୁ ।
ସହି ଯାଏ ମୁହିଁ ନିଜର ଭାବିକି
ପ୍ରେମିକ ତୋର ଯେହେତୁ ।।
ଆଉ କିଏ ତୋର ଅଝଟ ଅର୍ଦ୍ଦଳୀ
ସହିବାକୁ ଅଛି ସହୁ ।
ସହିବା ବାଲା ମୁଁ ଦେଖିଛି ବହୁତ
ମୋ ଆଗେ ଆସି କେ କହୁ ।।
ଜାଣିଛି ତୋତେ ମୁଁ ମୋ ବାହୁ ବନ୍ଧନେ
ରହିବୁ ତୁ ବହୁ ଦିନ ।
ମୋତେ ଛାଡ଼ି ତୋର ଆଉକା ସାଥିରେ
ଲାଗିବନି ଏତେ ମନ ।।
ଅନୁଗୋଳ



