ଅବୁଝା ପ୍ରେମର ଭାଷା—–,
କେତେବେଳେ ତୁମେ କରିଦିଅ ମୋତେ
ଗଙ୍ଗ ଶିଉଳିର ଫୁଲ,
ପ୍ରୀତିର ଧାମରେ ବସାଇଣ ମୋତେ
ଦିଅ ଯେ ଅମୂଲ ମୂଲ।।
କେତେ ଭଲପାଅ ବୁଝି ମୁଁ ପାରେନା
କେତେ ନାମେ ଡାକୁ ଥାଅ,
ପ୍ରୀତିପର୍ଣ୍ଣା ଗୋଟି ମନକୁ ପାଏ ମୋ
ଯେତେ ନାମେ ମୋତେ କୁହ।।
କୋଜାଗର ଚାନ୍ଦ କରିଦିଅ କ୍ଷଣେ
କଳ୍ପନା ରାଜ୍ୟରେ ନେଇ,
ବନ୍ଦୀ କରିଦିଅ ତୁମ ପ୍ରେମ ଫାଶେ
ସପନ ବଣିକ ହୋଇ।।
ଟିକେ ଦୂର ହେଲେ ଯୋଜନ ଦୂରତା
ମାପିଚାଲ ବସି ବସି,
ମାଳତୀ ଲତା ମୁଁ ଆଶ୍ରୟ ଖୋଜଇ
ତୁମରି ବକ୍ଷରେ ଆସି।।
ଯାଦୁଗର ଭଳି ଯାଦୁରେ ତୁମର
ବଶୀଭୂତ କରିପାର,
ପୁଣି କେତେବେଳେ ଛୋଟପିଲା ପରି
ଅଝଟିଆ ହୋଇପାର।।
କେଉଁଠି ଥୋଇବି ଏତେ ପ୍ରେମକୁ ମୁଁ
ଉବୁଟୁବୁ ହେଉଥାଏ,
ଆଖିର ପଲକ ପଡେନିତ ମୋର
ଯେବେ ତୁମ ବାଟ ଚାହେଁ।।
ଅସରା ପ୍ରୀତିର ପସରା ମେଲାଇ
ମୋତେ ଧରିନିଅ କୋଳେ,
କୁନିଝିଅ ପରି ନିଦ ଆସିଯାଏ
ତୁମରି ଗୀତର ତାଳେ।
ଚିତ୍ରା ରାଣୀ ପାତ୍ର
ବାଲେଶ୍ୱର