ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର

କେନ୍ଦ୍ରାପଡ଼ା, ତା ୦୧/୦୪: ବୀରପ୍ରସବିନୀ ଓଡ଼ିଶା ମାଟିର ସୁଯୋଗ୍ୟ ବରପୁତ୍ରମାନେ ଥିଲେ ଦୂରଦ୍ରଷ୍ଟା । ସେମାନେ ବୁଝିଥିଲେ ହୃଦୟର ଭାଷା ଅର୍ଥାତ୍ ମାତୃଭାଷା ହେଉଛି ଆମ ଅତୀତର ଅସ୍ତିତ୍ୱ ପୁଣି ଆମ ଭବିଷ୍ୟତ । ମାତୃଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣ କଲେ ପାଠ ହୁଏ ସୁବୋଧ୍ୟ, ସହଜ ଓ ସରଳ । ତେଣୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସେମାନେ ଅତୀତରେ ଉଦ୍ୟମ କରିଥିଲେ ଓ ସଫଳ ହୋଇଥିଲେ । ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସର ସ୍ମୃତିଚାରଣ ଅବସରରେ ଏହା କହିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ପ୍ରଥମ ଓଡ଼ିଆ ମୁଦ୍ରିତ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ସମ୍ପାଦକ ଗୌରୀଶଙ୍କର ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ, ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି, କନିକା ରାଜା ଆଦିଙ୍କ ମହାର୍ଘ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥଲେ । କହିଥିଲେ ଆମ ପାଖରେ ଅଛି ଶାସ୍ତ୍ରୀୟ ଭାଷା, ଶାସ୍ତ୍ରୀୟ ନୃତ୍ୟ, ୟୁନେସ୍କୋ ୱାର୍ଲଡ୍ ହେରିଟେଜ୍ ସାଇଟ୍‌, ବିସ୍ତୀର୍ଣ୍ଣ ସାଗରତଟ ପୁଣି ଅସରନ୍ତି ପ୍ରାକୃତିକ ସମ୍ପଦ । ଏହାର ଯଥାର୍ଥ ବିନିଯୋଗ କରି ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବା ପାଇଁ ଆମକୁ ସଙ୍କଳ୍ପବଦ୍ଧ ହେବାକୁ ପଡ଼ିବ । କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନିକ ସ୍ତରରେ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ସେ ଏହି ଅବସରରେ କହିଥିଲେ । ଏହି ସମାରୋହରେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ପୀତାମ୍ବର ସାମଲ ଏବଂ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତିକୁ ରୋମନ୍ଥନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି ଓଡ଼ିଶା ଦିବସ ପାଳନ ସମାରୋହ ଓ ଜିଲ୍ଲା ପ୍ରତିଷ୍ଠା ଦିବସର ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶାର ବରପୁତ୍ରଙ୍କ ଫଟୋଚିତ୍ରରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିପ୍ରମୂଖ ମାଲ୍ୟାର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ।

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରାତଃ ୪ଟା ୩୦ ମିନିଟ୍ ସମୟରେ ଡାକବାଜି ଯନ୍ତ୍ର ଯୋଗେ ଉତ୍କଳ ପ୍ରୀତିମୂଳକ ସଙ୍ଗୀତ ଗାନ କରାଯାଇଥିଲା । ସକାଳ ୭ଘଟିକା ଠାରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଆଇପିଆର୍‌ଓ, ଏସ୍‌ଡିଆଇପିଆର୍‌ଓ ପ୍ରମୂଖ ପୁଷ୍ପହାର ଅର୍ପଣ କରିଥିଲେ । ନିର୍ବାଚନ ଆଦର୍ଶ ଆଚରଣ ବିଧିର ନୀତିନିୟମ ମଧ୍ୟରେ ପାଳନ କରାଯାଇଥିବା ଏହି ସମାରୋହରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ଓ ଉପସଭାପତି ବିମ୍ବାଧର ମୁଦୁଲି ଓ ଫକୀର ଚରଣ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଟିଆର୍‌ଓ ଯୀଶୁକୃଷ୍ଣ ଦାସ, ଶୁଭଶ୍ରୀ ଜେନା, ଜିଲ୍ଲା ସହକାରୀ ମତ୍ସ ଅଧିକାରୀ କୋକିଳା ମଞ୍ଜରୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏସ୍‌ଆର୍‌ଏ ପ୍ରଦୀପ କୁମାର ଦାଶ, ନିକ୍ଷେପକ ମଧୁସୂଦନ ମଲ୍ଲିକ, ଜେଆର୍‌ଏ ଜୟଶ୍ରୀ ସାହୁ, ତପନ କୁମାର ପରିଡ଼ା, ରଞ୍ଜନ କୁମାର ବେହେରା, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୂଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବହଳଦାରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୩୦୦ ଜଣ ଆଶାୟୀ

masiha

UAIL, DHH Jointly Organise Blood Donation Camp  , 229 Units Collected

Sunil Chandra Nayak

ରାୟଗଡ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!