ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ
ଭବାନୀ ପାଟଣା (ମ ନି ସ) – ଭାରତ ବର୍ଷର ସହରୀ ମଣିଷ ଦୁଆର ମୁହଁରେ ଉଡାଜାହାଜ ଯାତ୍ରା କରୁଥିବା ବେଳେ ସ୍ଵାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଲୋକେ ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ହୋଇଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଅଞ୍ଚଳର ବିକାଶ ପ୍ରତିହତ ହେଉଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜିବି ସ୍ବାଧୀନ ରାଷ୍ଟ୍ରର ସ୍ବାଧିନତା ସ୍ବାଦ ବାରି ପାରିନାହାନ୍ତି ଅନେକ ଅଞ୍ଚଳବାସୀ।ଏବେବି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ମୌଳିକ ସୁବିଧା ଅପହଞ୍ଚ।ଅନେକ ସମସ୍ୟାରେ ଜର୍ଜରିତ ଏଠାକାର ଅସହାୟ ମଣିଷ।ସତେ ଯେମିତି ଏକ ଅଭିଶପ୍ତ ଜୀବନ ମଧ୍ୟରେ ବଞ୍ଚିବାକୁ ବାଧ୍ୟ ଏଠାକାର ସରଳ ନିରୀହ ମଣିଷ।ଅସହାୟ ବୃଦ୍ଧ ବୃଦ୍ଧା,ବିଧବା ତଥା ଭିନ୍ନକ୍ଷମ ଲୋକେ କାଟୁଛନ୍ତି ଦୁର୍ବିସହ ଜୀବନ। ଯୋଜନ ଯୋଜନ ଦୂରରେ ଏହି ଅଞ୍ଚଳ ବାସୀଙ୍କ ପାଇଁ ସରକାରଙ୍କ ସରକାରୀ ଯୋଜନା।ପ୍ରତ୍ୟେକ ଯୋଜନା ଏସବୁ ଅଞ୍ଚଳ ପାଇଁ ପାଲଟିଛି ସାତସପନ।
ଏହିଭଳି ଏକ ଅଞ୍ଚଳ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ନବଗଠିତ ଦୁର୍ଗମ ସିଲେଟ ଗ୍ରାମ ପଞ୍ଚାୟତ। ଏହାର ବିକାଶର ବାଟ ଓଗାଳିଛି ନାଗାବଳୀ ନଦୀ।ଏହି ଗ୍ରାମପଞ୍ଚାୟତର କେଲୁଆ,ଦୁର୍ବେଲଗୁଡା,ଝାଞ୍ଜି, ମାଳତୀପଦର,ମାରଗୁମା,ପାଜିଖାଲ,କୁଟଖାଲ ଏବଂ କାରବାଲି ପଡା ଏହି ସବୁ ଗ୍ରାମ ଉପଗ୍ରାମ ହେଉଛି ଏଭଳି ଏକ ଉଦାହରଣ।କେଲୁଆ ଗ୍ରାମରେ ପ୍ରାୟ ୬୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଦୁର୍ବେଲଗୁଡାରେ ପ୍ରାୟ ୫୦,ଝାଞ୍ଜି ଗ୍ରାମରେ ୩୨, ମାଳତୀପଦରରେ ୪୨,ମାରଗୁମାରେ ୪୫, ପାଜିଖାଲରେ ୩୨,କୁଟଖାଲରେ ୧୩ ଏବଂ କାରବାଲି ପଡାରେ ୧୨ ପରିବାର ବସବାସ କରିଛନ୍ତି।ଏଭଳି ଭାବରେ ପ୍ରାୟ ୨୨୬ ପରିବାର ବସବାସ କରୁଥିବା ଏହି ଅଞ୍ଚଳ ନାଗାବଳୀ ନଦୀ ଯୋଗୁଁ ବିଚ୍ଛିନ୍ନାଞ୍ଚଳ ପାଲଟିଛି।ଦାନ ମାଝୀ ତାର ସ୍ତ୍ରୀର ଶବକୁ ଯେତେବେଳେ ୧୨ କିଲୋମିଟର ଭବାନୀପାଟଣା ପାଟଣା ଠାରୁ ନିଜ କାନ୍ଧରେ ବୋହି ଆଣିବା ଏକ ଅଭାବନୀୟ ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲା।ଯେଉଁଥିରେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ପ୍ରଚାର ପ୍ରସାର ପଦାରେ ପଡିଥିଲା।ଆଗକୁ ଆଉ ଯେପରି ଏହିଭଳି କୌଣସି ଘଟଣା ଅବା ପରିସ୍ଥିତି ସୃଷ୍ଟି ନହେବା ପାଇଁ ଦାନ ମାଝୀଙ୍କୁ ଏବଂ ଦାନ ମାଝୀଙ୍କ ଅଞ୍ଚଳ ବାସୀଙ୍କୁ ସେହି ସମୟରେ ମିଳିଥିଲା ବଡବଡ ପ୍ରତିଶ୍ରୁତି।ହେଲେ ୫ ବର୍ଷ ଅତିକ୍ରମ ପରେ ଦାନ ମାଝୀଙ୍କ ଗାଁ ସହିତ ଦୁର୍ଗମ ସିଲେଟ ଗ୍ରାମ।ପଞ୍ଚାୟତ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତାଟିଏ ନିର୍ମାଣ ଚାଲିଛି।ଯାହାକି ଦାନ ମାଝୀଙ୍କ ଗାଁ ମେଲଘରା ଠାରୁ ସିଲେଟ ପଞ୍ଚାୟତର ସେମିଖାଲ୍,ରୁପେଣ୍, ଦାଣ୍ଡପଦର ଓ ସିଲେଟ ଗ୍ରାମକୁ ସଂଯୋଗ ହୋଇପାରିଛି।