ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାହିଁକି ମଳମାସକୁ କହାଯାଏ ‘ପୁରୁଷୋତ୍ତମ ମାସ’ ? 

କାହିଁକି ମଳମାସକୁ କହାଯାଏ ‘ପୁରୁଷୋତ୍ତମ ମାସ’ ? 

ଜାଣନ୍ତୁ ଏହା ପଛର ତାତ୍ପର୍ଯ୍ୟ……

ଏ ବର୍ଷ ପଡ଼ୁଛି ଯୋଡ଼ା ଶ୍ରାବଣ। ଏଇ ଦୁଇ ଶ୍ରାବଣ ମାସ ମଧ୍ୟରୁ ଅଧା ମଳ ଏବଂ ଅଧା ଶୁଦ୍ଧ। ଶ୍ରାବଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଶୁଦ୍ଧ। ଏ ଅମାବାସ୍ୟା ହେଉଛି ଚିତାଲାଗି ଅମାବାସ୍ୟା। ତାହାର ପରଦିନ, ଅର୍ଥାତ୍ ଶୁକ୍ଳ ପ୍ରତିପଦଠାରୁ ମଳ ଶ୍ରାବଣ ମାସର ଆରମ୍ଭ। ସେଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫ ଦିନ ଏବଂ କୃଷ୍ଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ- ଏହିପରି ଏକମାସ ହେଉଛି ମଳ ଶ୍ରାବଣ ମାସ। ଅମାବାସ୍ୟାର ପରଦିନ, ଅର୍ଥାତ୍ ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶୁଦ୍ଧକାଳ।

ଆମ ପରମ୍ପରା ଓ ଚଳଣି ଅନୁସାରେ, ମଳମାସ ଅଶୁଭ। ଏଣୁ ଏହି ମାସରେ ସମସ୍ତ ଶୁଭକର୍ମ ବର୍ଜନୀୟ। କିନ୍ତୁ ଏହି ମାସର ଗୋଟିଏ ବିଶେଷତ୍ୱ ଅଛି। ବିଶେଷତ୍ୱଟି ହେଉଛି- ଏ ମାସର ନାମ ‘ପୁରୁଷୋତ୍ତମ ମାସ’। ଏହି ନାମ ଅଶୁଭ ମଳମାସକୁ ଅଶୁଭତାରୁ ମୁକ୍ତ କରିଛି। ଅଶୁଭ ମଳମାସ କିପରି ‘ପୁରୁଷୋତ୍ତମ ମାସ’ର ଶୁଭ ନାମ ପାଇଲା, ସେ ସଂପର୍କରେ ଗୋଟିଏ ସୁନ୍ଦର ପୌରାଣିକ ଉପାଖ୍ୟାନ ଅଛି।

ବର୍ଷର ବାରମାସ ପାଇଁ ଭଗବାନ ବିଷ୍ଣୁଙ୍କର ବାରଟି ନାମ ଅଛି। ଶ୍ରାବଣରେ ତାଙ୍କର ନାମ ‘ଶ୍ରୀଧର’। କିନ୍ତୁ ଏହି ନାମ ଶ୍ରାବଣ ମାସର ଶୁଦ୍ଧକାଳ ପାଇଁ ହିଁ ପ୍ରଯୁକ୍ତ।

