କାର ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁ ଘଟଣା : କ୍ଷତି ପୂରଣ ଦାବିରେ ରାସ୍ତାରୋକ
ମ.ରାମପୁର,୩୦/୧୧( ମସୀହା): ଗତକାଲି (ବୁଧବାର) ଦିନ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ବୁରାଟ ନିକଟରେ ଏକ କାର ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା l ଏଥିରେ ସ୍କୁଟି ଚାଳକ ସଲେପାଲି ଗ୍ରାମ ର ମହେନ୍ଦ୍ର ରଣା ( ୪୫) ମୁଣ୍ଡରେ ମାଡ଼ ହୋଇ ଗୁରୁତର ଆଘାତ ହୋଇଥିଲେ l ତାଙ୍କୁ ଉଦ୍ଧାର କରି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ମୁଣ୍ଡରେ ଗଭୀର ମାଡ ହେତୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ପଠାଯାଇଥିଲା l ମହେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ଭୁବନେଶ୍ୱର କୁ ନେବା ବାଟରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା l ତାଙ୍କ ମୃତ ଦେହ ମ.ରାମପୁର କୁ ପୁଣି ଅଣାଯାଇ ଡାକ୍ତରଖାନାରେ ଆଜି ଶବ ବ୍ୟବଶେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l ଏହାପରେ ପ୍ରାୟ ସାଢେ଼ ଦଶ ଘଣ୍ଟା ସମୟରେ କ୍ଷତି ପୂରଣ ଦାବିରେ ତାଙ୍କ ଶବକୁ ନେଇ ପରିବାର ବର୍ଗ ଓ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ମ.ରାମପୁର – ଭବାନୀପାଟଣା ସଡ଼କ ପଥକୁ ସମ୍ପୂର୍ଣ୍ଣ ଅବରୋଧ କରି ବସିଛନ୍ତି ଏବଂ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି ରଖିଛନ୍ତି l ଫଳରେ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି l ସୂଚନା ଥାଉକି, ମହେନ୍ଦ୍ର ଜଣେ ରାଜମିସ୍ତ୍ରୀ ହୋଇ ଥିବାବେଳେ ସେ ଗତକାଲି ଏକ ଘର ନିର୍ମାଣ କାମ କରିବା ପାଇଁ ନିଜ ଗାଁ ସାଲେପାଲି ରୁ ମ.ରାମପୁର କୁ ଆସୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ସେ ଘର ର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ l ଘରେ ତାଙ୍କର ବୃଦ୍ଧ ବାପା ପକ୍ଷାଘାତ ରୋଗରେ ପଡ଼ି ଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ କୌଣସି ଏକ ରୋଗ ପାଇଁ ଅସ୍ତ୍ରୋପଚାର ହେଇ ପଡିଛନ୍ତି l ତାଙ୍କ ପରିବାର ଦୁର୍ଦ୍ଦିନରେ ଚାଲିଛି l ୧୭ ବର୍ଷର ଜଣେ ପାଠ ପଢୁଆ ପୁଅ ରହିଛି l ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ନଥିଲେ l