ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଙ୍କା ବାବା ସେନ୍ଦ୍ରା ଗିରା ପୂଜାପର୍ବ ସମ୍ପନ୍ନ

ମୟୂରଭଞ୍ଜ:-୧୪/୦୫/୨୦୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ପଳସା ପିଢ ସ୍ଥିତ ବାଙ୍କା ପାହାଡରେ ଆଦିବାସୀ’ଙ୍କ ପାରମ୍ପାରିକ ବାଙ୍କା ବାବା ସେନ୍ଦ୍ରା ଗିରା ପୂଜାପର୍ବ ସମ୍ପନ୍ନ ହୋଇ ଯାଇଛି।

        ସୂଚନା ଅନୁସାରେ ବୈଶାଖ ପୂର୍ଣ୍ଣିମା ତିଥିରୁ ପଳସା ପିଢ୍ ଅନ୍ତର୍ଗତ ଅସନା ପଞ୍ଚାୟତ ର ପଟକାଡିହି ଗ୍ରାମ ନିକଟସ୍ଥ ରୋଡ ପାହାଡ ଜଙ୍ଗଲରେ ପ୍ରଥମେ ରଡୋ ସେନ୍ଦ୍ରା ଗିରା ପୂଜା ପର୍ବ ପାଳିତ ହୋଇଥିଲା। ଏହାପରେ ପଳସା ପିଢ ଅନ୍ତର୍ଗତ ବଡପଳସା ଏବଂ ବଡକେଡମ ଗ୍ରାମ ନିକଟସ୍ଥ ବାଙ୍କାବୁରୁ ପାହାଡରେ ଦେହୁରୀ ନାଏକେ ଏବଂ ଗ୍ରାମ ନାଏକେ’ଙ୍କ ଦ୍ବାରା ଆଦିବାସୀ ପରମ୍ପରା ଏବଂ ରିତିନିତୀ ଅନୁସାରେ ପୂଜାପାଠ ସମ୍ପନ୍ନ ହୋଇ ଥିଲା। ପ୍ରକୃତି ପୂଜକ ଆଦିବାସୀ ମାନେ ପାହାଡ, ପର୍ବତ, ଜଙ୍ଗଲ, ନଦୀ ଇତ୍ୟାଦିକୁ ଆରାଧ୍ୟା ଦେବତା ମାନି ପୂଜାପାଠ କରିଥାନ୍ତି। ତେବେ ମୂଖ୍ୟତଃ ଚାଷ ଉପଯୋଗି ବର୍ଷା ଏବଂ ଜୀବ ଜଗତର ମଙ୍ଗଳ କାମନା କରି ପାହାଡ ପର୍ବତରେ ଥିବା ଦେବାଦେବୀ’ଙ୍କୁ ସନ୍ତୁଷ୍ଟ କରିବା ଉଦ୍ଧେଶ୍ୟରେ ଏହି ପୂଜାବିଧି ପ୍ରତ୍ୟକ ବର୍ଷ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଗ୍ରାମର ଗ୍ରାମବାସୀ ମାନେ ପାହାଡ ଉପରେ ପୃଥକ ପୃଥକ ଭାବେ ନିଜ ନିଜ ବାଦ୍ୟ ସହ ପୂଜାକାର୍ଯ୍ୟ ଶେଷ କରିବା ପରେ ପାହାଡ ତଳେ ରାତ୍ରୀଯାପନ କରିଥାନ୍ତି ଏବଂ ଭୋର ସକାଳରୁ ବିଭନ୍ନ ଗ୍ରାମର ପୂଜକ ଦଳ ଦେବାଦେବୀ’ଙ୍କୁ ପ୍ରସନ୍ନ କରିବା ଉଦ୍ଧେଶ୍ୟରେ ପୃଥକ ପୃଥକ ବୀର ସିଂଗ୍ରାଇ ଏବଂ ସମାଜ ସିଂଗ୍ରାଇ ଏନେଜ୍ (ଗିତିନାଟ୍ୟ) ପ୍ରସ୍ତୁତ କରିଥାନ୍ତି। ଆଖପାଖ ଗ୍ରାମବାସୀ ସକାଳ ସୂର୍ଯ୍ୟଦୟ ବେଳକୁ ବୀର ସିଂଗ୍ରାଇ (ଗିତିନାଟ୍ୟ) ଦେଖବାକୁ ପହଞ୍ଚିଥାନ୍ତି। ତେବେ ଯେଉଁ ଗିତିନାଟ୍ୟ ଦଳକୁ ଦେଖିବା ପାଇଁ ଅଧିକ ଭିଡ ଜମିଥାଏ ସେମାନଙ୍କୁ ପୁରସ୍କୃତ କରାଯାଇଥାଏ। ଦ୍ବିପ୍ରହର ବେଳକୁ ବଡକେଡମ ଗ୍ରାମ ଠାରେ ଦୋକାନ ବଜାର ଲାଗିବା ସହିତ ବିଭିନ୍ନ ଗ୍ରାମବାସୀ’ଙ୍କ ଭିଡ ଜମିଥାଏ ଏଠାରେ ମାନସିକଧାରୀ’ଙ୍କ ମନସ୍କାମନା ପୂର୍ଣ୍ଣ କରିବାକୁ ଗୁହାରୀ ଜଣାଇ ବାଙ୍କା ବାବା’ଙ୍କ ପୂଜାପାଠ ସମ୍ପନ୍ନ ହୋଇଥାଏ। ଏଠାରେ ବିଭିନ୍ନ ଗ୍ରାମରୁ ବାଦ୍ୟ ବାଦକ ଦଳ ପାରମ୍ପାରିକ ବଡବଡ ନାଗରା, ଚଳଚଳି ଇତ୍ୟାଦି ଧରି ଦଳବଳ ସହ ପହଞ୍ଚିଥାନ୍ତି। ପୂଜାବେଳେ ମିଳିତ ଭାବେ ବାଜା ବଜାଇ ପୂଜାବିଧି ପାଳନ କରିଥାନ୍ତି। ପରେ ଉପସ୍ଥିତ ସମସ୍ତ ଦଳ ମଧ୍ୟରେ ବାଜା ବଜାଇବା ପ୍ରତିଯୋଗିତା ହୋଇଥାଏ। ବିଜୟୀ ବାଦକ ଦଳକୁ ପୁରସ୍କୃତ କରାଯାଇଥାଏ। ବଡପଳସା (ପୁଖରୀଘୁଟୁ) ଠାରେ ମଧ୍ୟ ବାଦ୍ୟ ଦଳ ଉପସ୍ଥିତ ରହିବା ସହ (ଗିତିନାଟ୍ୟ) ବୀର ସିଂଗ୍ରାଇ, ସମାଜ ସିଂଗ୍ରାଇ, ଲାଗଣେ ଏନେଜ୍ ହେପରାଅ ଇତ୍ୟାଦି ଆୟୋଜିତ ହୋଇଥାଏ। 

