ଶ୍ରୀରାମ ନବମୀ
ଶ୍ରୀ ଭ୍ରମର ବାଗ
କାଉ ବୋଳି ଯାହା ଏବେ ଆମେ ଜାଣୁ
କାକ ଭୂଷଣ୍ଡୀ ତ ସିଏ,
ପ୍ରଭୁଙ୍କ ମାନବ ରୂପ ଦର୍ଶନର
ବର ପାଇ ଥିଲା ସିଏ !
ସେ କାକ ଭୂଷଣ୍ଡୀ ପ୍ରଭୁଙ୍କ ଜନମ
ଜାଣିଲା ନବମୀ ଦିନ,
ପ୍ରଭୁଙ୍କ ଦର୍ଶନ କରି ପହଞ୍ଚିଲା
ବଶିଷ୍ଠଙ୍କ ସନ୍ନିଧାନ !
ବଶିଷ୍ଠଙ୍କୁ କହେ ଆହେ ବ୍ରହ୍ମଋଷି
ହୋଇଗଲି ମୁହିଁ ଧନ୍ୟ,
ସ୍ୱୟଂ ଭଗବାନ ମାନବ ରୂପରେ
ପାଇ କରି ଦରଶନ !
ହେ ମହର୍ଷି ମୋତେ ପିତୃ କର୍ମ କାଳେ
ସର୍ବେ କରନ୍ତି ସ୍ମରଣ,
ତା’ ବିନୁ ସଭିଏଁ ସମସ୍ତ କାଳରେ
ମଣନ୍ତି ମୋତେ ତ ଘୃଣ୍ୟ !
ହେ ମହର୍ଷି ପ୍ରଭୁ ବୈକୁଣ୍ଠେ ଥାଇବି
କରି ପାରନ୍ତି ଯେ’ କର୍ମ,
ସେହି ମହାପ୍ରଭୁ ଏମନ୍ତ ସମୟେ
କି କାରଣେ ହେଲେ ଜନ୍ମ !
ତାଙ୍କ ଭକ୍ତ ଯେବେ ମାନବ ରୂପରେ
ତାଙ୍କ କଷ୍ଟ ଭୋଗ ଦେଖି,
କେଉଁ ହୃଦୟରେ ସହ୍ୟ କରୁଥିବେ
ଦେଖି ଦେଖି ଦୁଇ ଆଖି !
ବଶିଷ୍ଠ କହିଲେ ହେ କାକ ଭୂଷଣ୍ଡୀ
ଧ୍ୟାନେ ଶୁଣ ମୋର ବାଣୀ !
ମଣିଷ ତାହାର ମର୍ଯ୍ୟାଦା ଭୁଲିକି
ଧରିଛି ମନ୍ଦ ସରଣୀ !
ଦୁଃଖ ଓ ଭୟରେ ମଣିଷ ସମାଜ
ହୁଏ ଧିରେ ଅଗ୍ରସର,
ସମ୍ପ୍ରତି ଧରମ ରୂପ ଧରିଲାଣି
ଅୟସ ଆଡମ୍ବରର !
ସୁଖର ଲାଳସେ ଭ୍ରମରେ ବନ୍ଧନ
ହେବାରେ ଲାଗେ ମଣିଷ,
ପ୍ରତିକୂଳ ପରିସ୍ଥିତିକୁ ନସହି
ଜୀବନ ମଣେ ଦୁର୍ବିସ !
ପରିସ୍ଥିତି ଯେଉଁ ଭଳି ହେଲେ ହେଉ
ସଂକଳ୍ପେ ଜଣେ ମଣିଷ,
ଆଦର୍ଶର ପୂର୍ଣ୍ଣ ଜୀବନ ବଞ୍ଚିଲେ
ଅସମ୍ଭବ ନାହିଁ ଲେଶ !
ମଣିଷ ଏ କଥା ସେ ବେଳେ ବୁଝିବ
ଯେବେ କେ’ ଜଣେ ମାନବ,
ନିଜେ ଦୁଃଖେ ଥାଇ ଆଦର୍ଶ ଜୀବନ
ବଞ୍ଚିକି ଦେଖେଇ ଦେବ !
ସେଥିପାଇଁ ପ୍ରଭୁ ସ୍ୱୟଂ ନର ରୂପେ
ହୋଇ ରାମ ଅବତାର,
ପରିସ୍ଥିତି ଯେତେ କଠିନ ଜଟିଳ
ହେଲେ ହେଁ ଚଳିବ ନର !
ଏହି ଶିକ୍ଷା ପୃଥ୍ଵୀବାସୀଙ୍କୁ ପ୍ରଦାନେ
ଜନମ ଏ ଧରା ଧାମେ,
ସପ୍ତ ଅବତାରେ ମାନବ ରୂପରେ
ବିଜେ ଅଯୋଧ୍ୟା ଭୁବନେ !
ହେ କାକ ଭୂଷଣ୍ଡୀ ପୂର୍ଣ୍ଣ ଅଙ୍କ ନବ
ଏ ତିଥି ନବମୀ ଦିନେ,
ଯେ’ ଉଦ୍ଧେଶ୍ୟେ ରାମ ଜନ୍ମ ଲଭି ଥିଲେ
ହେଜ ବୁଝ ଏବେ ମନେ,
ଭୂଷଣ୍ଡୀ କହଇ ଆହେ ବ୍ରହ୍ମ ଋଷି
ଶୁଣି ରାମ ଜନ୍ମ ଅର୍ଥ,
ସାର୍ଥକ ହୋଇଲା ଜୀବନ ମୋହର
ହୋଇଗଲି ମୁଁ କୃତାର୍ଥ !
କୋଦୋବେଡ଼ା, ସିନାପାଲି,
ଜିଲ୍ଲା – ନୂଆପଡ଼ା