କନ୍ଧମାଳର ପାରମ୍ପରିକ ଗଣପର୍ବ
” ପୋଢ଼ ଯାତ୍ରା ”
କବିସୌରଭ କୈଳାଶଚନ୍ଦ୍ର ବେହେରା
ଆବହମାନ କାଳରୁ ମନୁଷ୍ୟ ସମାଜ ଈଶ୍ବରଙ୍କ ଅସ୍ତିତ୍ବକୁ ବିଶ୍ବାସ କରି ତାଙ୍କୁ ବିଭିନ୍ନ ରୂପରେ ପୂଜାର୍ଚ୍ଚନା କରି ଆସୁଛି । କେତେବେଳେ ତାଙ୍କୁ ଭଗଵାନ ଭାବରେ ତ କେତେବେଳେ ଭଗବତୀ ଭାବରେ ପୂଜା କରୁଛି । ଏଥିପାଇଁ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣିର ଆୟୋଜନ କରା ଯାଉଛି ।
ଆମ ଦେଶର ସବୁ ରାଜ୍ୟରେ ଲୋକଙ୍କର ବିଶ୍ବାସ ଅନୁଯାଇ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଛି । ଆମ ରାଜ୍ୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ବିଭିନ୍ନ ପର୍ବପର୍ବାଣି ପାଳନ କରା ଯାଉଛି । ପୂଜା ପାଇଁ ଭୋଗ ହିସାବରେ କେଉଁଠି ନଡ଼ିଆ, କଦଳୀ,ଚୂଡ଼ା , ଗଜାମୁଆଁ ,ଗଜାମୁଗ ଅର୍ପଣ କରାଯାଉଛି ତ କେଉଁଠି କ୍ଷୀରି ,ଖେଚୁଡ଼ି ,ମଣ୍ଡା , ଗଇଁଠା ଅର୍ପଣ କରା ଯାଉଛି ।
କିନ୍ତୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଭୋଗ ହିସାବରେ ନଡ଼ିଆ ,କଦଳୀ ସହିତ କୁକୁଡ଼ା , ଛେଳି ,ଘୁଷୁରୀ , ପୋଢ଼ ପ୍ରଭୃତି ପ୍ରାଣୀଙ୍କୁ ବଳି ଦେଇ ଠାକୁରଙ୍କୁ ଅର୍ପଣ କରନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଵହୁ ପୂର୍ବରୁ ଏହି ବଳି ପ୍ରଥାକୁ ମାନି ଆସୁଛନ୍ତି । କନ୍ଧମାଳର ଆଦିବାସୀମାନେ କେଡୁପର୍ବ ବା ପୋଢ଼ ଯାତ୍ରା ,କାନ୍ଦୁଲ ଯାତ୍ରା ଇତ୍ୟାଦି ପର୍ବ ଗୋଷ୍ଠୀଗତ ଭାବରେ ପାଳନ କରନ୍ତି । ଧନ ଦେବତା ବା ହାଡ଼ବାଇ ଭଳି କେତେକ ଠାକୁରଙ୍କୁ ସେମାନେ ନିଜ ପରିବାରରେ ପୂଜା କରନ୍ତି ।
କଥିତ ଅଛି ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ବାଲିଗୁଡ଼ା ଠାରୁ ପ୍ରାୟ ୭ କି. ମି ଦୂରରେ ଥିବା ମହାସିଙ୍ଗି ଗ୍ରାମରେ ନରବଳି ପ୍ରଥା ରହିଥିଲା । ସେହି ଗ୍ରାମର ମୁଖ୍ୟ ପୂଜକଙ୍କ ଘରକୁ ପୋଢ଼ଯାତ୍ରା ହେବାର ୫/ ୭ ଦିନ ଆଗରୁ ୭/୮ ବର୍ଷ ବୟସର ପୁଅଟିଏ ବା ଝିଅଟିଏ ଯାଇ କାହାକୁ ଦେଖା ନ ଦେଇ ଲୁଚି ରହିଥାଏ । ପୋଢ଼ଯାତ୍ରା ହେବାଦିନ ସେ ମୁଖ୍ୟ ପୂଜକଙ୍କୁ ଦେଖା ଦିଏ । ସେ ବଳି ପାଇବାକୁ ଆସିଛି ଜାଣିପାରି ମୁଖ୍ୟ ପୂଜକ ଏକଥା ଅନ୍ୟ ପୂଜକମାନଙ୍କୁ ଜଣେଇ ଦିଏ । ସେହି ଗାଆଁର ସାତଜଣ ପୂଜକ ସେହି ପିଲାକୁ ନେଇ ନିକଟରେ ଥିବା ବଡ଼ ଡଙ୍ଗର ପାହାଡ଼କୁ ଯାଆନ୍ତି । ସେଠାରେ ଥିବା ସିନ୍ଦୁରମଣ୍ଡିତ ପଥର ଦେବତାଙ୍କ ନିକଟରେ ତାକୁ ବଳି ଦିଅନ୍ତି । ବଳି ଦେଲାପରେ ମୁଖ୍ୟ ପୂଜକ ମନ୍ତ୍ରପାଠ କରି ଠାକୁରଙ୍କୁ ବଳି ଅର୍ପଣ କରେ । ତାପରେ ସମସ୍ତେ ମିଶି ସେହି ଶିଶୁର ଦେହକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତି। ଯେଉଁ ସବୁ ଗାଆଁରୁ ପୂଜା ପାଇଁ ଭୋଗ ଆସିଥାଏ ସେହି ଗାଆଁକୁ ଖଣ୍ଡେ ଖଣ୍ଡେ ମା°ସ ଦିଅନ୍ତି । ସେମାନେ ସେହି ମା°ସକୁ ନେଇ ନିଜ ନିଜ ଗାଆଁରେ ଥିବା ଦେବତାଙ୍କୁ ଅର୍ପଣ କରନ୍ତି । ଲୋକଙ୍କ ମୁଖରୁ ଶୁଣାଯାଏ ଯେଉଁ ସବୁ ଗାଆଁର ଲୋକେ ନରବଳିର ମା°ସ ପାଇଥାନ୍ତି ସେହିସବୁ ଗାଆଁରେ ନରବଳି ପରିବର୍ତ୍ତେ ପୋଢ଼ବଳି ଦିଆଯାଏ ।
ଏହି ପୋଢ଼ବଳି ପାଇଁ କେତେକ ନୀତି ନିୟମ ରହିଛି । ସେହି ନୀତି ଅନୁସାରେ କେଉଁ ଗାଆଁରେ କେଉଁ ବର୍ଷ ପୋଢ଼ ଯାତ୍ରା ହେବ ତାହା ଧାର୍ଯ୍ୟ କରାଯାଏ । ଆଗରୁ ଦିଆଯାଉଥିବା ନରଵଳିରେ ଯେଉଁ ସବୁ ଗାଆଁ ସାମିଲ୍ ଥାଆନ୍ତି ତା’ ମଧ୍ୟରୁ କେତେ ଗୋଟି ଗାଆଁକୁ ନେଇ ଗୋଟିଏ ଗୋଟିଏ ଜାକେରୀ କୁହାଯାଉଥିଲା । ପ୍ରତ୍ୟେକ ଜାକେରୀ ରେ ଜଣେ ଜଣେ ମୁଖ୍ୟ ପୂଜକ ଥିଲେ । ସେମାନେ ପ୍ରତିବର୍ଷ ଚୈତ୍ର ବା ବୈଶାଖ ମାସରେ ଏକ ନିର୍ଦ୍ଦିଷ୍ଟ ଦିନ ଗୋଟିଏ ଛଣଡାଙ୍ଗ ଧରି ଜାକେରୀ ଅଧିନରେ ଥିବା ପ୍ରତ୍ୟେକ ଗାଆଁର ପୂଜାସ୍ଥଳୀକୁ ଯାଇ ସେହି ଛଣଡାଙ୍ଗକୁ ସେହି ସ୍ଥାନରେ ପୋତିବାକୁ ଚେଷ୍ଟା କରନ୍ତି । ଯେଉଁ ଗାଆଁର ପୂଜାସ୍ଥଳୀର ମାଟିରେ ଛଣଡାଙ୍ଗଟି ପଶିଯାଏ ସେହି ଗାଆଁରେ ସେହି ବର୍ଷ ପୋଢ଼ଯାତ୍ରା ଅନୁଷ୍ଠିତ ହେବ ବୋଲି ଠିକ୍ କରାଯାଏ । ଅନ୍ୟ ଗାଆଁର ଲୋକେ ମଧ୍ୟ ଏହି ଯାତ୍ରାରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତି।ଜାକେରୀର ଏହି ମୁଖ୍ୟ ପୂଜକଙ୍କୁ “ଡମ୍ବା” କୁହାଯାଏ । ପୋଢ଼ଯାତ୍ରା ହେବାର କିଛିଦିନ ପୂର୍ବରୁ ପୂଜକ ସବୁ ଗାଆଁର ଲୋକଙ୍କୁ ଡକାଇ ଏକ ବୈଠକ କରନ୍ତି । ଏହି ବୈଠକରେ ସର୍ବସମ୍ମତ୍ତି କ୍ରମେ ଏକ ପୂଜା କମିଟି ଗଠନ କରାଯାଏ । ପୂଜା କମିଟିର ସଭ୍ୟମାନେ ଗାଆଁ ଗାଆଁ ବୁଲି ଚାନ୍ଦା ସ°ଗ୍ରହ କରନ୍ତି । ସେହି ଚାନ୍ଦା ଟଙ୍କା ପୂଜା କମିଟିର ପାଣ୍ଠିରେ ରହେ । ପ୍ରତିବର୍ଷ ପାଣ୍ଠିରୁ ଟଙ୍କା ବାହାର କରି ହାଟରୁ ଏକ ପୋଢ଼ କିଣାଯାଏ ।
ପୋଢ଼କୁ ସମସ୍ତେ ଘାସ, ପାଳ,କୁଣ୍ଡା ପ୍ରଭୃତି ଖାଇବାକୁ ଦିଅନ୍ତି । ପ୍ରଚୁର ପରିମାଣରେ ଖାଦ୍ୟଖାଇ ପୋଢ଼ଟି ହୃଷ୍ଟ ପୁଷ୍ଟ ହେଇ ଯାଇଥାଏ । କେତେକ ଲୋକ ଜଙ୍ଗଲକୁ ଯାଇ ସେଠାରୁ ଏକ ଶାଳଗଛ ହାଣି ପୂଜା ହେବା ଗାଆଁକୁ ବାଜା ବାଜଣା କରି ଆଣନ୍ତି । ସେହି ଗଛକୁ ଟାଙ୍ଗିଆରେ ଚାଞ୍ଛି ଗୋଲିଆ କରାଯାଏ ଓ ୫/ ୬ଫୁଟ ଦୈର୍ଘ୍ୟ ରଖାଯାଏ।
ପୂଜାସ୍ଥଳୀରେ ଏକ ଗାତକରି ସେଠି ଅଣ୍ଡା , କୁକୁଡ଼ା ,ଅରୁଆ ଚାଉଳ ସିନ୍ଦୁର ଓ ମନ୍ଦାର ଫୁଲ ଦେଇ ପୂଜା କରାଯାଏ । ସେହି ଗାତରେ ଗୋଲେଇ କରା ଯାଇଥିବା କାଠକୁ ପୋତାଯାଏ । ପୋଢ଼ଯାତ୍ରା ହେବାକୁ ଥିବା ୫/୭ ଦିନ ଆଗରୁ ଗାଆଁଲୋକେ ଆସି ପୋଢ଼କୁ ସେହି ଖୁଣ୍ଟରେ ବାନ୍ଧି ଦିଅନ୍ତି ଓ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବାଜା ବଜାଇ ନାଚ ତାମସା କରନ୍ତି ।
ଏହି ନାଚ ଗୀତ ସହିତ ସମସ୍ତେ ମଦ ଖାଇ ମାତାଲ ହୋଇଯାଆନ୍ତି ।ଯେଉଁ ଗାଆଁର ଲୋକେ ନାଚ କରିବାକୁ ଆସିଥାନ୍ତି ସେମାନେ ସେଠି ରନ୍ଧାରନ୍ଧି କରି ଖାଆନ୍ତି ।ଏମିତି ପ୍ରାୟ ରାତି ବାରଟା ଯାଏଁ ନାଚ ଗୀତ ଚାଲେ । ତା’ପରେ ନିଜ ନିଜ ଘରକୁ ଯାଆନ୍ତି । ଶେଷଦିନ ଜାକେରୀର ସବୁ ଲୋକ ଆସି ପୋଢ଼କୁ ହଳଦୀ ପାଣିରେ ଗାଧେଇଦେଇ ପୂଜା କରନ୍ତି । କିଛି ସମୟ ବାଜା ବଜାଇ ନାଚ କରିବା ପରେ ପୋଢ଼ କାଟିବାକୁ ପ୍ରସ୍ତୁତ ହୁଅନ୍ତି ।
ନାଚରେ ପୁରୁଷ ସ୍ତ୍ରୀ ସମସ୍ତେ ସାମିଲ୍ ହୁଅନ୍ତି । କିନ୍ତୁ ପୋଢ଼ କାଟିବା ସମୟରେ କେବଳ ପୁରୁଷମାନେ ହିଁ ଅ°ଶଗ୍ରହଣ କରନ୍ତି । ପୋଢ଼ ଖୁଣ୍ଟରେ ବନ୍ଧା ଯାଇଥିବା ସମୟରେ ହିଁ ଲୋକେ ହାତରେ ଗୋଟିଏ ଗୋଟିଏ ଛୁରୀ ଧରି ପୋଢ଼ଦେହର ମା°ସ କାଟିବାକୁ ଚେଷ୍ଟା କରନ୍ତି ।
ପୋଢ଼ର ମା°ସ କାଟିବା ସମୟରେ ପୋଢ଼ଟି ଡିଆଁ ଡେଇଁ କରେ ଓ ନାତ ମାରେ । ଶିଙ୍ଗରେ ମାରିବାକୁ ଚେଷ୍ଟା କରେ । ସେଥିରେ କେତେକ ଲୋକ ଆହତ ହୁଅନ୍ତି ।ତଥାପି ଅନ୍ୟମାନେ ପୋଢ଼ ଉପରେ ମାଡ଼ି ବସି ତା’ ଦେହରୁ ମା°ସ କାଟନ୍ତି। ସେତେବେଳେ ପୋଢ଼ର ଗଅଁ ଗଅଁ ଶବ୍ଦ ଓ ଲୋକଙ୍କର ଚିତ୍କାର ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ । ଏହି ବିଭତ୍ସ ଦୃଶ୍ୟ ଯେଉଁମାନେ ନିଜ ଆଖିରେ ଦେଖିଛନ୍ତି ସେମାନେ ଅନୁଭବ କରି ପାରିବେ । ପୋଢ଼ ଦେହରୁ ମା°ସ କାଟିଲା ବେଳେ ଲୋକେ ନିଜ ନିଜ ଭିତରେ ଠେଲା ପେଲା ହୁଅନ୍ତି । ଫଳରେ ହାତରେ ଧରିଥିବା ତୀକ୍ଷ୍ଣ ଛୁରୀ ବାଜି କେହି କେହି ଖଣ୍ଡିଆ ଖାବରା ହୁଅନ୍ତି । ପୋଢ଼ ଦେହରୁ ମା°ସ କାଟିଲା ବେଳେ କିଏ ତା’ର କାନ କାଟେ ତ କିଏ ଲାଞ୍ଜ କାଟେ ଓ କିଏ କିଏ ପୋଢ଼ର ମା°ସ କାଟିବାକୁ ସୁଯୋଗ ପାଆନ୍ତି । ଯେଉଁ ଲୋକ ପୋଢ଼ ଦେହରେ ଛୁରୀ ମାରି ତା’ର କଲିଜା କାଟି ଆଣିପାରେ ସେ ସବୁଠାରୁ ବଳୁଆ ବା ଶକ୍ତିଶାଳୀ ବୋଲି ଜଣାଯାଏ । ପ୍ରାଯ ଘଣ୍ଟାଏ ଭିତରେ ପୋଢ଼ ଦେହରୁ ସବୁ ମା°ସ କାଟି କେବଳ ଅସ୍ଥି ପଞ୍ଜରାକୁ ଛାଡ଼ି ଦିଅନ୍ତି । କାଟିଥିବା ମା°ସକୁ ନିଜ ନିଜ ଗାଆଁର ଧରଣୀ ଦେବତା ବା ଧରଣୀପେନୁ ନିକଟରେ ପୂଜା କରିବା ସଙ୍ଗେ ସଙ୍ଗେ ନିଜର ଧାନ କ୍ଷେତରେ କିଛି ପୋତି ଦିଅନ୍ତି ଓ ବଳକା ମା°ସକୁ ଘରେ ରାନ୍ଧି ପରିବାରର ସମସ୍ତେ ବାଣ୍ଟିକୁଣ୍ଟି ଖାଆନ୍ତି ।
ବହୁ ବର୍ଷ ହେଲା ଆଦିବାସୀ କନ୍ଧ ସମାଜରେ ଏହା ପୁରୁଷାନୁକ୍ରମେ ପାଳିତ ହୋଇ ଆସୁଛି ।
ପୋଢ଼ଯାତ୍ରା ଦେଖିସାରି ଦୁହେଁ ସନ୍ଧ୍ୟା ବେଳକୁ ଆସି ବସାରେ ପହଞ୍ଚିଲୁ ।
ବାଲିଗୁଡ଼ା , କନ୍ଧମାଳ