ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶୁଭ୍ରାଂଶୁ ଶେଖର ପାଢ଼ୀ ଙ୍କ କବିତା = ଜହ୍ନ ଓ ତାରା

 = ଜହ୍ନ ଓ ତାରା =

          ଶୁଭ୍ରାଂଶୁ ଶେଖର ପାଢ଼ୀ

ସେଦିନ ସନ୍ଧ୍ୟାରେ ଆକାଶ ବକ୍ଷରେ
                 ଦେଖିଲି ବିଚିତ୍ର ଦୃଶ୍ୟ ।
ଜହ୍ନ ତଳେ ତଳେ ଉଜ୍ଜଳ ତାରାଟେ
                 ଦେଉଥିଲା ଖଣ୍ଡି ହସ ।
ଗୋଟିଏ ମୁଦ୍ରାରେ ଅନେକ ସମୟ
                 ରହିଲି ନିରେଖି ଚାହିଁ ।
ଲାଗିଲା ଯେମିତି ସତେ ଶିବ ଶିବା
                 ଛନ୍ତି ଆବିର୍ଭାବ ହୋଇ ।
ଶିବଙ୍କ ମଥାର ଉଜ୍ଜଳ ଚନ୍ଦ୍ରମା
                 ପାର୍ବତୀ ମଥାର ବିନ୍ଦି ।
ଏକତ୍ର ଅଛନ୍ତି ଗୋଟିଏ ମୁଦ୍ରାରେ
                 ହୋଇଛନ୍ତି ଛନ୍ଦାଛନ୍ଦି ।
ପଚାରିଲି ଥରେ କାହିଁକିରେ ଜହ୍ନ
                 ତାରାକୁ ରଖିଛୁ ପାଖେ ।
ଚନ୍ଦ୍ରମା କହିଲା ଆମେ ଦୁହେଁ ପରା
                 ରହିଛୁ ମାଆଙ୍କ ମୁଖେ ।
ପରଦିନ ଗଲି ଦୁର୍ଗାଙ୍କ ମନ୍ଦିର
                 ଦର୍ଶନ କଲି ମାଆଙ୍କୁ ।
ଦେଖିଲି କପାଳେ ଶୋଭା ପାଉଛନ୍ତି
                 ଜହ୍ନ ଏବଂ ତାରାଟିକୁ।
ସେଦିନ ଟିଭିରେ କହୁଥିଲା ସେହି
                 ତାରା ଥିଲା ଶୁକ୍ର ଗ୍ରହ ।
ଭାବିଲି କାହିଁକି ଶୁକ୍ରାଚାର୍ଯ୍ୟଙ୍କର 
                 ଆସିଗଲା ଚନ୍ଦ୍ର ମୋହ !
ଦାନବ ମାନଙ୍କ ଗୁରୁଙ୍କର କେଉଁ
                 କାମ ଦେବତାଙ୍କ ପାଖେ ?
କାହିଁକି ତାହେଲେ ଉଭା ହୋଇଛନ୍ତି
                 ଦେବତା ମାନଙ୍କ ଆଗେ !
 ପ୍ରିୟାକୁ କହିଲି ଦେଖଗୋ ସଜନୀ
                 ତାରା ପାଖେ ଅଛି ଜହ୍ନ ।
ମୋ ପ୍ରିୟା କହିଲା ଏ ଦୁହେଁ ଦୁହିଁଙ୍କୁ
                 ଦେଇଥିବେ କାଳେ ମନ ।
ପ୍ରେମର ବନ୍ଧନେ ବାନ୍ଧି ହୋଇଥିବେ
                 ତେଣୁ ଛନ୍ତି ଏକାଠାରେ ।
ମୁଁ ଯେମିତି ତୁମ ପ୍ରେମରେ ବନ୍ଧା ଗୋ
                 ରହିଛି ତୁମ ପାଖରେ ।
ଆମେ ଦୁହେଁ ହେବା ଜହ୍ନ ଆଉ ତାରା
                 ରହିଥିବା ଆକାଶରେ ।
ମୋ ପାଖରେ ତୁମେ ସଦା ରହିଥିବ
                 ମୁଁ ଥିବି ତୁମ ସାଥିରେ ।
ଜୋଛନା ଢାଳିବା ପୃଥିବୀ ଦେହରେ
                 ମନକୁ କରି ଶୀତଳ ।
ଜଗତ କଲ୍ୟାଣ କରୁଥିବା ସଦା
               ଆମେ ଦୁହେଁ ହୋଇ ମେଳ।
ଆସ ଆଉ ଥରେ ଆମେ ଦୁହେଁ ମିଶି
                  ପ୍ରେମରେ କରିବା ଚୁକ୍ତି ।
ଆକାଶ ବକ୍ଷରେ ଜହ୍ନ ତାରା ହୋଇ
                  ଚାହୁଁଥିବା ସାରା ରାତି ।

  ବୀରମହାରାଜପୁର, ସୁବର୍ଣ୍ଣପୁର

Related posts

ସୁଶ୍ରୀ ଚନ୍ଦ୍ରକଳା ଦେବୀ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା = ପବିତ୍ର ଅକ୍ଷୟ ତୃତୀୟା

Sunil Chandra Nayak

ଅର୍ଜୁନୀ ଚରଣ ବେହେରା ଙ୍କ ଭଜନ= ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ   

Sunil Chandra Nayak

Leave a Comment

error: Content is protected !!