ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

ରାଉରକେଲା/ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ପୂରାତନ ତଥା ପ୍ରତିଷ୍ଠିତ ମହାବିଦ୍ୟାଳୟ – ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଆରମ୍ଭ ହୋଇଛି ‘ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’୤ ଏହି ବକ୍ତୃତା ଶୃଙ୍ଖଳା କାର୍ଯ୍ୟକ୍ରମର ପ୍ରଥମ କାର୍ଯ୍ୟକ୍ରମରେ ‘ଓଡ଼ିଶାର ଜନଜାତିମାନଙ୍କର ଉତ୍ଥାନରେ ଅବିଦିତ ବ୍ୟକ୍ତିତ୍ବଭାବେ ନିର୍ମଳ ମୁଣ୍ଡାଙ୍କ ଭୂମିକା’ ଶୀର୍ଷକ ବକ୍ତୃତାରୁ ଆରମ୍ଭ ହୋଇଛି।ଉପାଧ୍ୟୁତ୍ତର ଇତିହାସ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଇତିହାସ ବିଭାଗର ମୁଖ୍ୟ ବାସନ୍ତୀ କୁଜୁର । ଓଡ଼ିଶାର ଅଦ୍ବିତୀୟ ଜନଜାତି ସ୍ବାଧୀନତା ସଂଗ୍ରାମୀଭାବେ ସ୍ବର୍ଗତ ନିର୍ମଳ ମୁଣ୍ଡାଙ୍କ ନାମରେ ଆରମ୍ଭ ହୋଇଥିବା ଏହି ସ୍ମାରକୀ ବକ୍ତୃତାମାଳା ଆସନ୍ତା ଦିନରେ ଭିନ୍ନ ଭିନ୍ନ ଦିନ ଆୟୋଜିତ ହେବ ବୋଲି ପ୍ରଫେସର ବେହେରା ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ବକ୍ତୃତା ଶୃଙ୍ଖଳା କାର୍ଯ୍ୟକ୍ରମର ସଂଯୋଜିକା ଡ଼ଃ ସସ୍ମିତା ସାମଲ ସୂଚନା ଦେଇଥିଲାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବାସନ୍ତୀ କୁଜୁର । ଏଥିରେ ସ୍ବତନ୍ତ୍ର ବକ୍ତାଭାବେ ଆଦିବାସୀ ସଂସ୍କୃତି ଓ ଗବେଷଣା କେନ୍ଦ୍ର-ସଂସ୍କୃତି କେନ୍ଦ୍ର, ସୁନ୍ଦରଗଡ଼ର ନିର୍ଦ୍ଦେଶକ ଡ଼ଃ ଇଗ୍ନାସିୟସ୍ ସୋରେଙ୍ଗ ଯୋଗଦେଇ ପରାଧୀନ ଓ ସ୍ବାଧୀନ ଭାରତରେ ଜଣେ ଚର୍ଚ୍ଚିତ ଆଦିବାସୀ ନେତାଭାବେ ନିର୍ମଳ ମୁଣ୍ଡାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।୧୮୯୩ରେ ତତ୍କାଳୀନ ଗାଙ୍ଗପୁର ରାଜ୍ୟର ବର୍ତୋଲି ଗ୍ରାମରେ ଜନ୍ମିତ ସ୍ବର୍ଗତ ମୁଣ୍ଡା ତାଙ୍କ ୭୬ ବର୍ଷର ଜୀବନ କାଳ ମଧ୍ୟରେ ଆଦିବାସୀମାନଙ୍କ ଉନ୍ନତି ଓ ବିକାଶ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି। ବିଶେଷ କରି ବିଶ୍ବ ଯୁଦ୍ଧ ସମୟରେ ଜଣେ ସ୍ବାଧୀନତା ସଂଗ୍ରାମୀ ତଥା କୃଷକ ନେତାଭାବେ ପରିଚୟ ପାଇଥିବା ସ୍ବର୍ଗତ ନିର୍ମଳ ମୁଣ୍ଡା ବିଧାୟକ ହେବା ସହ ଜଣେ ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ହୋଇଥିଲେ। ଭାରତର ଦ୍ବିତୀୟ ଜାଲିଆନାୱାଲାବାଗ ଭାବେ ପରିଚିତ ଆମ୍କୋ-ସିମ୍କୋ ଗୁଳିକାଣ୍ଡ ଘଟଣା ଓ ଏଥିରେ ସ୍ବର୍ଗତ ନିର୍ମଳ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ନେତୃତ୍ବ ଓଡ଼ିଶାର ସ୍ବାଧୀନତା ସଂଗ୍ରାମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ବୋଲି ଡ଼ଃ ସୋରେଙ୍ଗ କହିବା ସହ ଆଜି ମଧ୍ୟ ଏହା ଏକ ଅନାଲୋଚିତ ଅଧ୍ୟାୟ ବୋଲି କହିଥିଲେ। ଇତିହାସ ବିଭାଗର ଅଧ୍ୟାପକ ବିକ୍ରମ କୁମାର ମଲ୍ଲିକ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଚଳିତ ମାସ ୯ ତାରିଖ ଦିନ ବକ୍ତୃତା ଶୃଙ୍ଖଳାର ଦ୍ବିତୀୟ ଅର୍ଘ୍ୟ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ହେବ। ଏଥିରେ ଏନ୍‌ଆଇଟି ରାଉରକେଲାର ରସାୟନ ବିଭାଗର ଡ଼ଃ ସୌରଭ ଚାଟାର୍ଜୀ ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ଶୀର୍ଷକରେ ଆଲୋଚନା କରିବେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁର୍ଘଟଣା ରେ ଗୁରୁତ୍ତର ଯୁବକଙ୍କ ମୃତ୍ୟୁ 

Sunil Chandra Nayak

ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ମହିଳା କୃଷି ତାଲିମ୍ ଶିବିର 

Sunil Chandra Nayak

ଶିଶୁ ଓ ମହିଳା ଚାଲାଣ ରୋକିବା ଉପରେ ସଚେତନତା ଅଭିଯାନ

masiha

Leave a Comment

error: Content is protected !!