ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଶୁରାମ ଜୟନ୍ତୀ ବ୍ୟକ୍ତି କେନ୍ଦ୍ରୀକ ହେବା ବ୍ରାହ୍ମଣ ସମାଜ ପାଇଁ ଶୁଭଙ୍କର ନୁହେଁ

କଳାହାଣ୍ଡି ତା,୧୮.୦୪.୨୦୨୩ //ପୌରାଣିକ ବର୍ଣ୍ଣନା ଅନୁଯାୟୀ ବିଷ୍ଣୁଙ୍କର ଷଷ୍ଠ ଅବତାର ଥିଲେ ପର୍ଶୁରାମ । ସେ ଯୁଦ୍ଧ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା ତାହାର ସଂହାର ପାଇଁ ଭଗବାନ ବିଷ୍ଣୁ ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେଇଥିଲେ । ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁ କୀଳନ ରକ୍ଷା କରିଥିବା ତଥା ଭୀଷ୍ମ, ଦ୍ରୋଣାଚାର୍ଯ୍ୟ,କର୍ଣ୍ଣ ଆଦି ମହା ଯୋଦ୍ଧାଙ୍କର ଗୁରୁ ମଧ୍ୟ ଥିବା ପୁରାଣରେ ବର୍ଣ୍ଣିତ ହୋଇଛି । ବର୍ତ୍ତମାନ ଏହି ଯୁଗରେ ବ୍ରାହ୍ମଣ ସମାଜ ତାଙ୍କର ବଂଶଧର ବୋଲି ଦାବି କରନ୍ତି । ଏହି ଅବସରରେ ଭଗବାନ ପର୍ଶୁରାମଙ୍କର ଜୟନ୍ତୀ ଆଗାମୀ ଅପ୍ରେଲ ୨୨ତାରିଖ ଦିନ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।

କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ମଧ୍ୟ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି ହେଉଛି । କିନ୍ତୁ ଘରେ ନପଶୁଣୁ ଚାଳ ବାଜିଲାଣି । ଅଭିଯୋଗ ଅନୁଯାୟୀ ଧର୍ମଗଡ ଉପଖଣ୍ଡର ବ୍ରାହ୍ମଣ ସମାଜ କୁ ହାତ ମୁଠାରେ ରଖି ପରିଚାଳନା କରୁଥିବାର ଦାବି କରୁଥିବା ପଦବୀ ଧାରୀଙ୍କ ଇଙ୍ଗିତରେ ଭବାନିପାଟଣାସ୍ଥ କଳାହାଣ୍ଡି ବ୍ରାହ୍ମଣ ସମାଜ ର ନିର୍ଦ୍ଦେଶ କ୍ରମେ ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ଗଠନ କରାଯାଇଛି । ସେମାନଙ୍କୁ ସୁହାଇବା ଭଳି କର୍ମକର୍ତ୍ତା ନିଯୁକ୍ତି କରି ସେମାନଙ୍କ ମାଧ୍ୟମରେ ବ୍ରାହ୍ମଣ ସମାଜ ନାମରେ ପର୍ଶୁରାମ ଜୟନ୍ତୀ ପାଳନ କରାଯାଉଥିବା କୁହା ଯାଉଛି । ସାମ୍ପ୍ରତିକ ସ୍ଥିତିରେ ବ୍ରାହ୍ମଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ମଧ୍ୟ ତଥା କଥିତ ଏହି ନେତା ମାନଙ୍କ ନେତୃତ୍ବ ପ୍ରତି କାହାରି ଆସ୍ଥା ନ ଥିବା ଆଲୋଚନା ହେଉଛି । 

