ଅବୁଝା ରାଈ
ଉପେନ୍ଦ୍ର କୁମାର ବସ୍ତିଆ
ପାହାନ୍ତି ରାତିର ଅବୁଝା ମନଟା
ଦରହାସେ ହସ ହସେ
ପିପାସୀ ମନରେ ମୌସୁମୀ ବହେ
ଚଇତି ମଲ୍ଲୀର ବାସେ ।
ଚୋରା ଚଇତିର ବେସୁରା ବୀଣାରୁ
ମୂର୍ଚ୍ଛନା ତ ଉଠୁ ନାହିଁ
ବିରହ ବେଦନା କୋଇଲି କଣ୍ଠରୁ
ପ୍ରୀତି ଗୀତି ଶୁଭୁ ନାହିଁ ।
ମୁଁ ତୁମ ମନର ଖିଆଲି ଜହ୍ନ ଗୋ
ତୁମେ ମୋ କାଚ କାଞ୍ଚନ
ମୁଁ ତୁମ ମାନସୀ ବୟସେ ଉଦାସୀ
କଅଁଳା ଗଜରା ମନ ।
ସରସୀର ନୀରେ ଝୁରିଝୁରି କାନ୍ଦେ
ଉଦାସୀ ମୋ ମନ କଇଁ
ଚଗଲା ବାଆରେ ନାଚେ ତାଳେ ତାଳେ
ପାଦର ପାଉଁଜି ବାହି ।
ସ୍ମୂତିର ଗୋଲାପ ସୁରଭି ଓଠରୁ
ସପନ ଯାଇଛି ହଜି
ଶ୍ରାବଣୀର ମନ ବତୁରା ଜୀବନ
କୁଆଁରୀ ସାଜିଛି ଆଜି ।
ଗୋଧୂଳିର ରଙ୍ଗ ଆକାଶେ ତରଙ୍ଗ
ନୟନେ କଜ୍ଜଳ ଗାର
ସେପାଖେ ଉଦାସୀ ବିରହେ ମାନସୀ
ଚହଲା ପାଣିର ଧାର ।
ନଈ ଆରପାଖେ ପାହାଡ ଉହାଡେ
ଛାଇ ଲେଉଟାଣି ବେଳ
ଭାଙ୍ଗିଯାଏ ମୋର ସପନ ନିଶାର
ପାଣି କାଚ ପିନ୍ଧା ବେଳ ।
ସ୍ବପ୍ନ ସବୁ ମୋର ଅବୁଝା ମନକୁ
ପାରୁଛି କେବଳ ଛୁଇଁ
ମୋ ମନ ଯମୁନା ଝୁରୁଛି ବିରହେ
ମୁଁ ତୁମ ଅବୁଝା ରାଈ ।
ରାଉରକେଲା