‘ବୃହନ୍ନାରଦୀୟ ପୁରାଣ’ ଅନୁସାରେ, ଏହିପରି ଭାବରେ ଭଗବାନ ବିଷ୍ଣୁ ଭିନ୍ନ ଭିନ୍ନ ନାମରେ ବିଭିନ୍ନ ମାସର ଅଧିପତି ହୋଇଥିବାବେଳେ, ମଳମାସର କେହି ଅଧିପତି ନଥିଲେ। ତେଣୁ ସେହି ମାସରେ ସମସ୍ତ ଶୁଭକର୍ମ ବର୍ଜନୀୟ ଥିଲା। ସେଥିପାଇଁ ମନଦୁଃଖରେ ଦିନେ ମଳମାସ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲା। ତା’ର ଦୁଃଖର କାରଣ ଶୁଣି ଭଗବାନ ବିଷ୍ଣୁ କହିଲେ, “ମୁଁ ଯେପରି ତ୍ରିଲୋକରେ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ ଓ ପରିବ୍ୟାପ୍ତ, ସେହିପରି ଏହି ଅଧିମାସ ‘ପୁରୁଷୋତ୍ତମ ମାସ’ ନାମରେ ପ୍ରଖ୍ୟାତ ହେବ। ମୋର ସମସ୍ତ ଗୁଣ ମୁଁ ଏହି ମାସକୁ ପ୍ରଦାନ କଲି। ଏଣିକି ସଂସାରରେ ଓ ଶାସ୍ତ୍ରରେ ଏ ମାସ ମୋ ନାମରେ ହିଁ ପରିଚିତ ହେବ। ସେହିଦିନୁ ମଳମାସ ‘ପୁରୁଷୋତ୍ତମ ମାସ’ ନାମରେ ପରିଚିତ ହେଲା।

ଏଣୁ ମଳ ମାସରେ କୌଣସି ବେଦବିହିତ ଓ ସ୍ମୃତିଶାସ୍ତ୍ର ସମର୍ଥିତ କର୍ମ ବା ଶୁଭକର୍ମ କରାଯିବା ନିଷେଧ ହୋଇଥିଲେ ମଧ୍ୟ, ଏହିପରି ଏକ ‘ପୁରୁଷୋତ୍ତମ ମାସ’ ବା ‘ଯୋଡ଼ା ଆଷାଢ଼’ ପଡ଼ିଲେ ହୋଇଥାଏ ଶ୍ରୀଜଗନ୍ନାଥଙ୍କର ନବକଳେବର

ମଳ ମାସ ବା ପୁରୁଷୋତ୍ତମ ମାସ ହେଉଛି ଚାନ୍ଦ୍ରମାସ ଓ ସୌରମାସ ମଧ୍ୟରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ ।

ସୌରମାନ ବର୍ଷ (୧୨ଟି ସୌରମାସର ପରିମାଣ) ୩୬୫ ଦିନ ୬ ଘଣ୍ଟା, ଚାନ୍ଦ୍ରମାନ ବର୍ଷ (୧୨ଟି ଚାନ୍ଦ୍ରମାସର ପରିମାଣ) ପ୍ରାୟ ପରିମାଣ ୩୫୪ ଦିନ । ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ । ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ[୧] ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ ମାସର ନାମରେ ନାମିତହୁଏ ଯଥା କାର୍ତ୍ତିକମଳ, ବୈଶାଖମଳ ଇତ୍ୟାଦି । ମଳମାସ ଫାଲଗୁନଠାରୁ ମାର୍ଗଶୀର ଏହି ୧୦ ମାସରେ ପଡ଼େ । ପୁଷମାସ କେବେହେଁ ମଳମାସ ହୁଏନାହିଁ ଓ ମାଘରେ କ୍ୱଚିତ ମଳମାସ ପଡ଼େ । ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ । ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ନିର୍ଦ୍ଦିଷ୍ଟ ଋତୁରେ ପଡ଼େ; କିନ୍ତୁ ମୁସଲମାନମାନେ କେବଳ ଚାନ୍ଦ୍ରମାସ ଅନୁସାରେ ସମୟ ଗଣନା କରୁଥିବାରୁ ସେମାନଙ୍କ ପର୍ବ ଓ ଉତ୍ସବମାନ (ଯଥା- ଈଦ, ମହରମ) ସବୁ ଋତୁରେ ପଡ଼ିଥାଏ ।

ନାମକରଣ ଯଥାର୍ଥତା….

ସୂର୍ଯ୍ୟଙ୍କୁ ଆଦିତ୍ୟ କୁହାଯାଏ । ଅଦିତିଙ୍କ ପୂତ୍ର ହୋଇଥିବାରୁ ଆଦିତ୍ୟ ଅଦିତିଙ୍କର ୧୨ ଶ୍ରେଷ୍ଠ ପୁତ୍ରଙ୍କୁ ଦ୍ୱାଦଶ ଆଦିତ୍ୟ କୁହାଯାଏ । ୧୨ଟି ରାଶିକୁ ସୂର୍ଯ୍ୟ ବା ଆଦିତ୍ୟଙ୍କ ସଂକ୍ରମଣ ଅନୁସାରେ ୧୨ଟି ସୌର ମାସ ହୁଏ ଏବଂ ପ୍ରତ୍ୟେକ ମାସର ଅଧିପତି ଜଣେ ଜଣେ ଆଦିତ୍ୟ ହୋଇଥାନ୍ତି କିନ୍ତୁ ମାଳ ମାସ ଅସଂକ୍ରାନ୍ତି ମାସ ହୋଇଥିବାରୁ କୌଣସି ଆଦିତ୍ୟ ଏହାର ଅଧିପତି ହୋଇ ନଥାନ୍ତି ତେଣୁ ଏହି ମାସଟି ସ୍ୱୟଂ ବିଷ୍ଣୁ ବା ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ । ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ଏହି ମାସର ଅଧିପତି ତେଣୁ ଏହାକୁ ପୁରୁଷୋତ୍ତମ ମାସ କୁହାଯାଏ ।

ମଳ ମାସରେ ବିବାହ, ବ୍ରତ ଆଦି କୌଣସି ଶୁଭକାମ କରାଯାଏ ନାହିଁ କିନ୍ତୁ ଦାନ, ହୋମ, ଜପତପ, ଶାସ୍ତ୍ରାଦି ପଠନ, ବିଷ୍ଣୁ ସହସ୍ରନାମ ପାଠ, ଗୀତା, ଭାଗବତ, ବିଷ୍ଣୁ ପୁରାଣ ଆଦି ପାରାୟଣ ନିମନ୍ତେ ଏହି ମାସ ଉପଯୁକ୍ତ ଓ ପୂଣ୍ୟପ୍ରଦ ।

ପୁରୁଷୋତ୍ତମ ବ୍ରତ….

ପୁରୁଷୋତ୍ତମ ମାସରେ ଦିନରେ ଉପବାସ ଓ ରାତିରେ ସନ୍ଧ୍ୟାବେଳେ ଏକ ବକ୍ତ ନକ୍ତ ଭୋଜନ କରିବା ଉଚିତ । ଏହି ସମୟରେ ହରଡ଼ ଡାଲି, ତେଲ, ଉଷୁନା ଚାଉଳ, ହଳଦୀ, ସାଧାରଣ ଲୁଣ, ମସଲା ଆଦି ଖାଇବା ନିଷେଦ୍ଧ । ମୁଗ ଡାଲି, କଦଳି, ଅରୁଆ ଚାଉଳ, ଘିଅ, ସନ୍ଧୈବ ଲବଣରେ ପ୍ରସ୍ତୁତ ହବିଷାନ୍ନ ପ୍ରଦୋଷ ସମୟରେ ଏକ ବକ୍ତ ଖାଇବା ଉଚିତ ।ଏହାକୁ ନକ୍ତବ୍ରତ କୁହନ୍ତି । ଦିନରେ ଉପବାସ ରହିବା ସମ୍ଭବ ନହେଲେ ଫଳରସ, ଦହି, କ୍ଷୀର, ପଇଡ଼, ଆଦି ଖାଇ ପାରିବେ । ବ୍ରତ ସମୟରେ ମୌନ ବ୍ରତ ପାଳନ କରିବେ । କିନ୍ତୁ ପୁରୁଷୋତ୍ତମଙ୍କ ନାମ, ଗୁଣ, ଲୀଳା କୀର୍ତ୍ତନ କରିବା, ତାଙ୍କ ଜୀବନ ଚରିତ ସମ୍ବନ୍ଧୀୟ ପୁସ୍ତକ ପଠନ, ତାଙ୍କ ଲୀଳା ଶ୍ରବଣରେ ମୌନବ୍ରତ ଭଙ୍ଗ ହୁଏନାହିଁ । ବ୍ରତ ସମୟରେ ପୂଜା ଘରେ ଅଖଣ୍ଡ ଘିଅ ଦୀପ ଜାଳିବା ଉଚିତ । ଭୂମି ଶଯ୍ୟାରେ ଶୟନ କରିବା ଉଚିତ।

ଦାନ…

ପୁରୁଷୋତ୍ତମ ମାସରେ ପୂଣ୍ୟ ଅର୍ଜନ ପାଇଁ ଦାନ କରାଯାଏ । ଦୀପଦାନ, ଅନ୍ନଦାନ, ଛତ୍ରଦାନ, ଶଯ୍ୟାଦାନ, ବିଷ୍ଣୁମୁର୍ତ୍ତି ଦାନ, ଗୋଦାନ, ପିତ୍ତଳ ପାତ୍ରରେ ତିଳଦାନ, ବସ୍ତ୍ରଦାନ, ଧର୍ମପୁସ୍ତକ ଦାନ ଇତ୍ୟାଦି ମୁଖ୍ୟ ଦାନ ଏବଂ ଦାନର ମୁଖ୍ୟ ଅଧିକାରୀ ହେଉଛନ୍ତି ବ୍ରାହ୍ମଣ, ଗୁରୁ, ଆଚାର୍ଯ୍ୟ କିମ୍ବା ଯେଉଁ ଦ୍ରବ୍ୟ ଯାହାର ବେଶୀ ପ୍ରୟୋଜନୀୟ (ଯଥା କ୍ଷୁଧାର୍ଥକୁ ଖାଦ୍ୟଦାନ, ବସ୍ତ୍ରହୀନକୁ ବସ୍ତ୍ରଦାନ ଇତ୍ୟାଦି)। ପୁରୁଷୋତ୍ତମ ମାସରେ ପଡୁଥିବା ଦ୍ୱାଦଶୀ, ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣିମା ତିଥି ଏବଂ ବ୍ୟତିପାତ ଓ ବୈଧୃତି ଯୋଗ ବିଶିଷ୍ଟ ଦିନ ଦାନ ପାଇଁ ସର୍ବୋତ୍ତମ ।

ଶୁଭ କର୍ମ…..