  ସମ୍ପ୍ରତି ଦୀର୍ଘ ଦିନରୁ ବ୍ରାହ୍ମଣ ମାନେ ଏକଜୁଟ ହୋଇ ପାରୁ ନଥିବା ବେଳେ ସମସ୍ତ ପ୍ରକାର ଗୋଷ୍ଠୀଗତ ରାଜନୀତିରୁ ବହୁ ଉର୍ଦ୍ଧ୍ବରେ ରହି ସମାଜର ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରିବା ଲକ୍ଷ ନେଇ କିଛି ଦାୟିତ୍ୱବାନ କାର୍ଯ୍ୟକର୍ତ୍ତା କୋଠର ପରିଶ୍ରମ କରିଥିଲେ । କିନ୍ତୁ ୨୦୧୮ ମସିହା ମହାସଭା ହେବାର ଅଳ୍ପ ଦିନ ପୂର୍ବରୁ ଧର୍ମଗଡ ବ୍ଲକ କମିଟି ରେ କର୍ମକର୍ତ୍ତା ଥିବା ଏହି ପଦବୀ ଆଶାୟୀ ବ୍ୟକ୍ତି ମାନେ ବ୍ଲକ କମିଟି ମିଟିଂ ରେ ଉପଖଣ୍ଡ କମିଟି କୁ ଭାଙ୍ଗି ଦେଇ ସଂଗଠନ କୁ ହାଇଜାକ କରି ନେଇଥିଲେ । ଏହି ପରିସ୍ଥିତିରେ ଯେମିତି ହେଉ ମହାସଭା ହୋଇଯାଉ ବୋଲି ସମସ୍ତେ ନୀରବ ସମର୍ଥନ ଦେଇଥିବା ଦେଖା ଯାଇଥିଲା । ପରବର୍ତ୍ତୀ ସମୟରେ ଭବାନୀପାଟଣା ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସ୍ତରର ବ୍ରାହ୍ମଣ ସମାଜ ଗଠନ ହେବା ସମୟରେ ସେହି ପଦବୀ ଆଶାୟୀ ମାନେ ନିଜ ହାତ ମୁଠାରେ ଧର୍ମଗଡ ଉପଖଣ୍ଡ ସମାଜ ପରିଚାଳିତ ହେଉଥିବା ଦର୍ଶାଇ ନିଜେ ନିଜେ ପଦବୀ ହାସଲ କଲେ ଏବଂ ନିଜ ପସନ୍ଦ ମୁତାବକ ଲୋକଙ୍କୁ ସାମିଲ କରିନେଲେ । ଯାହା ଫଳରେ କୋକସରା, ଜୟପାଟଣା, କେସିଙ୍ଗା ବ୍ଲକ ତଥା ଚାରବାହାଲ ଆଦି ଅଞ୍ଚଳରେ ସ୍ବତନ୍ତ୍ର ବ୍ରାହ୍ମଣ ସମାଜ ଗଠନ କରି ସରକାରଙ୍କ ଠାରେ ପଞ୍ଜୀକୃତ କରିଥିବାର ଜଣାପଡିଛି । ଏପରିକି ଧର୍ମଗଡ଼ ଠାରେ ସ୍ବତନ୍ତ୍ର ଭାବେ ପର୍ଶୁରାମ ସେନା ଗଠନ କରାଯାଇ ବିଭୀନ୍ନ କାର୍ଯ୍ୟକ୍ରମ କରୁଥିବାର ଦେଖା ଯାଉଛି । ଦୁଇ ବର୍ଷ ପାଇଁ କଳାହାଣ୍ଡି ବ୍ରାହ୍ମଣ ସମାଜ ଗଠନ କରାଯାଇ ଥିବା କୁହା ଯାଉଥିବା ବେଳେ ଅଦ୍ୟାବଧି କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାରକୁ ଏଥିରେ ସାମିଲ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଅତୀତରେ ଉପଖଣ୍ଡ କମିଟିକୁ ଉଦ୍ଦେଶ୍ୟ ମୂଳକ ଭାବେ ହାଇଯାକ କରିଥିବା ସେହି ପଦବୀ ଆଶାୟୀ ବ୍ୟକ୍ତି ବିଶେଷ ମାନେ ୨୦୧୮- ମହାସଭା ର ଆୟ ବ୍ୟୟ ହିସାବ ଅଦ୍ୟାବଧି ଦେଇ ନଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ସେମାନଙ୍କ ଇଙ୍ଗିତରେ ସେମାନଙ୍କ ଦ୍ବାରା ନିଯୁକ୍ତ କର୍ମକର୍ତ୍ତା ମାନଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରି ପଦବୀ ସୁରକ୍ଷିତ ପାଇଁ ପ୍ରୟାସ କରୁଥିବାର ଆଲୋଚନା ହେଉଛି । ଗତ ବର୍ଷ ଜୁନାଗଡ ଠାରେ ଶର୍ମା ବ୍ରାହ୍ମଣ ମାନେ ଆକର୍ଷଣୀୟ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରିଥିଲେ । ସେମାନଙ୍କୁ କାବୁ କରି ନିଜ କବଜାରେ ରଖିବାର ଯୋଜନା କରି ବ୍ରାହ୍ମଣ ସମାଜ ତରଫରୁ ପ୍ରଥମ କରି ଏବର୍ଷ ଜୁନାଗଡ ଠାରେ ପର୍ଶୁରାମ ଜୟନ୍ତୀ ପାଳନ କରିବାର ଯୋଜନା କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ଗୋଷ୍ଠୀ ତରଫରୁ ନିଯୁକ୍ତ ବ୍ଲକ ସଭାପତି ଓ ସମ୍ପାଦକ ନିଜକୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରିବା ତଥା ସ୍ପଷ୍ଟ ଭାବେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ବାଦ ଦେବାକୁ ପ୍ରୟାସ ଚାଲିଛି । ଅନ୍ୟ ପକ୍ଷରେ ଏହି ସଂଗଠନ ହୁଏତ ରାଜନୈତିକ ଉଦ୍ଦେଶ୍ୟରେ ଗଠିତ ହୋଇଥାଇପାରେ ତେଣୁ ସେମାନଙ୍କୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରୁଥିବା ଆଲୋଚନା ହେଉଛି ।ସମସ୍ତ ଙ୍କୁ ସାଙ୍ଗରେ ଧରି ସମାଜ କୁ ଆଗେଇ ନେବା ହିଁ ବ୍ରାହ୍ମଣ ର ଧର୍ମ ହେବା ଉଚିତ କିନ୍ତୁ ଏହି ସଂକୀର୍ଣ୍ଣ ମନୋଭାବ ଧାରିମାନେ ସମାଜ କୁ ବ୍ୟକ୍ତିଗତ ସମ୍ପତି ଭାବି ଖଣ୍ଡ ବିଖଣ୍ଡିତ କରିବାର ପରୋକ୍ଷ ରେ ଯୋଜନା କରୁଛନ୍ତି ବୋଲି ବ୍ରାହ୍ମଣ ସମାଜର ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ତେଣୁ ବନ୍ଧ ନଭାଙ୍ଗୁଣୁ ଏଥିପ୍ରତି ଯତ୍ନବାନ ହେଲେ ସମାଜର ମଙ୍ଗଳ ହେବ ବୋଲି ସମାଜର ବରିଷ୍ଠ ନାଗରିକ ମାନେ ପୂର୍ବାଭାଷ କରାଇଥିବା ଜଣା ପଡ଼ିଛି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସମ୍ପାଦକ

masiha

ଭଙ୍ଗା ଦଦରା ଘରେ ପୁରୁଷ ଶୂନ୍ୟ ପରିବାର

Sunil Chandra Nayak

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!