ନଦୀରେ ତିଆରି କଲେ ୧୦୦ ମିଟରର ରାସ୍ତା
ନିର୍ବାଚନ ସମୟରେ ଅନେକ ପ୍ରାର୍ଥୀ ଭୋଟ ପାଇବା ପାଇଁ ଲୋକଙ୍କୁ ଅନେକ ପ୍ରତିଶୢତି ଦେଇ ଥାନ୍ତି । କିନ୍ତୁ ନିର୍ବାଚନ ସରି ଗଲେ ଲୋକଙ୍କୁ ଦେଇ ଥିବା ପ୍ରତିଶୢତିକୁ ଭୁଲି ଯାନ୍ତି । କିନ୍ତୁ ନିଜ କଥା ରଖିଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ଝଗ୍ରାହୀ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ସସ୍ମିତା ଗଡତିଆ । ଏବେ ସସ୍ମିତାଙ୍କ ଉଦ୍ୟମକୁ ଲୋକେ ପ୍ରଶଂସା କରୁଛନ୍ତି ।
ନୂଆପଡା ଜିଲ୍ଲା କୋମନା ବ୍ଲକ ଝଗ୍ରାହୀ ପଞ୍ଚାୟତର ବରନ୍ଦାଯୋର ଓ କୁରେଶ୍ବର ପଞ୍ଚାୟତର ଜନ୍ଧରାମୁଣ୍ତା ଗାଁ ମଝିରେ ସୁନ୍ଦର ନଦୀ । ବର୍ଷକୁ ପ୍ରାୟ ୬ ମାସ ନଦୀରେ ପାଣି ରହୁ ଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉ ଥିଲେ । ଗତ ପଞ୍ଚାୟତ ନିର୍ବାଚନ ସମୟରେ ୨ ଗାଁ ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇ ଥିଲେ । ବିଗତ ଦିନରେ ମଧ୍ୟ ଲୋକେ ଭୋଟ ବର୍ଜନ କରି ଥିଲେ । କିନ୍ତୁ ସମସ୍ୟାର ସମାଧାନ ହୋଇ ନ ଥିଲା । ବିଗତ ନିର୍ବାଚନ ପୂର୍ବରୁ ପ୍ରଶାସନ ଗାଁକୁ ଯାଇ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରି ଥିଲେ ।
ନିର୍ବାଚନ ସମୟରେ ଯେତେ ବେଳେ ଝଗ୍ରାହୀ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ସସ୍ମିତା ଗଡତିଆ ବରନ୍ଦାଯୋର ଗାଁକୁ ନିର୍ବାଚନ ପ୍ରଚାରରେ ଯାଇ ଥିଲେ । ଲୋକେ ନଦୀ ରାସ୍ତା ସମସ୍ୟା ସଂପର୍କରେ ତାଙ୍କୁ ଜଣାଇ ଥିଲେ । ସସ୍ମିତା ଗଡତିଆ ଲୋକଙ୍କୁ କଥା ଦେଇ ଥିଲେ ଯେ, ଯଦି ସେ ଜିତିବେ ରାସ୍ତା କାମ କରିବେ,ହାରିଲେ ବି ରାସ୍ତା କାମ କରିବେ । ଲୋକେ ତାଙ୍କୁ ବିଶ୍ବାସ କରି ଭୋଟ ଦେଲେ । ସସ୍ମିତା ଭୋଟରେ ବିଜୟୀ ହେଲେ । ଦୁଇ ଗାଁ ଲୋକଙ୍କ ସହାୟତାରେ ସୁନ୍ଦର ନଦୀରେ ୧୦୦ ମିଟରର ଏକ ଗମନାଗମନ ଉପଯୋଗୀ ରାସ୍ତା ତିଆରି କରିଛନ୍ତି । ତାହା ପୁଣି ନିଜ ଖର୍ଚ୍ଚରେ ।ତାଙ୍କୁ ଏହି କାମରେ ଝଗ୍ରାହୀ ସରପଞ୍ଚ ପୁଷ୍ପାଞଳି ଚିନାଗୁନ, ୱାଡ ମେମ୍ବର ଧନମତୀ ମାଝି, ସମରଥ ମାଝି,ଦଶମତ ମାଝି, ରଥୁରାମ ମାଝି, ଓକିଲ ମାଝି, ସଦନ ମାଝିଙ୍କ ସହ ଶତାଧିକ ଗ୍ରାମବାସୀ ସହଯୋଗ କରି ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