ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳକୁ ଦୁଇ ଦିନିଆ ଗସ୍ତ ରେ ୫-ଟି ସଚିବ: ମା’ବରାଳ ଦେବୀ ମନ୍ଦିର ରୂପାନ୍ତରୀତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ 

କନ୍ଧମାଳ:17/06.(ମନିସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ,୫-ଟି ସଚିବ ଭି.କେ.ପାଣ୍ଡିଆନ କନ୍ଧମାଳ ଜିଲାକୁ ଦୁଇ ଦିନିଆ ଗସ୍ତରେ ଆସି ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ। ଗସ୍ତର ପ୍ରଥମ ଦିନରେ ସେ ୫ ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମ ଦିନର ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ମା’ ବରାଳ ଦେବୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଞ୍ଜାମ ଜିଲାର ତାରା ତାରିଣୀ ମନ୍ଦିର ରୂପାନ୍ତରୀତ ହେବାଭଳି ମା ବରାଳ ଦେବୀ ମନ୍ଦିର ୮ ମାସ ମଧ୍ୟରେ ରୂପାନ୍ତରୀତ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରତିଶ୍ରୁତି ଦେଇଥିଲେ। ମନ୍ଦିର କିଭଳି ପୂର୍ବାପେକ୍ଷା ଅଧିକ ସୁନ୍ଦର ଦେଖାଯିବ ଏବଂ ଭକ୍ତମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖାଯିବ ସେଥିପାଇଁ ଜିଲାପାଳଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଫୁଲବାଣୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସାମାଜିକ ସଂଗଠନ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। କନ୍ଧମାଳ ବାସୀଙ୍କ ଦୁଃଖ ଏବଂ ସମସ୍ୟା ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ପ୍ରକାଶ କରିବା ସହିତ ଚାଷୀମାନଙ୍କର ସମସ୍ୟା ଓ ଧର୍ମାନୁଷ୍ଠାନ ଗୁଡ଼ିକର ଉନ୍ନତି କରଣ ନେଇ ଯାହାବି ପ୍ରସ୍ତାବ ଦିଆଯାଇଛି ଖୁବ୍ ଶିଘ୍ର ମଞ୍ଜୁର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଫୁଲବାଣୀ ନୂଆ ବସଷ୍ଟାଣ୍ଡ ପରିଦର୍ଶନ କରି ତା’ର ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିଥିଲେ। ତେବେ, ଏହାର ସୌନ୍ଦର୍ଯ୍ୟକରଣ ତଥା ଯାତ୍ରୀମାନଙ୍କ ସୁବିଧାକୁ ଗୁରୁତ୍ୱ ଦେବାକୁ ଜିଲାପାଳଙ୍କୁ କହିଥିଲେ। ସେହିପରି ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣ୍ଡିଆନ୍ କନ୍ଧମାଳ ଜିଲାର ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକର ମାଷ୍ଟର୍ ହିସାବ ରକ୍ଷକ, ବ୍ୟାଙ୍କ ମିତ୍ର, ସିଆର୍ପି ଏବଂ ଅନ୍ୟାନ୍ୟ ମିଶନଶକ୍ତି କ୍ୟାଡର୍ ଗୁଡ଼ିକ ସହିତ ଆଲୋଚନା କରିଥିଲେ। ବହୁ ସଂଖ୍ୟାରେ ମା’ ମାନଙ୍କୁ ଦେଖି ସେ ଅତ୍ୟନ୍ତ ଖୁସି ହୋଇଥିଲେ। ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ମାଆମାନେ ଅବଗତ ଅଛନ୍ତି କି ନାହାନ୍ତି ପଚାରି ବୁଝିଥିଲେ। ଜିଲା ସଦର ମହକୁମାରେ ଏକ କୋଟି ଟଙ୍କା ଓ ପ୍ରତି ବ୍ଲକ ସଦର ମହକୁମାରେ ୫୦ଲକ୍ଷ ଟଙ୍କାର ମିଶନଶକ୍ତି ଭବନ ନିର୍ମାଣ, ଫେଡେରେସନ୍ ପାଇଁ ଗାଡ଼ି ବ୍ୟବସ୍ଥା, ପଞ୍ଚାୟତରେ ଥିବା ଯେ କୌଣସି ଅବ୍ୟବହୃତ କୋଠା ଓ ଆସବାବ ମିଶନ ଶକ୍ତିକୁ ହସ୍ତାନ୍ତର, ସମସ୍ତଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ, ଏଥିରେ ସାମିଲ ନ ହୋଇଥିବା ମାଆ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା ଆଦି ବିଷୟରେ ସେ ସୂଚନା ପ୍ରଦାନ କରିଥିଲେ। ମିଶନଶକ୍ତି ପଛରେ ନିଜେ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ସେ କହିଥିଲେ। ଫେଡେରେସନ୍ କର୍ମଚାରୀଙ୍କ ପାଇଁ ଖୁସି ଖବର ଖୁବ୍ ଶିଘ୍ର ସରକାରଙ୍କ ଦ୍ୱାରା ଦିଆଯିବ ବୋଲି ସେ କହିଥିଲେ। ପ୍ରଥମ ଦିନ ଗସ୍ତର ଶେଷରେ ଶ୍ରୀ ପାଣ୍ଡିଆନ୍ ଫୁଲବାଣୀସ୍ଥିତ ପୁଲିସ୍ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲାର ସମସ୍ତ କଲେଜକୁ ସ୍କୁଲ ରୁପାନ୍ତରଣ ପରି ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା ସହିତ କଲେଜ ଗୃହ ରୂପାନ୍ତରୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସବୁ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରାଯିବ ଏବଂ ନୂଆ ବର୍ଷରୁ ନୂଆ ପ୍ଲାଟଫର୍ମରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଦିନ ରାତି କଠିନ ପରିଶ୍ରମ କରି ନିଜ ନିଜର ସ୍ୱପ୍ନକୁ ସାକାର କଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ କହିଥିଲେ। ପିଲାମାନଙ୍କୁ ପ୍ରତିଦିନ ଶରୀର ପାଇଁ ୩୦ ମିନିଟ୍ ବ୍ୟାୟାମ ଓ ଉନ୍ନତ ମସ୍ତିଷ୍କ ପାଇଁ ୧୫ ମିନିଟ୍ ଧ୍ୟାନ ବା ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲା ପରିଷଦ, କନ୍ଧମାଳ ରାଜେନ୍ଦ୍ର କୁମାର ରଞ୍ଜିତ୍ , ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ ବାଣୁଆ , ତହସିଲଦାର ଦୀନମଣି ନାୟକ, ମିଶନ ଶକ୍ତି ଜିଲା ସଂଯୋଜକ , ଓଏଲ୍ଏମ୍ ଜିଲା ସଂଯୋଜକଙ୍କ ସମେତ ସମେତ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୫-ଟି ସଚିବଙ୍କ ସହିତ ଭିନଲ କ୍ରିଷ୍ଣା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ୍ ହୋଇଛନ୍ତି। ୫-ଟି ସଚିବଙ୍କ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ସ୍ୱାଗତ କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଯେଉଁ ସବୁ ସ୍ଥାନ ମାନଙ୍କରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ସେହି ସବୁ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଥିଲା। ଶୁକ୍ରବାର ପ୍ରଥମ ଦିନରେ ଫୁଲବାଣୀରେ ଏଭଳି ଭାବେ ଜନ ଗହଳି ହୋଇଥିବାର ଦେଖାଯାଇଛି। କରୋନେସନ୍ ପଡ଼ିଆ ଠାରେ ୫-ଟି ସଚିବ ବିଭିନ୍ନ ସ୍ଥାନକୁ ଯାଇ ଯୋଗଦେଇଥିବା ମହିଳା ମାନଙ୍କ ସହିତ ସାକ୍ଷାତ କରିବା ସହିତ ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଶନିବାର ଦ୍ୱିତୀୟ ଦିନରେ ଫିରିଙ୍ଗିଆ, କ.ନୂଆଗାଁ, ବାଲିଗୁଡା, ଦାରିଙ୍ଗବାଡି, ଓ ଜି. ଉଦୟଗିରି ବ୍ଲକ ର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

masiha

ବର୍ଷାରେ ବେହାଲ ସାନଖୁଡ଼ି ଗାଁ ରାସ୍ତା  

masiha

ଉତ୍ତମ ଚରିତ୍ର ଓ ଯୌଥ ପରିବାରର ମହତ୍ତ୍ୱ ଉପରେ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!