ମଳ ମାସ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଶୁଭ ହେଲେ ମଧ୍ୟ ଏହି ମାସରେ ବିବାହ, ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, କୂପତଡ଼ାଗାଦି ଖନନ ଓ ପ୍ରତିଷ୍ଠା, ଦେବ ବିଗ୍ରହ ପ୍ରତିଷ୍ଠା ଆଦି କରାଯାଏ ନାହିଁ କିନ୍ତୁ ଏହି ମାସରେ ଗର୍ଭଧାନ, ପୁଂସବନ, ସିମନ୍ତୋନ୍ନୟନ, ନାମକରଣ, ଅନ୍ନପ୍ରାଶନ ଇତ୍ୟାଦି କରାଯାଇ ପାରିବ । ଯେଉଁମାନେ ସମ୍ପୁର୍ଣ୍ଣ ପୁରୁଷୋତ୍ତମ ମାସରେ ଦାନ, ହୋମ, ଜପ ଇତ୍ୟାଦି ପାଳନ କରିପାରିବେ ନାହିଁ, ସେମାନେ ଅନ୍ତତଃ ଅଷ୍ଟମୀ, ନବମୀ, ଦ୍ୱାଦଶୀ, ପୂର୍ଣ୍ଣିମା ତିଥିରେ ଏହା କରିବା ଉଚିତ । ଚତୁର୍ମାସ୍ୟା ଭିତରେ ମଳମାସ ପଡ଼ିଲେ ଚତୁର୍ମାସ୍ୟା ବ୍ରତଧାରୀମାନଙ୍କୁ ୫ ମାସ ଏହି ବ୍ରତ କରିବାକୁ ପଡ଼ିଥାଏ । ମଳମାସରେ କୌଣସି କାମ୍ୟ କର୍ମର ଆରମ୍ଭ ଓ ସମାପ୍ତି କରଣୀୟ ନୁହେଁ କିନ୍ତୁ ଆରମ୍ବ ଓ ସମାପ୍ତି ମଝିରେ ମଳମାସ ପଡ଼ିଲେ ସେ କାମ ମଳମାସରେ ମଧ୍ୟ କରାଯିବ । ମଳମାସରେ ପ୍ରଥମ ଦେବଦର୍ଶନ ଓ ପ୍ରଥମ ଅପୂର୍ବ ତୀର୍ଥସ୍ନାନ କରଣୀୟ ନୁହେଁ । ପୁଂସବନଠାରୁ ଅନ୍ନପ୍ରାଶନ ପର୍ଯ୍ୟନ୍ତ ୬ ଗୋଟି କର୍ମ, ପ୍ରେତ କର୍ମ ଓ ଅଲଭ୍ୟ ଯୋଗ ଶ୍ରାଦ୍ଧାଦି କର୍ମ ମଳମାସରେ କରଣୀୟ । ଅମାବାସ୍ୟା ଶ୍ରାଦ୍ଧ ମଳ ଓ ଶୁଦ୍ଧ ଉଭୟ ମାସରେ କରଣୀୟ । ଶୁଦ୍ଧ ମାସରେ ମୃତ ବ୍ୟକ୍ତିର ପ୍ରଥମ ସାମ୍ବତ୍ସରିକ ଶ୍ରାଦ୍ଧ ଓ ମଳମାସରେ ମୃତ ବ୍ୟକ୍ତିର ଅନ୍ୟ ସାମ୍ବତ୍ସରିକ ମଳ ମାସରେ କରଣୀୟ । ନିଷେକ, ବିବାହ, ପରବର୍ତ୍ତୀ ଦ୍ୱିତୀୟାରେ ହେଉଥିବା ନବଗ୍ରହ ବନ୍ଦାପନା, ନୂତନ ଗୟାଶ୍ରାଦ୍ଧ ମଳମାସରେ କରଣୀୟ । ଯେଉଁ ବର୍ଷ କ୍ଷୟମାସ ପଡ଼ିବ, ସେ ବର୍ଷ କ୍ଷୟମାସ ପୂର୍ବରୁ ଗୋଟିଏ ଅଧିମାସ ପଡ଼େ । ପ୍ରଥମଟିକୁ ସଂସର୍ପ ଓ ପରଟିକୁ ମଳମାସ (ଅହଂସ୍ପତି) କୁହାଯାଏ । ସଂସର୍ପ ମାସରେ ବିବାହ, ବ୍ରତ ପ୍ରଭୃତି ପ୍ରଧାନ କର୍ମ ଛାଡ଼ି ଶ୍ରୁତି ଓ ସ୍ମୃତି ବିହିତ ସମସ୍ତ କର୍ମ ଶୁଦ୍ଧମାସ ପରି କରାଯାଇପାରିବ । ଉକ୍ତ ମାସରେ ସାମ୍ବତ୍ସରିକ ତିଥି ଦୁଇଟି ମିଳୁଥିବାରୁ ଦୁଇଟି ତିଥିରେ ଦୁଇଗୋଟି ସାମ୍ବତ୍ସରିକ ଶ୍ରାଦ୍ଧ ହେବ । ଅଂହସ୍ପତି ଠିକ ମଳମାସ ପରି ଶରତ କାଳୀନ ଷୋଡଶଦିନାତ୍ମକ ଦୁର୍ଗୋତ୍ସବ ଶୁଦ୍ଧ ଆଶ୍ୱୀନ କୃଷ୍ଣାଷ୍ଟମୀରୁ ଆରମ୍ଭ ହୋଇ ଶୁଦ୍ଧ ଆଶ୍ୱିନ ଶୁକ୍ଲାଷ୍ଟମୀରେ ସମାପ୍ତ ହେଉଥିବାରୁ ସେ ମଧ୍ୟରେ ମଳମାସ ପଡ଼ିଲେ ଦୈନିକ ନିୟମିତ ପୂଜା କରାଯିବ ଏବଂ ସେ ବର୍ଷ ପୂଜା ୧୬ ଦିନ ବଦଳରେ ୪୬ ଦିନ ହେବ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ‘ମଳମାସ ନାରାୟଣ’ଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ଅଛି। ମଳମାସଗୁଡ଼ିକରେ ହିଁ ତାହାଙ୍କର ପୂଜାର୍ଚ୍ଚନା କରାଯାଇଥାଏ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ

Sunil Chandra Nayak

କୁଟେନ୍ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ 

Sunil Chandra Nayak

ତେରେସିଂହା ରେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!