କିନ୍ତୁ ସିଲେଟ ଠାରୁ ଏସବୁ ଗ୍ରାମ ପ୍ରତି ପ୍ରଶାସନ ଗମନାଗମନର ସ୍ଥାୟୀ ବ୍ୟବସ୍ଥା ହେବ ତାହାକୁ ଅନାଇ ବସିଛନ୍ତି ଏସବୁ ଅବହେଳିତ ଅଞ୍ଚଳର ଗ୍ରାମବାସୀ।ଦୁର୍ବେଲଗୁଡା ଓ ଝାଞ୍ଜିରେ ପ୍ରାୟ ୮୨ ଆଦିବାସୀ ହରିଜନ ପରିବାର ବସବାସ କରୁଥିବା ଏହି ଦୁଇଟି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ନାହିଁ।ଏହି ଦୁଇଟି ଗ୍ରାମ ପାଇଁ ଗୋଟିଏ ଅଙ୍ଗନବାଡି ନିଯୁକ୍ତ ହୋଇଛନ୍ତି କିନ୍ତୁ ପରିତାପର ବିଷୟ ସେଠାରେ ଆଜିଯାଏ ନିର୍ମାଣ ହୋଇପାରିନି ଅଙ୍ଗନବାଡି କେନ୍ଦ୍ର ଗୃହ।ଦୀର୍ଘ ଦିନ ହେବ ଅଙ୍ଗନବାଡି କେନ୍ଦ୍ରର ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି।ଏଠିକାର କୋମଳମତୀ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ କ’ଣ ହେବ ତାହା ଅନୁମେୟ।ଏମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ନ ଥିଲା ପ୍ରାୟ ।ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଓ.ଟି.ଇ.ଏଲ୍.ପି ପକ୍ଷରୁ ଗ୍ରାଭିଟି ମାଧ୍ୟମରେ ପାଇପ୍ ଯୋଗେ ଗ୍ରାମକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷା ବିତ୍ପାତ ଯୋଗୁଁ ଅନେକ ସମୟରେ ପ୍ରକଳ୍ପ ଭାଙ୍ଗି ନଷ୍ଟ ହୋଇଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଏହାର ମରାମତି ପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା ଅଭିଯୋଗ ସାମ୍ନାକୁ ଆସୁଛି।ସେହିଭଳି ପାଜିଖାଲ, କୁଟଖାଲ ଓ କାରବାଲି ପଡା ବାସୀ ମଧ ଅନୁରୂପ ସମସ୍ୟା ଦେଇ ଗତିକରୁଥିବା ଜଣାପଡିଛି। ସିଲେଟ ଗ୍ରାମ ପଞ୍ଚାୟତର ଏହି ବିଚ୍ଛିନ୍ନାଞ୍ଚଳ ରେ ରହିଥିବା ମାରଗୁମା ଓ ମାଳତୀପଦର ଠାରେ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ଅଛି।ହେଲେ ଏଠିକାର ଶିଶୁମାନଙ୍କ ପାଇଁ ଶିକ୍ଷାର କିଭଳି ବ୍ୟବସ୍ଥା ଓ ଅବସ୍ଥା ରହିଛି ତାହା ଏକ ଅସମାହିତ ପ୍ରଶ୍ନ ।ଏସବୁ ଅଞ୍ଚଳ ପାଇଁ ସ୍ବାସ୍ଥ୍ୟସେବା ନକହିବା ଭଲ ଗର୍ଭବତୀ ମହିଳା କି ରୋଗୀ ଗୁରୁତର ଅବସ୍ଥାରେ ପଡି ଜିବନ ମରଣ ସହ ଛଟପଟ ହେବା ଛଡା ଅନ୍ୟ ଉପାୟ ନାହିଁ।ତଥାପି ବେଳେବେଳେ ଏଭଳି ଅବସ୍ଥାରେ ଖଟିଆରେ ବୁହା ହୋଇ ରାୟଗଡା-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା କଲ୍ୟାଣ ସିଂପୁର କୁ ସ୍ବାସ୍ଥ୍ୟସେବା ପାଇଁ ଯିବାକୁ ପଡିଥାଏ। ପିଡିଏସ୍ ଚାଉଳ, କିରୋସିନ୍ ଓ ଭତ୍ତା ପାଇଁ ଏହି ନଦୀ ପାରି ହୋଇ ଯିବାକୁ ପଡିଥାଏ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ। ବର୍ଷର କେବଳ ଖରା ଚାରିମାସ ଏହି ନଦୀ ଦେଇ ଯାତାୟତ କରିପାରୁଥିବା ବେଳେ ବାକି ୮ ମାସ ଏସବୁ ଅଞ୍ଚଳ ବାସୀଙ୍କ ପାଇଁ ବିପଦ ସାଜିଥାଏ ଏହି ଖରସ୍ରୋତା ନାଗାବଳୀ ନଦୀ।ମୋବାଇଲ ନେଟୱର୍କ କି ଇଣ୍ଟରନେଟ୍ ସେବା କଥା ନକହିବା ଭଲ। ସରକାର ତୁରନ୍ତ ଏହି ଦୁର୍ଗମ ଅଞ୍ଚଳକୁ ସ୍ଥାୟୀ ଗମନାଗମନର ବ୍ୟବସ୍ଥା ପାଇଁ ଏହି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ସମସ୍ୟାର ସମାଧାନ କରିବାକୁ ଉକ୍ତ ସିଲେଟ୍ ପଞ୍ଚାୟତ ବାସୀ ଦାବୀ କରିଛନ୍ତି ।
ସହ ସମ୍ପାଦକ, ଅର୍ଜୁନ ପଟ୍ଟନାୟକଙ୍କ ରିପୋର୍ଟ ମସିହା ।