ମୟୂରଭଞ୍ଜ – ୯/୩/୨୩ (ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଁଳାଡୁବା ଗ୍ରାମର ରଘୁନାଥ ଜୀଉ ମଠ ସନ୍ନିକଟରେ ୧୯୫୮ ମସିହାରେ ସ୍ଥାପିତ ଗୋଶାଳାକୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଅଂଚଳର କତିପୟ ହାତଗଣତି ଗୋମାତାପ୍ରେମୀ ଏଚ୍ ଏନ୍ ଠାକୁର,ଗଜାନନ ପାଡିଆ, ଗୋବିନ୍ଦ ଅଗ୍ରୱାଲ ମଦନ ଅଗ୍ରୱାଲ ଗୋବିନ୍ଦ ଚାନ୍ଦଗୋଟିଆ ଏବଂ ତାଙ୍କ ସହଯୋଗୀ ମାନେ ଅଁଳାଡୁବା ଗ୍ରାମରେରେ ସରକାରୀ (ରକ୍ଷିତ ଘରଵାରୀ) ୫ ଏକର ପାଖାପାଖି ଜମିରେ ଖାତା ନଂ ୨୮୩,ପ୍ଳଟ ନଂ ୭୬୫ ନମ୍ବର ଚାଳଛପର ଘର କରି ଗୋମାତାଙ୍କୁ ରଖି ସେବା
କରିବା ଆରମ୍ଭ କରିଥିଲେ । ସେବେଠାରୁ ଗୋଶାଳା କମିଟି ଆର୍ଥିକ ଅନାଟନ ସତ୍ବେ ଭାଙ୍ଗି ନ ପଡ଼ି ଆଜିଯାଏଁ ଗୋଶାଳା ରକ୍ଷଣ ବେକ୍ଷଣ,ଗୋମାତା ସେବା କରି ଆସୁଛନ୍ତି । ବର୍ତମାନ ପରିସ୍ଥିତିରେ ୪୦୦ ପାଖାପାଖି ଗାଇ,ଗୋରୁ,ବାଛୁରୀର ରକ୍ଷଣ ବେକ୍ଷଣ,ଖାଦ୍ୟ ପେୟ ,ଯତ୍ନ, ଚିକିତ୍ସା କରାଯାଉଛି । ତନ୍ମଧ୍ୟରୁ ୩୦/୩୫ ଟି ଗାଇ କ୍ଷୀର ଦିଅନ୍ତି ଅନ୍ଯଗୁଡିକ ରୋଗାଗ୍ରସ୍ତ,ବୁଢ଼ାବୁଢ଼ୀ, ବାଛୁରୀ ଇତ୍ୟାଦି ।ତଦସହ ପୋଲିସ ପ୍ରଶାସନ ଜବତ କରୁଥିବା ବେଆଇନ ଚାଲାଣ ଗୋରୁଗାଈଙ୍କୁ ଏଠାରେ ରଖାଯାଇ ସମସ୍ତ ଖର୍ଚ୍ଚ ଗୋଶାଳା କମିଟି ବୁଝେ ।ଗୋରୁ ପିଛା ଦୈନନ୍ଦିନ ୧୦୦ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଗୋଶାଳା କମିଟି ସଦସ୍ୟ କୁହନ୍ତି। ବାର୍ଷିକ ୧୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୁଏ ।
ସରକାର ଏବେ ଅଳ୍ପ କିଛି ଖର୍ଚ ବୁଝୁଥିଲା ବେଳେ ରାଇରଙ୍ଗପୁର ସହରର ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ଗୋଶାଳା ଚାଲୁଅଛି ।ହେଲେ ସ୍ଥାୟୀ ପଟ୍ଟା ପାଇଁ ଦିର୍ଘ ୬୫ ବର୍ଷ ହେଲା ଗୋଶାଳା କମିଟି ତରଫରୁ ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳକୁ ମଧ୍ୟ ଅବଗତ କରାଯାଇଥିଲା । ପୂର୍ବରୁ ରାଜ୍ୟ ବିଜେଡି ସଂପାଦକ ପ୍ରଣବ ପ୍ରକାଶ ଦାସ ଗୋଶାଳା ବୁଲି କମିଟିର ସମସ୍ୟା ପ୍ରତି ଅବଗତ ହୋଇ ରାଜ୍ଯ ସରକାରଙ୍କୁ ଏବିଷୟରେ ଅବଗତ କରାଇଥିଲେ । ନିକଟରେ ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ ମୟୂରଭଞ୍ଜ ଗସ୍ତରେ ଆସି ରାଇରଙ୍ଗପୁର ଗୋଶାଳା ପରିଦର୍ଶନ କରି ଗୋଶାଳା କମିଟିର ନିଷ୍ଠାପରତା, କାର୍ଯ୍ୟଶୈଳୀ ,ଗୋସେଵା ଦେଖି ଅଭିଭୂତ ହୋଇପଡ଼ିଥିଲେ ।