   ବଡକେଡମ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଳସା ପିଳ୍ ପାରଗାନା ଭାଗିରଥି ହାଁସଦାଃ ବରିଷ୍ଠ ସମ୍ବାଦିକ ରାମଦାସ ମୁର୍ମୁ, ସାମ୍ବାଦିକ ବସନ୍ତ ସାଣ୍ଡିଲ ଓ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

     ସେନ୍ଦ୍ରା ସିଂଗ୍ରାଇ ଗିତିନାଟ୍ୟରେ ଭାଗ ନେଇଥିବା ୯’ ଟି ଦଳ ମଧ୍ୟରୁ ସୁରଦା-ଯଶିପୁର ପଞ୍ଚାୟତ ର ଆହାରକୋଚା ଦଳ ପ୍ରଥମ, ନାରାନପୁର (ତିରିଂ) ଦଳ ଦ୍ବିତୀୟ ଏବଂ ମାରାଂ ଚାଟାନୀ ଦଳ କୁ ତୃତୀୟ ପୁରସ୍କାର ଭାବେ ଗୋଟିଏ ଲେଖାଏଁ ଖାସିଛେଳି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି କାଳହା ବାଜନା (ବାଦ୍ୟ) ଦଳ ମଧ୍ୟରୁ ବାଙ୍କି (ବିଜାତଳା) ଦଳ ପ୍ରଥମ, କୁଦୁର୍ – ଘୁଟୁଡିହି ଦଳ ଦ୍ବିତୀୟ, କାହୁତୁକା ଦଳ ତୃତୀୟ ଏବଂ ରୁତୁଘୁଟୁ ଦଳ କୁ ଚତୁର୍ଥ ପୁରସ୍କାର ଭାବେ ଗୋଟିଏ ଲେଖାଏଁ ଖାସି ଛେଳି ପ୍ରଦାନ କରାଯାଇଥିଲା। ସୀମାନ୍ତ ଝାରଖଣ୍ଡ ଅଞ୍ଚଳ ବଡାମ ଗ୍ରାମର ଦଳ ଆକର୍ଷଣୀୟ ଧଙ୍ଗେଳ ଏନେଜ୍ (ନାଚ) ପ୍ରଦର୍ଶନ କରିଥିଲେ। ବଡକେଡମ ଓ ମଲିକେଡମ ଗ୍ରାମ ପକ୍ଷରୁ ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କାର୍ଯ୍ୟକ୍ରମରେ ନାୟକେ ବାବା (ପୂଜକ) ଉଦୟ ମୁର୍ମୁ, ସଂପାଦକ ପିନୁ ମୁର୍ମୁ, ସହ ସଂପାଦକ ସୁଦାମ ହାଁସଦାଃ, ସଭାପତି ବୁଢାନ ଟୁଡୁ, ଉପସଭାପତି ସୁନାରାମ ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

   କୋଚାଟୋଲା ସାହିରେ ମଧ୍ୟ ବୀର ସିଂଗ୍ରାଇ, ସମାଜ ସିଂଗ୍ରାଇ ଏବଂ ଧଙ୍ଗେଳ ଏନେଜ୍, ଲାଗଣେ ଏନେଜ୍ ଇତ୍ୟାଦି ପାରମ୍ପାରିକ ନୃତ୍ୟ, ଗୀତିନାଟ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମକର ସଂକ୍ରାନ୍ତି ପର୍ବ ପାଳନ

Sunil Chandra Nayak

ବାବା ଆଖଣ୍ଡଳ ମଣୀ ଙ୍କ ପୀଠ ରେ  ଧନୁ ସଂକ୍ରାନ୍ତି ପାଳିତ

masiha

ଧର୍ମଗଡ ଠାରେ ଶ୍ରୀ ଆଶୀର୍ବାଦ ଜୀ ମହାରାଜଙ୍କ  ଶ୍ରୀରାମ ଚରିତ ମାନସ କଥାମୃତ ର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!