ନକଲି ସାର୍ଟିଫିକେଟ୍ ଦେଇ କରୁଥିଲେ ଚାକିରି, ଜେଲ୍ ଗଲେ ଶିକ୍ଷକ ବାପା ଓ ଡାକ ସେବକ ପୁଅ..
ନକଲି ପ୍ରମାଣପତ୍ର ଦେଇ ଚାକିରି କରିବା ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ ବାପା-ପୁଅ । ବାପା ଶିକ୍ଷକ ଥିବାବେଳେ ପୁଅ ଡାକ ସେବକ ଭାବେ କାର୍ଯ୍ୟ କରୁଥିଲେ । ଏଭଳି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି ।
ଆଳୁ ଖୋଳୁ ଖୋଳୁ ସାରୁ ମିଳିବା ଭଳି ଡାକ ବିଭାଗରେ ନକଲି ସାର୍ଟିଫିକେଟ ଜରିଆରେ ନିଯୁକ୍ତି ଘଟଣାରେ ତଦନ୍ତ ଚାଲିଛି । ଏହି ମାମଲାରେ ପୂର୍ବରୁ ଡାକ ବିଭାଗରେ ଜାଲ୍ ସାର୍ଟିଫିକେଟ ଦେଇ ଛନକ ବାଗ ନାମକ ବ୍ୟକ୍ତି ଗିରଫ ହୋଇଥିଲେ । ପରେ ଜେରା ବେଳେ ପଦ୍ମନାଭଙ୍କ ବାବଦରେ ସୂଚନା ମିଳିଥିଲା । ଯେହେତୁ ପଦ୍ମନାଭଙ୍କ ପୁଅ ପ୍ରଭାତ ପୋଷ୍ଟ ମାଷ୍ଟର ଚାକିରି କରିଛନ୍ତି ତେଣୁ ସନ୍ଦେହ ବଢିଥିଲା । ଆଉ ଏବେ ଉଭୟ ବାପ-ପୁଅଙ୍କ ଅସଲ ମୁଖା ଖୋଲିଛି।କେଗାଁ ଥାନା କୁପଟି ଗ୍ରାମର ଛନିକ ବାଗ ନକଲି ପ୍ରମାଣପତ୍ର ମାମଲାରେ ଧରାପଡ଼ିବା ପରେ ପଦ୍ମନାଭ ମହାନନ୍ଦ ୩୦ ହଜାର ଟଙ୍କା ନେଇ ତାଙ୍କୁ ନକଲି ପ୍ରମାଣପତ୍ର ଦେଇଥିଲେ ବୋଲି ତଦନ୍ତ ବେଳେ ପୋଲିସକୁ କହିଥିଲା । ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠାଇଛି ପୋଲିସ । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି ।
ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ପ୍ରାର୍ଥୀମାନଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୋଲିସକୁ ସୂଚନା ମିଳିଥିଲା ।
କଳାହାଣ୍ଡି ଜିଲ୍ଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ ମାଧ୍ୟମିକ ଶିକ୍ଷା ପରିଷଦକୁ ସୁପାରିଶ କରିଥିଲେ । ବୋର୍ଡ କର୍ତ୍ତୃପକ୍ଷ ପ୍ରଭାତ ମହାନନ୍ଦ ନାମକ ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରି ତାହା ନକଲି ବୋଲି ଜାଣି ପାରିଥିଲେ । ଏହାପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତରୁ ଜାଣିପାରିଛି ଯେ, ପୁଅ ନକଲି ପ୍ରମାଣପତ୍ର ବଳରେ ଡାକ ବିଭାଗରେ ଚାକିରି କରୁଥିଲା । ପୁଅକୁ ନକଲି ସାର୍ଟିଫିକେଟ ଯୋଗାଇଥିବା ବାପା ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ପୂର୍ବରୁ ନକଲି ଡାକ କର୍ମଚାରୀ ଛନକ ବାଗ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଭବାନୀପାଟଣା ଟାଉନ ପୋଲିସ ପଦ୍ମନାଭ ମହାନନ୍ଦ ଓ ତାଙ୍କ ପୁଅ ପ୍ରଭାତ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।