ସେ ପ୍ରତିଶ୍ରୁତି ଦେଇଥିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କୁ ଜଣାଈ ୭ ଦିନ ମଧ୍ୟରେ ଏହାର ସମାଧାନ କରିବେ।କଥା ଦେଇ କଥା ରଖିଲେ ।ଠିକ୍ ସପ୍ତାହକ ପରଠାରୁ ଆଜିର ଦିନରେ ସପ୍ତାହ ପୂର୍ତିଅନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିନେଟରେ ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟାକୁ ସ୍ଵିକୃତି ପ୍ରଦାନ କଲେ । ଏହାକୁ ନେଇ ରାଇରଙ୍ଗପୁର ଗୋଶାଳା କମିଟି ତରଫରୁ ଗୋଶାଳା ପରିସରରେ ସରକାର ଙ୍କ ନିଷ୍ପତ୍ତି ରେ ଖୁସି ହୋଇ ଏକ ଉତ୍ସବ ମନା ଯାଇଥିଲା । ଗୋଶାଳା କମିଟି ତରଫରୁ ସମସ୍ତଙ୍କୁ ଲଡୁ ବଣ୍ଟନ କରାଯାଇଥିଲା । ପରସ୍ପରକୁ ରଙ୍ଗ ଲଗାଇ ନାଚଗୀତରେ ମସଗୁଲ ହୋଇଥିଲେ ।ପରେ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ,୫ ଟି ସଚିବ କେ ପାଣ୍ଡିଆନ, ମୟୂରଭଞ୍ଜ ବିଜେଡି ପ୍ରଭାରୀ ପ୍ରଣବ ପ୍ରକାଶ ଦାସଙ୍କୁ ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପୌର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଗୋଶାଳା ଅଧ୍ୟକ୍ଷ ବାବୁଲୁ ଅଗ୍ରୱାଲ,ସଭାପତି ରବି ଅଗ୍ରୱାଲ, ସଂପାଦକ ଗୌରୀ ସାରଡା, ସମାଜସେବୀ ଶମ୍ବୂନାଥ ଅଗ୍ରୱାଲ, ଜିଲ୍ଲା ବିଜେଡ଼ି ସଂପାଦକ ସଚିନ ଅଗ୍ରୱାଲ ପ୍ରମୁଖ କୃତଜ୍ଞତା ଜଣାଇବା ସହ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗତିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବିଜୁପଟ୍ଟନାୟକ ଅମର ରହେ ନବିନ ପଟନାୟକ ଜିନ୍ଦାବାଦ ନାରା ଦେଇଥିଲେ । ରାଇରଙ୍ଗପୁର ଗୋଶାଳାର ଦିର୍ଘ୬୫ ବର୍ଷର ଦାବିକୁ ସରକାର ସ୍ଥାୟୀ ପଟ୍ଟା ପାଇଁ ସ୍ଵିକୃତି ଦେଇଥିବାରୁ ଜାତି ଧର୍ମ,ଦଳ ନିର୍ବିଶେଷରେ ସମସ୍ତେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚାରିଆଡେ ଚର୍ଚ୍ଚା ଗୋଟିଏ କଥା ଦେଇଥିଲେ କଥା ରଖିଲେ ଭି କେ ପାଣ୍ଡିଆନ ।ଏଭଳି ଦକ୍ଷ ସଚିବ ଆମ ଜୀବଦ୍ଦଶାରେ ଦେଖିନାହୁଁ । ୭୦ ବର୍ଷ ର ସମସ୍ୟାକୁ ୭ ଦିନରେ ସମାଧାନ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ


