= ଜହ୍ନ ଓ ତାରା =
ଶୁଭ୍ରାଂଶୁ ଶେଖର ପାଢ଼ୀ
ସେଦିନ ସନ୍ଧ୍ୟାରେ ଆକାଶ ବକ୍ଷରେ
ଦେଖିଲି ବିଚିତ୍ର ଦୃଶ୍ୟ ।
ଜହ୍ନ ତଳେ ତଳେ ଉଜ୍ଜଳ ତାରାଟେ
ଦେଉଥିଲା ଖଣ୍ଡି ହସ ।
ଗୋଟିଏ ମୁଦ୍ରାରେ ଅନେକ ସମୟ
ରହିଲି ନିରେଖି ଚାହିଁ ।
ଲାଗିଲା ଯେମିତି ସତେ ଶିବ ଶିବା
ଛନ୍ତି ଆବିର୍ଭାବ ହୋଇ ।
ଶିବଙ୍କ ମଥାର ଉଜ୍ଜଳ ଚନ୍ଦ୍ରମା
ପାର୍ବତୀ ମଥାର ବିନ୍ଦି ।
ଏକତ୍ର ଅଛନ୍ତି ଗୋଟିଏ ମୁଦ୍ରାରେ
ହୋଇଛନ୍ତି ଛନ୍ଦାଛନ୍ଦି ।
ପଚାରିଲି ଥରେ କାହିଁକିରେ ଜହ୍ନ
ତାରାକୁ ରଖିଛୁ ପାଖେ ।
ଚନ୍ଦ୍ରମା କହିଲା ଆମେ ଦୁହେଁ ପରା
ରହିଛୁ ମାଆଙ୍କ ମୁଖେ ।
ପରଦିନ ଗଲି ଦୁର୍ଗାଙ୍କ ମନ୍ଦିର
ଦର୍ଶନ କଲି ମାଆଙ୍କୁ ।
ଦେଖିଲି କପାଳେ ଶୋଭା ପାଉଛନ୍ତି
ଜହ୍ନ ଏବଂ ତାରାଟିକୁ।
ସେଦିନ ଟିଭିରେ କହୁଥିଲା ସେହି
ତାରା ଥିଲା ଶୁକ୍ର ଗ୍ରହ ।
ଭାବିଲି କାହିଁକି ଶୁକ୍ରାଚାର୍ଯ୍ୟଙ୍କର
ଆସିଗଲା ଚନ୍ଦ୍ର ମୋହ !
ଦାନବ ମାନଙ୍କ ଗୁରୁଙ୍କର କେଉଁ
କାମ ଦେବତାଙ୍କ ପାଖେ ?
କାହିଁକି ତାହେଲେ ଉଭା ହୋଇଛନ୍ତି
ଦେବତା ମାନଙ୍କ ଆଗେ !
ପ୍ରିୟାକୁ କହିଲି ଦେଖଗୋ ସଜନୀ
ତାରା ପାଖେ ଅଛି ଜହ୍ନ ।
ମୋ ପ୍ରିୟା କହିଲା ଏ ଦୁହେଁ ଦୁହିଁଙ୍କୁ
ଦେଇଥିବେ କାଳେ ମନ ।
ପ୍ରେମର ବନ୍ଧନେ ବାନ୍ଧି ହୋଇଥିବେ
ତେଣୁ ଛନ୍ତି ଏକାଠାରେ ।
ମୁଁ ଯେମିତି ତୁମ ପ୍ରେମରେ ବନ୍ଧା ଗୋ
ରହିଛି ତୁମ ପାଖରେ ।
ଆମେ ଦୁହେଁ ହେବା ଜହ୍ନ ଆଉ ତାରା
ରହିଥିବା ଆକାଶରେ ।
ମୋ ପାଖରେ ତୁମେ ସଦା ରହିଥିବ
ମୁଁ ଥିବି ତୁମ ସାଥିରେ ।
ଜୋଛନା ଢାଳିବା ପୃଥିବୀ ଦେହରେ
ମନକୁ କରି ଶୀତଳ ।
ଜଗତ କଲ୍ୟାଣ କରୁଥିବା ସଦା
ଆମେ ଦୁହେଁ ହୋଇ ମେଳ।
ଆସ ଆଉ ଥରେ ଆମେ ଦୁହେଁ ମିଶି
ପ୍ରେମରେ କରିବା ଚୁକ୍ତି ।
ଆକାଶ ବକ୍ଷରେ ଜହ୍ନ ତାରା ହୋଇ
ଚାହୁଁଥିବା ସାରା ରାତି ।
ବୀରମହାରାଜପୁର, ସୁବର୍ଣ୍ଣପୁର