= ଗୁରବେ ନମଃ =
ରବୀନ୍ଦ୍ର କୁମାର ବେହେରା
କଟକ ଷ୍ଟେସନ ରେ ଝିଅ ର ଫେରନ୍ତା ଟ୍ରେନ କୁ ଅପେକ୍ଷା କରି ଠିଆହୋଇଛି କେହି ଜଣେ ଆସି ମୋତେ ଭୂମିଷ୍ଠ ପ୍ରଣାମ କଲା । ଜନାରଣ୍ୟ ଲୋକଙ୍କ ଭିତରୁ କିଏ ଠିଆ ହୋଇଗଲା ତ କିଏ ପ୍ରଶ୍ନିଳ, ଅବାସ୍ତବ ମିଶା ଆଖିରେ କଣେଇ କଣେଇ ଚାହିଁ ଚାଲୁଥିଲା ।
କିଏ ???
ଏତେ ଘଞ୍ଚ ଜଙ୍ଗଲ ରେ କିଏ ଏହି ସଂସ୍କାରିତ ଆର୍ଯ୍ୟ ???
– ଗୁରୁଜୀ ! ମୁଁ ତୀର୍ଥ ।
– ତୀର୍ଥ । ଚିହ୍ନିଗଲି । ସେଇ ଆଖି,ସେଇ ନାକ । ଶରୀର ଗଠନ ର ବେଶ ପରିବର୍ତ୍ତନ । ମୋ ସ୍କୁଲ ର ପିଲା । ଶିଶୁମନ୍ଦିର ପିଲା ।
– କେଉଁଠି ଅଛୁ ?
– ଗୁରୁଜୀ ! ଆଇ.ଏ.ଏସ ପାଇଗଲି । ଗୁଜୁରାଟ ଙ୍କ ଅଧିନ ରେ ସେବା କରୁଛି ।
କୃତିତ୍ୱ ର ମଧୁର ପ୍ରଶ୍ନୋତ୍ତର ପରେ ତୀର୍ଥ ବିଦାୟ ନେଲା ।
ଭାବୁଥିଲି ।
ମହାବାତ୍ୟା ବର୍ଷ ର ଏକ ଶୀତ ସକାଳ ରେ ଫୋନ ଟିଏ ।
– ପୁଅ ଟିକେ ପଢ଼ନ୍ତା ଗୁରୁଜୀ । ଘରକୁ ଟିକେ ଯାଆନ୍ତା ।
– ନା, ନା ହେବନି । ମୋର ସମୟ ନାହିଁ ।
– ଦୟାକରନ୍ତୁ ଗୁରୁଜୀ । ପୁଅ ର ଗଣିତ ଆଉ ବିଜ୍ଞାନ ଟା ହେଉନି ।
– ନ ହେଲେ ମୁଁ କଣ କରିବି ?
ଘରକୁ ସାଧନା ଆସୁଥିଲା ପଢିବାକୁ । ତାକୁ ଘଣ୍ଟାଏ ଜାଗାରେ ଦ୍ଵି ଘଣ୍ଟା ପଢ଼ୁଥିଲି । ସାଧନା ର ବାପା ମୋ ସ୍କୁଲ ସେକ୍ରେଟାରୀ । ପୁଣି ତାଙ୍କ ମାଆ ମୋ ଗୃହିଣୀ ଙ୍କ ସାନ ବେଳର ସାଙ୍ଗ । ଗୁରୁଦିବସ ଦିନ ମୋ ପାଇଁ ପ୍ୟାଣ୍ଟ ସାର୍ଟ କନା,ତାଙ୍କ ପାଇଁ ଶାଢ଼ୀ,କସମେଟିକ ମିଳେ ।
ଆଉ ଏ ପାଞ୍ଚହଜାର ଟଙ୍କା ରୋଜଗାର କରୁଥିବା ପାଇପମିସ୍ତ୍ରୀ ର ପୁଅ ମୋତେ କଣ ଦେବ ? ପଇସା ଦ୍ଵିଟା ଦେବକି ନାହିଁ ତା ବି ସନ୍ଦେହ ।
ବହୁତ ଅନୁନୟ ବିନୟ ପରେ କଥା ଛିଡିଲା କି ତୀର୍ଥ ଆସିବ । ଟେବୁଲ ଚେୟାର ଉପରୁ ଧୂଳି ଝାଡ଼ି ସଫା କରିବ । ପ୍ରତି ରବିବାର ଦିନ ମୋ ଗାଡି ଧୋଇବ । ମୋର ଦ୍ୱିପ୍ରହର ଭୋଜନ ପାଇଁ ମୋ ଘରୁ ସ୍କୁଲ କୁ ଟିଫିନ ନେବ । ମାସ ଶେଷ କୁ ହଜାର ଟଙ୍କା ଦେବ । ଗୋଟିର ଦିନ ବି ବିଳମ୍ବ ହେବନି ।
ତୀର୍ଥ ଭଲ ପଢେ । ତା ପଢ଼ା ରୁ ମୋର କଣ ମିଳିବ । ସେ ମୋର କିଏ କି ? ସାଧନା କୁ ପଢାଏ । ସାଧନା ଖାତା ରେ ଗଣିତ ବୁଝାଏ । ସେ ବେକ କୁ ଉଠାଇ ଆଖି ମିଞ୍ଜିମିଞ୍ଜି କରି ପଢେ ।
ପ୍ରତି ଶନିବାର ପରୀକ୍ଷା ହୁଏ । ତୀର୍ଥ ଠିକ କରିଥିଲେ ବି ତା ମାର୍କ କଟାହୁଏ । ନ ହେଲେ ସାଧନା ର ମାର୍କ ବଢିବ କିପରି ? ତା ମାର୍କ ନ ବଢିଲେ ତା ମାଆ ଫୋନ କରିବ । ଏପଟେ ଗୃହିଣୀ ସଁ ସଁ ହେବେ । ମୁହଁ ଫୁଲାଇବେ । କିଏ ଏତେ ଅଳିଆ ରେ ପଶିବ ?
ମାର୍କ ଦେଖି ତୀର୍ଥ ମନ ଖରାପ କଲେ କାନମୋଡl ଗାଲଚାପୁଡ଼ା ଖାଏ । ସାଧନା ହସେ, ମୁଁ ହସେ ଆଉ ସେ କାନ୍ଦେ । ସେ କାନ୍ଦୁ , ମୂଲିଆ ମଜୁରିଆ ର ପୁଅ କାନ୍ଦିବ ନାହିଁ କଣ ହସିବ ?
ପ୍ରତିମାସ ଶେଷ ବେଳକୁ କୋଡ଼ିଏ ଟଙ୍କିଆ ଆଉ ପଚାଶ ଟଙ୍କିଆ ର ରବର ବନ୍ଧା ବଣ୍ଡଲ ହଜାର ଟଙ୍କା ପହଞ୍ଚି ଯାଏ । ଖୁଚୁରା ପଇସା ଦରକାର । ତାଙ୍କର ଚାର୍ଟ ଗୁପଚୁପ ଖିଆ ରେ ଖର୍ଚ୍ଚ ହେବ ।
ମୋ ଝିଅ ଜନ୍ମଦିନ ମୁଁ ଆଉ ସାଧନା ରସଗୋଲା ଖାଉଛୁ ତୀର୍ଥ ପାଣି ମାଗିଲା ।
– କି ରେ ତିଥିରl , କିଛି ଖାଇ ନାହୁଁ କି ?
– ମାଆ ନ ଥିଲା ଗୁରୁଜୀ ।
-ମିଠା ଖାଇବୁ ?
ଗୃହିଣୀ ବଡ଼ବଡ଼ ଆଖିରେ ଚାହିଁଲେ । ଆସ୍ତେ ଆସ୍ତେ କହିଲେ
– ତାକୁ କାହିଁକି ଦିଆଯିବ ? ସେ କିଏ କି ?
