ବନ୍ଧୁଗାଁ ତା,୨୮/୫/୨୩, କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତର ଭିତରପଡା ନିକଟରେ କର୍ଣ୍ଣକୋଣ୍ଡା ପାହାଡରେ ବକ୍ସାଇଟ ଖଣି ମାନ ଓ ପରିମାଣ ପରୀକ୍ଷା ନିମନ୍ତେ ରାସ୍ତା ନିର୍ମାଣରେ ଲାଗିଥିବା ତ୍ରିବେଣୀ କମ୍ପାନୀର ଏକ ଜେସିବି ମେସିନକୁ ଦୁର୍ବୁତ୍ତ ମାନେ ପୋଡି ଦେଇଛନ୍ତି । ଏହି କାମ ପାଇଁ ବ୍ୟବହୃତ ଆଉ କେତୋଟି ମେସିନ ଗୁଡିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଏହି ପାହାଡ଼ ରେ ଥିବା ୯ ହେକ୍ଟର ପରିମାଣ ଜମିରେ ଥିବା ବକ୍ସାଇଟ ପାଇଁ ମରିଚ ମାଳ ଗାଁରେ ଓଡିଶା ମିନେରାଲ ଏକ୍ସପ୍ଲରେସନ ଲିମିଟେଡ଼ ଦ୍ୱାରା ପରୀକ୍ଷଣ ପାଇଁ ଗତ ଫେବୃଆରୀ ମାସରେ ପ୍ରଶାସନ ଦ୍ୱାରା ଏକ ଜନଶୁଣାଣୀ ହୋଇଥିଲା । ସେତେବେଳେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ । ପରେ ପୁଣି ସହମତି ପ୍ରକାଶ ପାଇବା ପରେ ପରୀକ୍ଷଣ ମେସିନ ଗୁଡିକ ନେବାପାଇଁ ଗତ ତିନିମାସ ହେବ ଉକ୍ତ ପାହାଡ଼ ଉପରକୁ ରାସ୍ତା ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଥିଲା । ପ୍ରାୟ ୫୦% କାମ ଚାଲୁଥିବା ବେଳେ ଗତ କାଲି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଦୁର୍ବୁତ୍ତ ମାନେ ନିଆ ଲଗାଇ ଜାଳି ଦେଇଛନ୍ତି । ଗୋଟିଏ ଜେସିବି ମେସିନ ପ୍ରାୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଖଣିକୁ ବିରୋଧ କରି ଏପରି ହୋଇଛି ନା ଏହା ପଛରେ ମାଓବାଦୀଙ୍କ ହାତ ରହିଛି ତାହା ଅସ୍ପଷ୍ଟ ରହିଛି । ଏହା ଏକ ମାଓ ପ୍ରବଣ ଅଞ୍ଚଳ ଭାବେ ପୂର୍ବରୁ ପରିଚିତ ରହିଛି । ତେବେ ଘଟଣା ସ୍ଥଳରେ କୌଣସି ପୋଷ୍ଟର କିମ୍ବା ବ୍ୟାନର ନ ଥିବା ବେଳେ କିଏ ଓ କାହିଁକି ଏପରି ଘଟାଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପଟେ ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ଜେସିବି ଚାଳକ ରତ୍ନ ଗୌଡ଼ କହିଛନ୍ତି ଯେ ସାନ୍ଧ୍ୟ ୬ ପରେ କାମ ସାରି ତଳକୁ ଓଲ୍ହାଇବା ପରେ କେହି ଦୁର୍ବୁତ୍ତ ମାନେ ଏପରି କାଣ୍ଡ ଘଟାଇଛନ୍ତି । ଦୀର୍ଘ ଦିନ ପରେ ପୁଣି ଏପରି ହିଂସା ଘଟଣା ପୁଣି ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି । ଖଣି ଖନନକୁ ନେଇ ନାଁ ରାସ୍ତା କାମକୁ ନେଇ ଅଞ୍ଚଳ ବାସି ଏହାର ବର୍ତ୍ତମାନ କେଉଁ ଆଡକୁ ଅଞ୍ଚଳର ମତ ରଖିବେ ତାକୁ ନେଇ ପ୍ରଶ୍ନ ହେଉଛି I