ଭୁଲିନାହିଁ
ଜ୍ୟୋତ୍ସ୍ନା ରାଣୀ ଦେବୀ
ସେଇ ଜହ୍ନ ସେଇ ତାରା
ଶୀତ ସକାଳର ଖରା
ସେଇ ବର୍ଷା ସେଇ ରାତି
ମାଆର ଉଷୁମ ଛାତି
ଭୁଲିନାହିଁ କେବେ ଭୁଲି ପାରିବିନି
ମୋ ଗାଁ ଜନମ ମାଟି ।
ସେଇ ବିଲ ସେଇ ତୋଟା
ସେଇ ନଈ ସେଇ ପଠା
ପାଣି କାଦୁଅର ଖେଳ
ସାଙ୍ଗସାଥି ପିଲାମେଳ
ଭୁଲିନାହିଁ କେବେ ଭୁଲି ପାରିବିନି
ହଜି ଯାଇଥିବା ବେଳ ।
ସେଇ ସ୍ନେହ ସେଇ ପ୍ରୀତି
ବାପର ଆକଟବତୀ
ସେଇ ଦିନ ସେଇ ରାତି
ଭାଇଭଗ୍ନୀ ମିଠା ସ୍ମୃତି
ଭୁଲିନାହିଁ କେବେ ଭୁଲି ପାରିବିନି
ଯାଇଛି ଆଜି ଯା’ ବିତି ।
ସେଇ ଯେ ପୋଖରୀ ତୁଠ
ଗାଁ ଦେଉଳର ବାଟ
ସେଇ ଓଷା ସେଇ ବ୍ରତ
ମୋ ଗାଁ ମାଟିର କ୍ଷେତ
ଭୁଲିନାହିଁ କେବେ ଭୁଲି ପାରିବିନି
ମୋ ଗାଁ ପୁନେଇ ଯାତ ।
ସେଇ ମିଠାମିଠା ସ୍ମୃତି
ଖୋଜୁଛି ଆଜି ମୁଁ ସାଥି
ସେଇ ହଜିଗଲା ଦିନ
ଛାଡିଛି ଆଜି ଯା’ ଚିହ୍ନ
ଭୁଲିନାହିଁ କେବେ ଭୁଲି ପାରବିନି
ରହିଥିବି ଯେତେ ଦିନ ।
ସେଇ ସେ ଅନ୍ଧାର ରାତି
ସେଇ ଯେ ଡିବିରି ବତୀ
ସେଇ ଖରା ସେଇ ଛାଇ
ସେଇ ପୂଜାଥାଳି ଖଇ
ଭୁଲିନାହିଁ କେବେ ଭୁଲି ପାରିବିନି
ଜଳିବା ଆଗରୁ ଜୁଇ ।
ବ୍ରହ୍ମପୁର, ଗଂଜାମ