ଛଅ ଦିନ ହେଲା ବାସି ଜିଲାପି ଥିଲା । ତା ଉପରେ ଜନ୍ଦା ଚରିଗଲେଣି । ଦ୍ଵି’ଟା ଜିଲାପି ଆଉ ପ୍ଲାଷ୍ଟିକ ମଗ ରେ ପାଣି ଦିଆଗଲା । ପିଲା ଟା ଏକାଥରେ କେ ପାଟିରେ ପୁରାଇ ଢକ ଢକ କରି ପାଣିମଗ ଟା ଟେକି ଦେଲା ।
ସେଦିନ ସାଧନା ଜଣାଇଦେଲା କି ତୀର୍ଥ ର ବାପା ଆସି ପ୍ରତିଦିନ ତାଙ୍କ ବଗିଚା କାମ କରୁଛନ୍ତି । ମାସକୁ ଦରମା ହଜାର ଟଙ୍କା ।
ମ୍ୟାଟ୍ରିକ ପରୀକ୍ଷା ଆଉ ଆଠ ଦିନଥିଲା ତୀର୍ଥ କୁ କୁହାଗଲା କି ସେ ତା ଘରେ ପାଠ ଅଭ୍ୟାସ କରିବ । ଆଉ ସେ ମାସ ର ଆଠ ଦିନ ର ଦରମା ଦୁଇଶହ ପଚାଶ ଟଙ୍କା ଆଣି ଯଥାଶୀଘ୍ର ପୈଠ କରିବ । ପଇସା ମିଳିଲା । ଆଉ ତା ସହିତ ମୋର ଦେଖା ସାକ୍ଷାତ ଖୋଜ ଖବର କିଛି ନାହିଁ ।
ଏହା ଭିତରେ ସାଧନା ର ବାହାଘର ସରିଛି । ସେ ଦିନ ବାଲିଯାତ୍ରା ରେ କିଛିଭଦ୍ରମହିଳା ଙ୍କ ସହ କଥା ହେଉଥିବା ବେଳେ ଗୃହିଣୀ ଚିହ୍ନିପାରି ଡାକିଲେ ।
-ସାଧନା ! ସାଧନା !
ହଠାତ ସାଧନା ଉତକ୍ଷିପ୍ତ ହୋଇ କହିଉଠିଲା..
– ସାଧନା କଣ ? ସାଧନା ମାଡାମ ଡାକିପାରୁନ । ତୁମ ବାପା ମାଆ ତୁମକୁ ଏହି ଭଦ୍ରାମୀ ଶିଖାଇଛନ୍ତି ?
ନଡ଼ିଆ କତା ଆଉ ତା ସଢେଇ କୁ କାମୁଡି କାମୁଡି ମୋ ପରି ମୂର୍ଖ ଶିକ୍ଷକ ଜଣେ କଣ ଜାଣିଥିଲା ସେଇ ଅଖାଦ୍ୟ ତଳେ ମଧୁରୀମା ର ଶୁଭ୍ରଧବଳ ଅମୃତ ଆଉ ଶାଶ୍ୱତମିଷ୍ଟ ଗଙ୍ଗାଜଳ ର ପୋଷାକ ଅଛିବୋଲି ? କେବଳ ଏହି ଶସ୍ତା ସହଜ ଜାମୁ କୋଳି ର ଚାରାବପନ କରି ମୁଁ କେତେ ଭଦ୍ର ମୋ ଛାତ୍ରୀଜଣେ ଶିକ୍ଷୟିତ୍ରୀ ହୋଇ ଜଣାଇଦେଲା ।
ଚାପୋଡ଼ ଖାଇଲା ପରି ମୁହଁ କୁ ଢାଙ୍କି ଗୃହିଣୀ କହିଲେ – ଏବେ ଚାଲ ଘରକୁ ଚାଲିଯିବା ।
ଶିଖରପୁର, କଟକ-୪