ରାସ୍ତା ଭଲ ହେଲା ମାତ୍ର ନିର୍ମାଣାଧୀନ ଡ୍ରେନ ଲୋକଙ୍କ ପାଇଁ ଦୁର୍ଦ୍ଦଶା ପାଲଟିଛି। ଏଭଳି ସମସ୍ୟା ଦେଖା ଦେଇଛି ଧର୍ମଗଡ ନିକଟସ୍ଥ ୧୩୦ସି ରାଜରାସ୍ତା କଡ଼ରେ ଥିବା ଛିଲିପା ଗ୍ରମରେ।
ଅଧପନ୍ତରିଆ ଡ୍ରେନ ନିର୍ମାଣ କାମ ଯୋଗୁଁ ଛିଲିପା ଗ୍ରାମ ରାସ୍ତା କଡ଼ରେ ଥିବା ଘର ଗୁଡ଼ିକ ପାଣିରେ ବୁଡି ଯାଉଥିବା ନେଇ ଗ୍ରାମବାସୀ ଜାତୀୟ ରାଜପଥ ୧୩୦ସି କୁ ନିର୍ମାଣ କରୁ ଥିବା ଠିକା ସଂସ୍ଥା ଓ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଲିଖିତ ଭାବରେ ଜଣାଇ ଥିଲେ ହେଲେ କୌଣସି ପ୍ରତିକାର ନ ହେବାରୁ ଆଜି ଧର୍ମଗଡ ବ୍ଲକ ଛିଲିପା ଗ୍ରାମବାସୀମାନେ ଓଡ଼ିଶା ଛତିଶଗଡ ରାସ୍ତା ଜାତୀୟ ରାଜପଥ ୧୩୦ସି କୁ ଦୀର୍ଘ ଚାରି ଘଣ୍ଟା ଅବରୋଧ କରିଥିଲେ। ଫଳରେ ଉକ୍ତ ରାସ୍ତା ରେ ଗମନା ଗମନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥଲା।ଖବର ପାଇ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ l ଏଠାରେ ପ୍ରକାଶ ଥାଉକି ଯେ, ଜାତୀୟ ରାଜପଥ ୧୩୦ସି ବଲଦିଆମାଲ ଠାରୁ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ରାଜଲକ୍ଷ୍ମୀ ଠିକା ସଂସ୍ଥା ନିର୍ମାଣ କରୁଥିବା ବେଳେ ଏହି ରାସ୍ତା ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଅଧିନରେ ରହିଛି। ରାସ୍ତା ନିର୍ମାଣ ଦିନ ଠାରୁ ରାସ୍ତା ତିଆରି ଶେଷ ହେଉ ଥିଲେ ବି ନିର୍ମାଣ ସ୍ଥଳୀରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତି ରହୁ ନ ଥିବା ଯୋଗୁଁ ଠିକା ସଂସ୍ଥା ନିଜ କାମ କୁ ମନ ମାନି କରୁଥିବା ଦେଖିବାକୁ ମିଳିଛି l ରାସ୍ତା ନିର୍ମାଣ ପୂର୍ବରୁ ରାସ୍ତା ର ଉଭୟ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ହୋଇ ପରେ ରାସ୍ତା ହେବା କଥା କିନ୍ତୁ ଡ୍ରେନ କାର୍ଯ୍ୟ ପରେ ନିର୍ମାଣ ହେଉଥିବା ଯୋଗୁଁ ଏଭଳି ସମସ୍ୟା ଭୋଗୁ ଛନ୍ତି ଗ୍ରାମବାସୀ l ଖାଲି ସେତିକି ନୁହେଁ ରାସ୍ତା ନିର୍ମାଣ କାରି ସଂସ୍ଥା ନିଜ ଡ୍ରେନ କାମ ନ କରି ପେଟି ଠିକାଦାର ଙ୍କୁ ଦେଉ ଥିବା ଯୋଗୁଁ ଡ୍ରେନ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ରହୁନାହିଁ। ନିମ୍ନ ମାନର ଡ୍ରେନ କାମ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ରାସ୍ତା କଡରେ ଥିବା ପଡା ବାସିନ୍ଦା। ବିଶେଷ କରି ଆଗକୁ ବର୍ଷା ଦିନରେ ଡ୍ରେନ କାର୍ଯ୍ୟ ଠିକଣା ଭାବେ ଶେଷ କରିବା ପାଇଁ ଗ୍ରାମବାସୀ ମାନେ ଦୃଢ଼ ଦାବୀ ଜଣାଇଛନ୍ତି। ପ୍ରଶାସନ ଏହି ସମସ୍ୟା ପ୍ରତି ଯତ୍ନବାନ ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।