ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବକ୍ଷୟମୁଖୀ ଇନ୍ଦ୍ରାବତୀ ହାତୀ ବ୍ୟାରେଜ, ହ୍ରାସ ପାଉଛି ଜଳ ଧାରଣ କ୍ଷମତା

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲାର ଏକ ସିଂହ ଭାଗ ଜମି କୁ ଜଳସେଚନ ମାଧ୍ୟମରେ ଶସ୍ୟ ଶ୍ୟାମଳା କରି ଦେଶର ଖାଦ୍ୟ ଭଣ୍ଡାର କୁ ସମୃଦ୍ଧ କରିବା ସହ ଲୋକଙ୍କ ଆର୍ଥିକ ମାନଦଣ୍ଡ ର ଅଭିବୃଦ୍ଧି ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ଯୋଜନା ର ମଙ୍ଗଳପୁର ହାତୀ ବ୍ୟାରେଜ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଅବକ୍ଷୟମୁଖୀ ହେବାସହ ତାର ଜଳ ଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି।ସମୁଦ୍ର ପତ୍ତନଠାରୁ ୨୫୨ ମିଟର ଉଚ୍ଚତା ରେ ଥିବା ୧୬୧ ସ୍କୋୟାର କିଲୋମିଟର ବିଶିଷ୍ଟ ଏହି ବ୍ୟାରେଜ ରେ ୮୧୬.୫ ହେକ୍ଟା ମିଟର ଜଳ ଧାରଣ କ୍ଷମତା ଥିବା ଦର୍ଶା ଯାଉଥିଲେ ହେଁ ପ୍ରକୃତରେ ସେହି ପରିମାଣର ପାଣି ବ୍ୟାରେଜ ରେ ରହୁ ନ ଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ୧୯୮୭ ମସିହାରୁ ପରୀକ୍ଷା ମୂଳକ ଭାବେ ବାମ ମୁଖ୍ୟ କେନାଲ ମାଧ୍ୟମରେ ଜଳସେଚନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ୫୧.୯ କିଲୋମିଟର ଦୈର୍ଘ୍ଯ ବିଶିଷ୍ଟ ବାମ ମୁଖ୍ୟ କେନାଲ ଜରିଆରେ ୫୯.୩୦୦ ହେକ୍ଟର ଜମିକୁ ଉଭୟ ରବି ଓ ଖରିଫ ଋତୁରେ ଫସଲ ଅମଳ ପାଇଁ ଜଳସେଚନ ବ୍ୟବସ୍ଥା ରହିଛି। ୧୧୨ କିଲୋମିଟର ଦୈର୍ଘ୍ଯ ବିଶିଷ୍ଟ ଡାହାଣ ମୁଖ୍ୟ କେନାଲ ଜରିଆରେ ୪୨୬୬୪ ହେକ୍ଟର ଜମିକୁ ମଧ୍ଯ ରବି ଓ ଖରିଫ ଋତୁ ପାଇଁ ଜଳସେଚନ ସୁବିଧା ରହିଛି କିନ୍ତୁ କେନାଲ ମରାମତି ପାଇଁ ଚଳିତ ରବି ଋତୁରେ ଜଳସେଚନ ବନ୍ଦ ରହିଛି। ୪୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ମେଗା ଲିଫ୍ଟ କେନାଲ ଜରିଆରେ କେବଳ ଖରିଫ ଋତୁ ପାଇଁ ୨୬୨୪୮ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିଲେ ହେଁ ଚଳିତ ବର୍ଷ ଡାହାଣ ମୁଖ୍ୟ କେନାଲ ମରାମତି କାର୍ଯ୍ୟ ପାଇଁ ବନ୍ଦ ରହିଥିବା ରୁ ପରୀକ୍ଷା ମୂଳକ ଭାବେ ଖରିଫ ଫସଲ ପାଇଁ ଜଳସେଚନ ବ୍ୟବସ୍ଥା ହୋଇଥିଲା। ପୁନଶ୍ଚ ଚାନ୍ଦପୁର ଲିଫ୍ଟ ପଏଣ୍ଟ ଜରିଆରେ ମଧ୍ଯ ବ୍ୟାରେଜ ମଧ୍ୟରୁ ଜଳସେଚନ ବ୍ୟବସ୍ଥା ରହିଛି। ଅବ୍ୟବସ୍ଥା ଘେରରେ ଥିବା ଏହି ବ୍ୟାରେଜ ଜିଲ୍ଲାର ଜଳସେଚନ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରୁଛି ତଥାପି ଏହାର ସୁରକ୍ଷା ଓ ମରାମତି ପାଇଁ ସରକାର ଜାଣି ଅଜଣା ରହିବା ନୀତି ଯୋଗୁଁ ବ୍ୟାରେଜ ଓ ଚାଷୀ ର ଭବିଷ୍ୟତ ଅନ୍ଧକାର ଅଭିମୁଖୀ ବୋଲି ଆଶଙ୍କା ପ୍ରକାଶ ପାଇଛି। ବ୍ୟାରେଜ ର ଉଭୟ ବାମ ଓ ଡାହାଣ ପାର୍ଶ୍ଵରେ ଥିବା ପଥର ବନ୍ଧର ବିଭିନ୍ନ ସ୍ଥାନରୁ ପଥର ଖସିଯାଇ ଥିବା ବେଳେ ପାୱାର୍ ଚ୍ୟାନେଲ ଶେଷ ମୁଣ୍ଡରେ କଂକ୍ରିଟ ସ୍ଲାବ ଭାଙ୍ଗି ଯାଇଛି। ଏତଦବ୍ୟତୀତ ଧନସୁଲି, ଚାନ୍ଦପୁର, ପଣ୍ଡି, ଭାଲୁଯୋର, ସାସ୍ତୂଗୁଡା, ସାନକର୍ଲାକୋଟ, ହୀରାପୁର ଆଦି ଗ୍ରାମ ଓ ଉପର ମୁଣ୍ଡରେ ଥିବା ଲଣ୍ଡା ପାହାଡ଼ ର ଅବକ୍ଷୟ ମୃତ୍ତିକା ସମେତ ଚାପୁଲ ଦର, ହାତୀ ନଦୀ, ଭାଲୁଜୋର,ଓ ବିବିନ୍ନ ନାଳ ଦେଇ ବହୁ ପରିମାଣର ଅବକ୍ଷୟ ମୃତ୍ତିକା ବ୍ୟାରେଜ ଭିତରକୁ ପ୍ରବେଶ କରୁଥିବା ରୁ ନଦୀ ଅବବାହିକା ପ୍ରାୟ ଦୁଇ ମିଟର ପୋତି ହୋଇ ସାରିଛି। ପୁନଶ୍ଚ ବ୍ୟାରେଜ ନିର୍ମାଣ ସମୟର ତ୍ରୁଟି ଏ ଯାବତ ସୁଧୁରି ନାହିଁ, ନିର୍ମାଣ ସମୟରେ ଉଭୟ ପାର୍ଶ୍ଵରେ ଥିବା ବଡ ବଡ ଢିପ ଗୁଡ଼ିକ ଯଥା ପୂର୍ବଂ ତଥା ପରଂ ରହିଛି, ପରିସ୍ଥିତି ଏପରି ହୋଇଛି ଯେ କିଛିଲୋକ ନିଷିଦ୍ଧାଞ୍ଚଳ ମଧ୍ୟରେ ନିୟମିତଭାବେ ଚାଷ କରୁଛନ୍ତି।ବ୍ୟାରେଜ ଉଭୟ ପାର୍ଶ୍ୱରେ ଥିବା ଢିପ ଓ ବ୍ୟାପକ ମୃତ୍ତିକା ପ୍ରବେଶ ଯୋଗୁଁ ବ୍ୟାରେଜର ପ୍ରକୃତ ଜଳ ଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି ଯାହାକି ଭବିଷ୍ୟତ ପାଇଁ ଏକ ସତର୍କ ଘଣ୍ଟି। ବ୍ୟାରେଜ ରୁ ସମସ୍ତ ମାଟି ବାହାର କରାଗଲେ ଏହା ଜିଲ୍ଲାର ହଜାର ହଜାର ହେକ୍ଟର ଜମି କୁ ଜଳସେଚନ ହୋଇପାରିବ ଏପରିକି ଜିଲ୍ଲାରେ ଥିବା ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କୁ ମଧ୍ଯ ଆବଶ୍ୟକ ପାଣି ଯୋଗାଣ ହୋଇପାରିବ। ସୂଚନା ଯୋଗ୍ୟ ଯେ ବ୍ୟାରେଜ ର ଜଳଧାରଣ କ୍ଷମତା କମ ଥିବାରୁ ଅନେକ ସମୟରେ ହାତୀ ନଦୀରେ ପାଣି ଛାଡି ଦିଆଯାଉଛି। ତେଣୁ ମଙ୍ଗଳପୁର ହାତୀ ବ୍ୟାରେଜ ର ଆବଶ୍ୟକ ମରାମତି କରି ଜଳଧାରଣ କ୍ଷମତା ବୃଦ୍ଧି କରି ଜଳର ସଦୁପୋଯୋଗ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଅଲ୍ ଓଡିଶା ଇ.ପି.ଏଫ ପେନସନ୍ ଆସୋସିଏସନ୍ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

masiha

କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବନୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!