ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ରୀ ଭ୍ରମର ବାଗ ଙ୍କ କବିତା = ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

ଶ୍ରୀ ଭ୍ରମର ବାଗ

କାଉ ବୋଳି ଯାହା ଏବେ ଆମେ ଜାଣୁ
          କାକ ଭୂଷଣ୍ଡୀ ତ ସିଏ,
ପ୍ରଭୁଙ୍କ ମାନବ ରୂପ ଦର୍ଶନର
      ବର ପାଇ ଥିଲା ସିଏ !
ସେ କାକ ଭୂଷଣ୍ଡୀ ପ୍ରଭୁଙ୍କ ଜନମ
        ଜାଣିଲା ନବମୀ ଦିନ,
ପ୍ରଭୁଙ୍କ ଦର୍ଶନ କରି ପହଞ୍ଚିଲା
         ବଶିଷ୍ଠଙ୍କ ସନ୍ନିଧାନ !
ବଶିଷ୍ଠଙ୍କୁ କହେ ଆହେ ବ୍ରହ୍ମଋଷି
         ହୋଇଗଲି ମୁହିଁ ଧନ୍ୟ,
ସ୍ୱୟଂ ଭଗବାନ ମାନବ ରୂପରେ
          ପାଇ କରି ଦରଶନ !
ହେ ମହର୍ଷି ମୋତେ ପିତୃ କର୍ମ କାଳେ
         ସର୍ବେ କରନ୍ତି ସ୍ମରଣ,
ତା’ ବିନୁ ସଭିଏଁ ସମସ୍ତ କାଳରେ
       ମଣନ୍ତି ମୋତେ ତ ଘୃଣ୍ୟ !
ହେ ମହର୍ଷି ପ୍ରଭୁ ବୈକୁଣ୍ଠେ ଥାଇବି
        କରି ପାରନ୍ତି ଯେ’ କର୍ମ,
ସେହି ମହାପ୍ରଭୁ ଏମନ୍ତ ସମୟେ
       କି କାରଣେ ହେଲେ ଜନ୍ମ !
ତାଙ୍କ ଭକ୍ତ ଯେବେ ମାନବ ରୂପରେ
       ତାଙ୍କ କଷ୍ଟ ଭୋଗ ଦେଖି,
କେଉଁ ହୃଦୟରେ ସହ୍ୟ କରୁଥିବେ
        ଦେଖି ଦେଖି ଦୁଇ ଆଖି !
ବଶିଷ୍ଠ କହିଲେ ହେ କାକ ଭୂଷଣ୍ଡୀ
        ଧ୍ୟାନେ ଶୁଣ ମୋର ବାଣୀ !
ମଣିଷ ତାହାର ମର୍ଯ୍ୟାଦା ଭୁଲିକି
        ଧରିଛି ମନ୍ଦ ସରଣୀ !
ଦୁଃଖ ଓ ଭୟରେ ମଣିଷ ସମାଜ
        ହୁଏ ଧିରେ ଅଗ୍ରସର,
ସମ୍ପ୍ରତି ଧରମ ରୂପ ଧରିଲାଣି
         ଅୟସ ଆଡମ୍ବରର !
ସୁଖର ଲାଳସେ ଭ୍ରମରେ ବନ୍ଧନ
      ହେବାରେ ଲାଗେ ମଣିଷ,
 ପ୍ରତିକୂଳ ପରିସ୍ଥିତିକୁ ନସହି
       ଜୀବନ ମଣେ ଦୁର୍ବିସ !
ପରିସ୍ଥିତି ଯେଉଁ ଭଳି ହେଲେ ହେଉ
        ସଂକଳ୍ପେ ଜଣେ ମଣିଷ,
ଆଦର୍ଶର ପୂର୍ଣ୍ଣ ଜୀବନ ବଞ୍ଚିଲେ
        ଅସମ୍ଭବ ନାହିଁ ଲେଶ !
ମଣିଷ ଏ କଥା ସେ ବେଳେ ବୁଝିବ
    ଯେବେ କେ’ ଜଣେ ମାନବ,
ନିଜେ ଦୁଃଖେ ଥାଇ ଆଦର୍ଶ ଜୀବନ
        ବଞ୍ଚିକି ଦେଖେଇ ଦେବ !
ସେଥିପାଇଁ ପ୍ରଭୁ ସ୍ୱୟଂ ନର ରୂପେ
         ହୋଇ ରାମ ଅବତାର,
ପରିସ୍ଥିତି ଯେତେ କଠିନ ଜଟିଳ
       ହେଲେ ହେଁ ଚଳିବ ନର !
ଏହି ଶିକ୍ଷା ପୃଥ୍ଵୀବାସୀଙ୍କୁ ପ୍ରଦାନେ
       ଜନମ ଏ ଧରା ଧାମେ,
ସପ୍ତ ଅବତାରେ ମାନବ ରୂପରେ
       ବିଜେ ଅଯୋଧ୍ୟା ଭୁବନେ !
ହେ କାକ ଭୂଷଣ୍ଡୀ ପୂର୍ଣ୍ଣ ଅଙ୍କ ନବ
       ଏ ତିଥି ନବମୀ ଦିନେ,
ଯେ’ ଉଦ୍ଧେଶ୍ୟେ ରାମ ଜନ୍ମ ଲଭି ଥିଲେ
        ହେଜ ବୁଝ ଏବେ ମନେ,
ଭୂଷଣ୍ଡୀ କହଇ ଆହେ ବ୍ରହ୍ମ ଋଷି
         ଶୁଣି ରାମ ଜନ୍ମ ଅର୍ଥ,
ସାର୍ଥକ ହୋଇଲା ଜୀବନ ମୋହର
         ହୋଇଗଲି ମୁଁ କୃତାର୍ଥ !

କୋଦୋବେଡ଼ା, ସିନାପାଲି,

ଜିଲ୍ଲା – ନୂଆପଡ଼ା

 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା // ଶିବରାତ୍ରି

Sunil Chandra Nayak

ମିନତି ଦାସ ଙ୍କ କବିତା __ ଶୀତ __

Sunil Chandra Nayak

ହୃଷିକେଶ ଜାଲି ଙ୍କ କବିତା // ଉର୍ବର

Sunil Chandra Nayak

Leave a Comment

error: Content is protected !!