କଟକ : ସୁସ୍ଥ ତଥା ସୁନ୍ଦର ସମାଜ ଗଠନ ଆମ ସମୟର ଏକ ଆହ୍ୱାନ । ବିକଶିତ ମାନବର ଯୁଗରେ ଆମକୁ ଦେଶ ଜାତିର ବିକାଶ ନେଇ ସତତ ବ୍ରତୀ ହେବା ଜରୁରୀ । ଜଣେ ବିଶିଷ୍ଟ ପରିବେଶବିତ୍,ମାନବବାଦୀ ସ୍ରଷ୍ଟା, ବିଶିଷ୍ଟ ଶିକ୍ଷାବିତ୍,ସମାଜ ସଂସ୍କାରକ, ବାସୁଦେବ ପାତ୍ର ଏକ ଉଦାହରଣ । କାହ୍ନୁ ଚରଣ ପାତ୍ର ଓ ସୁଜାତା ପାତ୍ରଙ୍କ ପୁତ୍ର କଟକ ଜିଲ୍ଲା ତେଲେଙ୍ଗାପେଣ୍ଠ ଉପକଣ୍ଠ ନଛିପୁର ଗ୍ରାମରେ ତାଙ୍କ ଜନ୍ମ । ବୃତ୍ତିରେ ସେ ଜଣେ ଲୋକ ପାଇଲଟ୍ । ବିଭିନ୍ନ ଜନ ହିତକର କାର୍ଯ୍ଯ,ରକ୍ତଦାନ ଶିବିର ଆୟୋଜନରେ ବ୍ରତୀ । ସାମାଜିକ ସଂଗଠନ “ହିନ୍ଦୁସ୍ଥାନ ହେଲପିଙ୍ଗ ହ୍ୟାଣ୍ଡସ୍” ତାଙ୍କ ହାତଗଢା ଅନୁଷ୍ଠାନ । ଅଠର ଥର ରକ୍ତଦାନ କରିବା ସହ ତାଙ୍କ ସଂଗଠନ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରିଛି । ଏଯାବତ୍ ୩୦୦୦୦ ରୁ ଉର୍ଦ୍ଧ ଚାରା ରୋପଣ ସହ ପାଞ୍ଚଟି ଜଙ୍ଗଲ (ଅକ୍ସିଜେନ୍ ପ୍ଲାଣ୍ଟ,ଲିଟିଲ୍ ଅମାଜନ୍,ମିଷ୍ଟ୍ରେସ୍ ଦୌପ୍ରଦୀ ମୁର୍ମୁ ଫରେଷ୍ଟ,ହୋଲି ଉଡ୍,ଲାଇଫ ଲାଇନ ଫରେଷ୍ଟ ଆଦି ଜଙ୍ଗଲର ନାମ) ସୃଷ୍ଟି କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳ ପିଲାଙ୍କ ବିକାଶ,ସଚେତନତା,ସେମାନଙ୍କୁ ଭଲ ସରକାରୀ ବୃତ୍ତି ଦିଗର ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ଯଥା ରେଳବାଇ ବିଭାଗ,ଓଡ଼ିଶା ପୋଲିସ୍,ଆରଆଇ,ଅମିନ,ଫରେଷ୍ଟ ଗାର୍ଡ,ସପ୍ଲାଇ ଇନିସପେକ୍ଟର,ଜେଇ,ପିଏସଓ, ଏଏସଓ ପାଇଁ ପ୍ରସ୍ତୁତ କରିବା ନେ଼ଇ ମାଗଣାରେ ଶିକ୍ଷଦାନ କରାଉଛନ୍ତି । ସେ ତାଙ୍କ ଦରମାରୁ ଅଧିକାଂଶ ଅର୍ଥ ଏହି ଶିକ୍ଷା,ସେବା ଦିଗରେ ଖର୍ଚ୍ଚ କରନ୍ତି । ତାଙ୍କ ଶିକ୍ଷାନୁଷ୍ଠାନରୁ ପାଖାପାଖି ଚାଳିଶ ଜଣ ମେଧା ବିଦ୍ୟାର୍ଥି ଉତିର୍ଣ୍ଣ ହୋଇ ବହୁ ସରକାରୀ ଚାକିରୀ ପାଇଛନ୍ତି ।