ହାଇୱା ଧକ୍କାରେ ଯୁବକ ମୃତ,
କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ଜୁନାଗଡ ୪/୧୨(ମ ନି ସ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଆଇ ଆର ବି କ୍ୟାମ୍ପ ନିକଟରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ପୃଥିରାଜ ପ୍ରଧାନୀ(୩୫ )ହୋଇଥିବାବେଳେ ସେ କୁଲିହାରି ଗାଁର ବୋଲି ଜଣାପଡିଛି। ସୋମବାର ପୂର୍ବାହ୍ନରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବିଶାଖାପାଟଣା ନେଉଥିବା ବେଳେ ରାସ୍ତାରେ ମୃତୁହୋଇ ଯାଇଥିଲା। ମଙ୍ଗଳବାରମୃତ ଦେହ ଜୁନାଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ହୋଇଥିଲା। ପରେ ମୃତ ଦେହକୁ ଧରି ପରିବାର ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିରେ ଜୁନାଗଡ଼ ପୋଲିସ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬ ରେ ମଧ୍ୟାହ୍ନରୁ ଅପରାହ୍ନ ଯାଏ ରାସ୍ତାରୋକ କରିଥିଲେ। ଏହାଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଯାତାୟାତ କରି ନ ପାରି ଅଟକି ରହିଥିଲା।ଖବର ପାଇ ଧର୍ମଗଡ଼ ଏସ୍ଡ଼ିପିଓ ଧିରଜ କୁମାର ଚୋପଦାର,ଜୁନାଗଡ଼ ଆଇଆଇଆସି ଶେଷଦେଵ ବେହେରା,ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝାସୁଜା କରିଥିଲେ। ପରେ ସରକାରୀ ସହାୟତା ଓ କ୍ଷତି ପୂରଣ ଯୋଗାଇଦିଆ ଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ କାରି ରାସ୍ତାରୁ ହଟିଥିଲେ।