ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳବାଇ ର ଅବହେଳା କୁ ବରଦାସ୍ତ କରାଯିବ ନାହିଁ, ଦାବି ହାସଲ ପାଇଁ ସମ୍ମିଳିତ ଲଢେଇ ର ଆହ୍ୱାନ

ରାଉରକେଲା/ ସୁନ୍ଦରଗଡ଼ ଜିଲ୍ଲା ପ୍ରତି ରେଳବାଇ ର କ୍ରମାଗତ ଅବହେଳା କୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ସ୍ଥଳେ ଏଥିପାଇଁ ସମ୍ମିଳିତ ଭାବେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାର ଠାରେ ଭାରତୀୟ ରେଳ ବିଭାଗ ର ଆମ ପ୍ରତି ଅବହେଳା ଓ ରେଳ ର ବିକାଶ ପାଇଁ ସଂଗ୍ରାମ ଶୀର୍ଷକ ଆଲୋଚନାଚକ୍ର ରେ ମତପ୍ରକାଶ ପାଇଛି। ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ବରିଷ୍ଠ ସଦସ୍ୟ ଅଭୟ କୁମାର ଦାସ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଆଲୋଚନା ଚକ୍ର କୁ ପରିଚାଳନା କରିଥିଲାବେଳେ ରାଉରକେଲା ନାଗରିକ ସୁରକ୍ଷା କମିଟି ର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି ବୈଠକ ର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି କହିଥିଲେ, ଏ ଅଂଚଳରୁ ବିପୁଳ ରାଜସ୍ୱ ପାଉଥିବା ରେଳବାଇ ବିଭାଗ କ୍ରମାଗତ ଭାବେ ଜିଲ୍ଲା ପ୍ରତି ଅବହେଳା କରିବା ଦୁର୍ଭାଗ୍ୟଜନକ। ଏହି ଅବହେଳା ବିରୋଧରେ ସ୍ବର ଉତ୍ତୋଳନ ପାଇଁ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ,ଯୁବ, ଛାତ୍ର, ମହିଳା ସଂଗଠନ ଏକତ୍ରିତ ହେବା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିବା ସହିତ ଜିଲ୍ଲାର ସମସ୍ତ ବିଧାୟକ ଓ ଜନ ପ୍ରତିନିଧି ମାନେ ଏହି ଦାବି ପ୍ରତି ସେମାନେ ସମର୍ଥନ ଓ ସମ୍ମତି ଦେଇଥିବା ସେ ସୂଚନା ଦେଇଥିଲେ। ବିଶେଷ କରି ରାଉରକେଲା ଗସ୍ତ ରେ ଆସିଥିବା ଚକ୍ରଧରପୁର ଡି ଆର୍ ଏମ୍ ରାଉରକେଲା ରେ ରେଳ ଡିଭିଜନ ହେଲେ ଏଠାର ଲୋକଙ୍କ କ୍ଷତି ହେବ ବୋଲି ମନ୍ତବ୍ୟ ଦେବା ଅଞ୍ଚଳବାସୀଙ୍କ ଆନ୍ଦୋଳନ ଓ ଭାବାବେଗ କୁ ଆଘାତ ଦେଇଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ମୁଖ୍ୟବକ୍ତା ଡଃ ପ୍ରଭାତ ମଲ୍ଲିକ ଜିଲ୍ଲାର ଭୌଗଳିକ ସ୍ଥିତି, ରେଳବାଇ ବିକାଶ ର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଙ୍ଗ କମିଟି ର ଅଧ୍ୟକ୍ଷ ଗୁରମିତ ସିଂହ,ରେଳ ଓ ସଡ଼କ ଉପଯୋଗକାରୀ ସଂଘ ସଭାପତି ଉତ୍ତମ କୁମାର ସାମଲ,ଉପ ସଭାପତି ଅମୁଲ୍ୟ ଚରଣ ବରାଳ,ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି,ଏ ଆଇ ଟି ୟୁ ସି ସଂପାଦକ ରମେଶ ସେଠୀ, ରାଉରକେଲା ମଜଦୂର ସଭା ଉପ ସଭାପତି ପ୍ରମୋଦ ଦାସ, ଆମ୍ ଆଦମୀ ପାର୍ଟିର ନେତା ଭରତ ବାଇ, ନାଗରିକ ସୁରକ୍ଷା କମିଟି ର ପ୍ରମୁଖ ସଦସ୍ୟ ତଥା ଜଗଦା ସାଂସ୍କୃତିକ ପରିଷଦ ର ସାଧାରଣ ସମ୍ପାଦକ ସଂଜୀବ ମହାନ୍ତି, କଲୁଙ୍ଗା ବିକାଶ ପରିଷଦର ସାଧାରଣ ସମ୍ପାଦକ ଆକୁଳି ପ୍ରଧାନ, ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଦଲଜିତ ସିଂ ସାନ୍ଧୁ,ବଣିକ ସଂଘ ର ରେଳ ସମନ୍ୱୟ କମିଟି ର ଋଷି ଆର୍ଯ୍ୟ,କଲଚରାଲ ଏକାଡେମୀ ର ସାଧାରଣ ସମ୍ପାଦକ ଅକ୍ଷୟ ସାମଲ, ବିହାର ସାଂସ୍କୃତିକ ପରିଷଦ ର ସଭାପତି ଅରୁଣ ସିଂହ ପ୍ରମୁଖ ଆଲୋଚନା ରେ ବକ୍ତବ୍ୟ ରଖି ଏହି ଦାବି କୁ ସମର୍ଥନ ଘୋଷଣା କରିବା ସହିତ ଏକାଠି ହୋଇ ଆନ୍ଦୋଳନ ପାଇଁ ପ୍ରତିଶୃତି ଦେଇଥିଲେ। ରାଉରକେଲା କୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା, ତାଳଚେର ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା, ରାଉରକେଲା, ପାନପୋଷ, କଲୁଙ୍ଗା, ରାଜଗାଙ୍ଗପୁର, ବିମଳାଗଡ,ଗୋପନା,ରକ୍ସି, କିରିବୁରୁ ମେଗାତବୁରୁ, କୁଆଁରମୁଣ୍ଡା, ବୀରମିତ୍ରପୁର,ବିଶ୍ରା, ବନ୍ଧମୁଣ୍ଡା,ଜରେଇକେଲା,ବାଙ୍ଗୁରୁକେଲା,ରେଳ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ, ସୁନ୍ଦରଗଡ଼ ଜିଲ୍ଲାର ସଦରମହକୁମା କୁ ରେଳ ସଂଯୋଗ ବ୍ୟବସ୍ଥା କରାଯିବା ଉପରେ ବକ୍ତାମାନେ ଗୁରୁତ୍ଵ ଦେଇଥିଲେ। ରାଉରକେଲା ରେଳ ଡିଭିଜନ ପ୍ରସଙ୍ଗରେ ଡି ଆର୍ ଏମ୍ ଙ୍କ ବକ୍ତବ୍ୟ କୁ ବୈଠକରେ ଦୃଢ଼ ପ୍ରତିବାଦ କରାଯାଇଥିଲା ବେଳେ ଏଭଳି ମନ୍ତବ୍ୟକୁ ଆସନ୍ତା ଦିନରେ ଦୃଢ଼ ବିରୋଧ କରାଯିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ସମସ୍ତ ରେଳ ଦାବିକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା କୁ ନିଷ୍ପତ୍ତି ହେଇଥିଲା। ଦାବି ପ୍ରତି ଯଥା ଶୀଘ୍ର କେନ୍ଦ୍ର ରେଳ ବିଭାଗ ପଦକ୍ଷେପ ନ ନେଲେ ଆନ୍ଦୋଳନ ବ୍ୟାପକ କରିବାକୁ ଆହ୍ୱାନ କରାଯାଇଥିଲା। ଆଲୋଚନା ସଭା ପ୍ରାରମ୍ଭରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସାଧାରଣ ସମ୍ପାଦକ କବି ଆର୍ତ୍ତତ୍ରାଣ ମହାପାତ୍ର ଆବାହନି କବିତା ପାଠ କରିଥିଲେ। ଶେଷରେ ସୁରକ୍ଷା କମିଟି ର ସଦସ୍ୟ ଆଇନଜୀବୀ ରାଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

masiha

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

ରାଜ୍ୟପାଳଙ୍କ ଦ୍ଵାରା ଲକଡାଉନ ଓ ଏନ ଏନକାଉଣ୍ଟର ୱିଥ ଡେଥ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!