ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ନଳିନୀ ପ୍ରଭା ମିଶ୍ର  ଙ୍କ ପ୍ରବନ୍ଧ = ସ୍ଵଭାବ କବି ଗଙ୍ଗାଧର ମେହେର

‌‌ସ୍ଵଭାବ କବି ଗଙ୍ଗାଧର ମେହେର

 

                                  ନଳିନୀ ପ୍ରଭା ମିଶ୍ର 

 

  Gandhar was not only a poet but in his naturies attraction he wrote a lot of poem.

    ଗଙ୍ଗାଧର ମେହେର ଥିଲେ ଜଣେ ସ୍ଵଭାବ କବି। ପ୍ରକୃତି ର ନୈସର୍ଗିକ ଶୋଭା ତାଙ୍କୁ ସବୁବେଳେ ଆକର୍ଷଣ କରି ଆସିଥିଲା,ସେହି ଆକର୍ଷଣ ରୁ ସୃଷ୍ଟି ହୋଇଥିଲା ଅନେକ କାବ୍ୟ ଓ କବିତା।୧୮୬୨ ଅଗଷ୍ଟ ୯ ତାରିଖରେ  ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲିରେ ଏକ ସାଧାରଣ ତନ୍ତୀ ପରିବାର ରେ ଏହି ମହାନ୍ ସାରସ୍ୱତ ସାଧକଙ୍କ ଜନ୍ମ ହୋଇଥିଲା।ପିତା ଚୈତନ୍ୟ ମେହେର ଲୁଗା ବୁଣା କାର୍ଯ୍ୟ ସହିତ ବୈଦ୍ୟ କାର୍ଯ୍ୟ କରୁଥିଲେ ହେଁ ପରିବାର ର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନ ଥିଲା।ଦିନ ବେଳେ ବାପାଙ୍କୁ ଲୁଗା ବୁଣା କାମରେ ସାହାଯ୍ୟ କରି ରାତିରେ ଲେଖନୀ ଚାଳନା କରୁଥିଲେ।ଛୋଟ ବୟସରୁ ସେ ରାମାୟଣ, ମହାଭାରତ ସମେତ ଅନେକ ସଂସ୍କୃତ ପୁସ୍ତକ ପଢି ନିଜ ମହାନ୍ ପ୍ରତିଭା ର ପରିଚୟ ଦେଇଥିଲେ।ନିଜ ସୃଜନୀ ଶକ୍ତି ର ପରାକାଷ୍ଠା ନିକଟରେ ଦାରିଦ୍ର୍ୟତା ହାର ମାନି ଯାଇଥିଲା,ଦାରିଦ୍ର୍ୟ ର କଷାଘାତରେ ନିଷ୍ପେସିତ ହୋଇଯାଇଥିଲେ  ହେଁ ଅଟକି ଯାଇ ନ ଥିଲା କଲମ। ନିଜ ଦାରିଦ୍ର୍ୟତା’ର   କ୍ଷୋଭକୁ ଲେଖନୀ ମାଧ୍ୟମରେ ଚିତ୍ରଣ କରିଥିଲେ

“ଦାରିଦ୍ର୍ୟତା ପଙ୍କେ ପୂର୍ଣ୍ଣ ମୋ ଜୀବନ ସର

ସଂସାର ଜଳଦ ଭରି ଆବିଳ ଉଦର”।

   ତାଙ୍କ କବିତା ଗୁଡ଼ିକରେ ଥିଲା ପ୍ରକୃତି ଚିତ୍ରଣ,ଜାତି ପ୍ରେମ, ମାତୃଭୂମି ଓ ମାତୃଭାଷା ପ୍ରତି ଅଗାଧ ପ୍ରୀତି।

 ” ରସ ରତ୍ନାକର ” ଗଙ୍ଗାଧର ଙ୍କ ପ୍ରଥମ କାବ୍ୟ।ପରେ ଆଧୁନିକ ଶୈଳୀରେ”ଇନ୍ଦୁମତୀ” ରଚନା କରିଥିଲେ।”ଅହଲ୍ୟା ସ୍ତବ”,”ଉତ୍କଳ ଲକ୍ଷ୍ମୀ “,”କୀଚକ ବଧ”,”ତପସ୍ଵିନୀ “”ପ୍ରଣୟ ବଲ୍ଲରୀ “, ଅର୍ଘ୍ୟ ଥାଳି””କବିତା କଲ୍ଲୋଳ”, ପଦ୍ମିନୀ ” ଆଦି ଗଙ୍ଗାଧର ଙ୍କର କେତେକ ଅମୂଲ୍ୟ ରଚନା ବଳୀ।”ତପସ୍ଵିନୀ”କାବ୍ୟ ରେ ସତୀ ସୀତାଙ୍କର ନିର୍ବାସିତ କାଳୀନ ଅବସ୍ଥା ରେ ବାଲ୍ମିକୀ ମୁନିଙ୍କ ଆଶ୍ରମରେ ରହିଥିବା ସମୟରେ ପ୍ରଭାତ କାଳୀନ ଦୃଶ୍ୟ ର ଯେଉଁ ପ୍ରକୃତି ଚିତ୍ରଣ କରିଯାଇଛନ୍ତି ତାହା ସମଗ୍ର ସାହିତ୍ୟିକ ଜଗତରେ ବିରଳ।

  “ମଙ୍କଳେ ଅଇଲା ଉଷା ବିକଚ ରାଜୀବ ଦୃଶା ଜାନକୀ ଦର୍ଶନ ତୃଷା ହୃଦୟେ ବ‌ହି

କର ପଲ୍ଲବେ ନିହାର ମୁକ୍ତା ଧରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି

କଳ କଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ରାତି ପାହିଲା।

   ପ୍ରଭାତ ର ଅବ୍ୟବହିତ ପୂର୍ବରୁ ଉଷା ର ଆଗମନ ,ପତ୍ର ର କର ରେ ପତିତ ନିହାର ବିନ୍ଦୁର ଉପହାର ଧରି ସତୀ ସୀତାଙ୍କର କୁଟୀର ବାହାର ପ୍ରାଙ୍ଗଣରେ ସୀତାଙ୍କ ଦର୍ଶନାଭିଳାଷୀ ପ୍ରକୃତି ଯେପରି ଦଣ୍ଡାୟମାନ ହୋଇଛି,କୋକିଳ ମଧୁ ସ୍ଵନରେ ପ୍ରଭାତର ଆଗମନ  ବାର୍ତ୍ତା ଦେଇ ଦର୍ଶନ ଦେବା ପାଇଁ ସତେ ଯେପରି ସୀତାଙ୍କୁ ଜଣାଇଛି।

   କବିତା ର ଶବ୍ଦ ଭିତରେ ପ୍ରକୃତି ଚିତ୍ରଣର ସମନ୍ବୟ,କବିଙ୍କ ନିଛକ ପ୍ରକୃତି ପ୍ରେମର ସ୍ଵକୀୟ ବାର୍ତ୍ତା ବହନ କରୁଛି।ସେହିପରି “କୀଚକ ବଧ” କାବ୍ୟ ହେଉଛି ଗଙ୍ଗାଧର ଙ୍କର ଏକ ଅପୂର୍ବ ସୃଷ୍ଟି। ମହାଭାରତ ଉପରେ ଆଧାରିତ ଏକ ଶିକ୍ଷା ପ୍ରଦ ଆଖ୍ୟାନ ବର୍ଣ୍ଣିତ।ଏହା ପ୍ରଥମରୁ ସପ୍ତମ ସର୍ଗ ଯାଏ ବର୍ଣ୍ଣିତ।

  ପାଣ୍ଡବ ମାନଙ୍କ ଅଜ୍ଞାତ ବନବାସ ସମୟରେ ବିରାଟ ରାଜାଙ୍କର ନବରରେ ଛଦ୍ମବେଶ ରେ ରହୁଥିଲେ। ବିରାଟ ରାଜାଙ୍କର କାମୁକ ଦୃଷ୍ଟି ଦ୍ରୋୗପଦୀ ଉପରେ ପଡ଼ିଛି ।କବିଙ୍କ ଲେଖନୀରୁ ଝରି ପଡ଼ିଛି କାମୁକ ମାନସ କୀଚକର ଭାବନା।

