ଜୀବନେ ସତ୍ୟଟି ଏହି
ଜନମ ତୋହର ନ ହେବ ସାର୍ଥକ
ଅହଂ ଭାବ ଘେନା କଲେ
ଆତ୍ମଜ୍ଞାନ ତୋର ବିନାଶ ହୋଇବ
ଅସତ୍ୟ ମାର୍ଗରେ ଗଲେ ।
ମୋର ମୋର ବୋଲି ଯାହା ତୁ କହୁଛୁ
ତୋ’ର ବୋଲି କିଛି ନାହିଁ
ଆସିଅଛୁ ଏକା ଯିବୁ ତୁହି ଏକା
ଗର୍ବ କରୁ କାହିଁ ପାଇଁ ।
ଛ’ଖଣ୍ଡି ବାଉଁଶ ଶେଷେ ହେବ ଲୋଡ଼ା
ଚାରି କାନ୍ଧେ ହେବୁ ବୁହା
ମୋର ମୋର କହି ଯାହା ତୁ ଅର୍ଜୁଛୁ
କହିବେନି କେହି ଆହା ।
ଏନ୍ତୁଡ଼ି ନିଆଁରେ ଶେକା ହୋଇଥିଲୁ
ଶରୀର ଶକତି ପାଇଁ
ଜୁଇର ନିଆଁରେ ପାଉଁଶ ହୋଇବୁ
ସଂସାର ପଛରେ ଧାଇଁ ।
କର୍ମ ବଳେ ଧର୍ମ ଯାହା ଅର୍ଜିଥିବୁ
ସେହିଁ ହେବ ତୋର ସାହା
ସତ୍ୟ ପଥେ ଚାଲି ଦୁଃଖ ପାଇଥିଲେ
ସାହା ହେବେ ଚଉବାହା ।
ସତ୍ୟ ପଥେ ଚଳି ଦୁଃଖ ପାଇଥିଲେ
ହୋଇବୁ ମହତ ଜନ
ସଂସାର ସାଗରେ ବୁଡି ଯାଉଥିଲେ
ରଖିବେ ଜଗତ ଧନ ।
ନିଜ ଧର୍ମେ ରହି ନିଧନ ହୋଇଲେ
ଦୁଃଖ ନ କରିବୁ ତୁହି
ପର ଧର୍ମ ଭାବ ଅଟେ ଭୟାବହ
ସାଧୁ ଯାଇଛନ୍ତି କହି ।
ଅଧର୍ମ ଭିତରେ ଧର୍ମ ଅଛି ବୋଲି
ଫଳ ଫଳାଉଛି ମହି
ଦୟାର ଭାବନା କିଛି ହୃଦେ ଅଛି
ଜୀବନେ ସତ୍ୟଟି ଏହି ।
ଜୟ ଶ୍ରୀଜଗନ୍ନାଥ…………
ରଞ୍ଜନ କୁମାର ପଣ୍ଡା
କୋରାପୁଟ