ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା  = ରାବଣ ବଧ =

   = ରାବଣ ବଧ =

       ଅପର୍ତ୍ତି ସେଠୀ

          (ରମ୍ୟ ରଚନା) 
ହଚ‌ଚ‌ଇ ଆଜି କରିବରେ ଭାଇ
    ପେଣ୍ଡାଲ ଫଟେଇ ଦେବ,
ଆଜି ଶେଷ ରାତି ଗାଁ ରାମଲୀଳା
    ରାବଣର ବଧ ହେବ।
ଆମ ଗାଆଁ ସୁର ବଡ଼ କଳାକାର
     ରାବଣ ରୋଲ୍ କରିଛି,
ହେଲେ କ’ଣ ହେବ ଡ୍ରାମା କରିବାକୁ
      ଟଙ୍କା ଡିମାଣ୍ଡ କରୁଛି।
ମାଇକି ପ୍ରଚାର ଗାଆଁ କମ୍ପୁଅଛି
       ମନ ମୋ ଉଚ୍ଛନ୍ନ ହେଲା,
ଦିନ ସରିଗଲା ରାତି ଏଗାରରେ
        ମିଉଜିକ୍ ଶୁଭିଗଲା।
ଆମେ ସ୍ବାମୀ ସ୍ତ୍ରୀ ମଶିଣା ଧରିକି
        ଗଲୁ ରାମଲୀଳା ଦେଖି,
ଶହଶହ ଲୋକ କମ୍ପମାନ ମଞ୍ଚ
        ଆଖି ଗଲା ଆମ ଲାଖି।
ସେତୁବନ୍ଧ ଗଲା, କୁମ୍ଭକର୍ଣ୍ଣ ମଲା
        ମୂଖ୍ୟ ଦୃଶ୍ୟ ରହିଗଲା,
ଆମ ସମସ୍ତଙ୍କ ମନଟି ଯାଇକି
        ରାବଣ ପାଖେ ରହିଲା।
ରାତି ପାହି ପାହି ଆସିଲା ବେଳକୁ
       ରାମ କୋଦଣ୍ଡ ଧରିଲେ,
ରାବଣ ପଛରେ ଗୋଡାଇ ଗୋଡ଼ାଇ
       ପେଣ୍ଡାଲରେ ପହଞ୍ଚିଲେ।
ହସୁଛି ରାବଣ ବିକଟାଳ ଶବ୍ଦ
       ଷ୍ଟେଏଜ୍ ଯାଉଛି କମ୍ପି,
ରାବଣ ଆମର ସ୍ଥିର ରହୁନାହିଁ
       ଖାଲି ସିଏ ଦ‌ଉଡୁଛି।
ମୂଖ୍ୟ ପେଣ୍ଡାଲରୁ ଡବଲ ପେଣ୍ଡାଲ
       ଏପଟ ସେପଟ ହୁଏ,
ଆମ ରାମ କିନ୍ତୁ ରାବଣ ପଛରେ
       ଧାଇଁ ନାକେଦମ୍ ହୁଏ।
ରାତି ପାହିଲାଣି ରାବଣ ମରୁନି
       ଲୋକେ କିନ୍ତୁ ଚିଡିଲେଣି,
କ’ଣ ପାଇଁକି ରାବଣ ମରୁନି
       ଘଟଣା ବୁଝି ହେଉନି।
ସକାଳ ଆଠଟା ବାଜିଲାଣି ଆସି
       ରାବଣ ହେଉନି ବଧ,
ରାବଣର ସ୍ତ୍ରୀ ନେଉଳୀ ପୂର୍ବରୁ
       ଶୁଙ୍ଘେଇ ଦେଇଛି ଗଦ।
ବାକି ଟଙ୍କା ସବୁ ନ ପାଇବା ଯାଏ
       କେବେ ତୁ ମରିବୁ ନାହିଁ,
ସେମିତି ମଞ୍ଚରେ ଦ‌ଉଡୁଥିବୁ ତୁ
       ରାମ ହେଉ ଧ‌ଇଁ ସ‌ଇଁ।
ନେଉଳୀ କଥାକୁ ମନେ ରଖି ସୁର
        ନ ମରିକି ଦ‌ଉଡୁଛି,
ମରିଯାରେ ସୁର ଆଉ ଦ‌ଉଡନା
        ରାମ କିନ୍ତୁ କହୁଛନ୍ତି।
ପେଣ୍ଡାଲ କଡରୁ ନେଉଳି କହୁଛି
         ଟଙ୍କା ନ ପାଇବା ଯାଏ,
ଯଦି ତୁ ମରିବୁ ମୋତେ ତୁ ଚିହ୍ନିବୁ
         ଉଡିବ ଛାଞ୍ଚୁଣିଟିଏ।
ଡ୍ରାମା ନିର୍ଦ୍ଦେଶକ ଜାଣି ପାରି ଟଙ୍କା
         ହଜାରେ ରାମଙ୍କୁ ଦେଲେ,
ତୀରର ଅଗରେ ଟଙ୍କା ବାନ୍ଧି ରାମ
         ରାବଣକୁ ବିନ୍ଧିଦେଲେ।
ଟଙ୍କା ଦେଖି ଆମ ବୀର ଦଶାନନ
         ନିର୍ଘାତ ଶବଦେ ମଲା,
ଅପର୍ତ୍ତି କହୁଛି ସେତେବେଳେ ଦିନ
         ଦଶଟା ଯେ ବାଜିଥିଲା।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

Related posts

କବୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକଙ୍କ କବିତା ପୁସ୍ତକ “କଳ୍ପିତ ସ୍ୱପ୍ନ”ବିଷୟରେ କେଇପଦ ପାଠକୀୟ ମତାମତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

Sunil Chandra Nayak

ମହେଶ୍ବର ନାଥ ଙ୍କ କବିତା = ହେ କବି

Sunil Chandra Nayak

Leave a Comment

error: Content is protected !!