  ” ଭାଗ୍ୟ କଥା ସିନା ହେବାର ଏଭଳି ଲୋକ କୋଳ ପ୍ରଣୟିନୀ

ବିଭାବସୁ କର ସୁଖ ମାଧୁରିମା ଜାଣି ପାରେ କମଳିନୀ”।

“ଆଉ ଏକ କଥା ସୁନ୍ଦରୀ ଲୋଡଇ ସଦା ପରାକ୍ରମ ଶାଳୀ

ପଣ କରି ସୀତା ଶ୍ରୀରାମେ ଅର୍ଜ୍ଜନେ ବାଛିଲେ ଦ୍ରୌପଦୀ ବାଳୀ।

   ସେହିପରି ଅର୍ଘ୍ୟ ଥାଳି ପୁସ୍ତକରୁ ସଂଗୃହିତ “ଉଦବୋଧନ”କବିତାରେ ସେ ସମୟର ଦୂରାବସ୍ଥା କୁ ଦେଖି ଦେଶ ବାସୀଙ୍କ ମଧ୍ୟରେ ଚେତନା ଆଣିବାକୁ ଜାଗରଣ ସୃଷ୍ଟି ନିମିତ୍ତ ଏହା ଏକ ସାର୍ଥକ କବିତା।

  କବିଙ୍କ ପ୍ରାଣରେ ନିଜ ମାତୃଭାଷା ପ୍ରୀତି ର ଯେଉଁ ମନ୍ଦାକିନୀ ଧାରା ପ୍ରବାହିତ ହୋଇଛି ତାକୁ ଯଥାର୍ଥ ରୁପ ଦେଇଛନ୍ତି କବିତା ମାଧ୍ୟମରେ।

 ” ଉଚ୍ଚ ହେବା ପାଇଁ କର ଯେଵେ ଆଶା

ଉଚ୍ଚ କର ଆଗେ ନିଜ ମାତୃଭାଷା”।

“ମାତୃ ଭୂମି ମାତୃଭାଷା ର ବଦନ

ଦୀପ୍ତ କର ଦେଇ ଧନ ଧ୍ୟାନ ମନ”।

“ମାତୃଭୂମି ମାତୃ ଭୂମି ର ମମତା ଯା ହୃଦେ ଜନମି ନାହିଁ।

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ “।

  ବାସ୍ତବରେ କବି ଙ୍କର ଉକ୍ତି କେତେ ଯେ ପ୍ରଣିଧାନ ଯୋଗ୍ୟ ତାହା ଆଜି ଆମେ ହୃଦୟଙ୍ଗମ କରିବା ଉଚିତ।ଆଜି ଆମ ଭିତରେ ମଧ୍ୟ ଓଡ଼ିଆ ଲେଖିବା ,ପଢ଼ିବା ,କହିବା ପାଇଁ କୁଣ୍ଠା ବୋଧ ଦେଖା ଦେଉଛି।  

 ଗଙ୍ଗାଧରଙ୍କ ର ସମଗ୍ର କୃତିକୁ ବ୍ୟାଖ୍ୟା କରିବା ପାଇଁ ସମୟ ଏବଂ ସାମର୍ଥ୍ୟ ଅଭାବରୁ କିୟଦଂଶ ପାଠକ ମାନଙ୍କ ଆଗରେ ଉପସ୍ଥାପିତ କରିଛି।ଆଜିର ଦିନରେ ଏହି ମହାନ୍ ସାଧକଙ୍କ ତିରୋଧାନ ହୋଇଥିଲା।

ଏହି ମହାନ୍ କବିଙ୍କ ପ୍ରତି ଆମ ଓଡ଼ିଶା ର ସମଗ୍ର ଓଡ଼ିଆ ବାସୀଙ୍କ ଶୁଦ୍ଧ ପୂତ ଶ୍ରଦ୍ଧାଞ୍ଜଳି।

      ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଆଜି ଦିବସର ଅନୁଚିନ୍ତା: ୨୩ ଫେବୃୟାରୀ

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ଜାନୁୟାରୀ ୨୮ : ଐତିହାସିକ ସ୍ମୃତି, ସମୟର ସାକ୍ଷୀ

Sunil Chandra Nayak

ଯୋଗଜନ୍ମା ପୁରୁଷ -” ଗଡଜାତ ଗାନ୍ଧୀ ” ସାରଙ୍ଗଧର “

Sunil Chandra Nayak

Leave a Comment

error: Content is protected !!