ରୁପ୍ରା, ୪/୩ : ନର୍ଲା ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଓ ୯ମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ନର୍ଲା ନୋଡାଲ୍ ହାଇସ୍କୁଲ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ଚପଟଖଣ୍ଡା ନର୍ଲାରେ ଦୁଇଗୋଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷାରେ ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନେ ପ୍ରବେଶିକା ପରୀକ୍ଷା ଦେଉଛନ୍ତି । ନର୍ଲା ହାଇସ୍କୁଲ ରେ ୬ଷ୍ଠ ଶ୍ରେଣୀ ନିମନ୍ତେ ୧୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୮ ଓ ୯ମ ଶ୍ରେଣୀ ପ୍ରବେଶିକା ପାଇଁ ୪୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧ ଜଣ ଉପସ୍ଥିତ ରହି ପରୀକ୍ଷା ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାସ ପ୍ରକାଶ କରିଥିଲେ । ସେହିପରି ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ କେବଳ ୬ଷ୍ଠ ଶ୍ରେଣୀ ପାଇଁ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାରେ ମୋଟ୍ ୨୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩୭ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରବେଶିକା ପରୀକ୍ଷା ଦେଇଥିବା ସ୍କୁଲର ଅଧ୍ୟକ୍ଷ ଜୟନ୍ତ ଖମାରୀ ସୂଚନା ଦେଇଥିଲେ । ତେବେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।