ପଳାଶ ଫୁଲ
ସରୋଜ କୁମାର ସାହୁ
କେତେ ଯତନରେ ଗଢିଛି କିଏଲୋ
ଏତେ ରଙ୍ଗ ଦେହେ ଭରି
ଯେତେଦୂରେ ତୋର ପଡିଲେ ନଜର
କ୍ଷଣିକରେ କରୁ ଚୋରୀ ।
ମାଖିଛି ସେ ପୁଣି ତୋର ମନ ଜାଣି
କଅଁଳ ଦେହକୁ ନାଲି
ଅତି ସରାଗରେ ଫୁଟି ଅଛୁ ତୁହି
ହସ ଭରି ଖିଲି ଖିଲି ।
ବରଷକେ ପୁଣି ଆସୁ ଏ ଧରାରେ
ପେନ୍ଥା ପେନ୍ଥା ତୋର ଫୁଲ
ନାହିଁ ତୋର ବାସ କରିଛୁ କି ଦୋଷ
ଜନ ମାନସରେ ମୂଲ ।
ରୂପରେ ତୋହର କିଏ ହେବ ସରି
ସବୁଠୁ ଅଭିନ୍ନ ତୁହି
ଲାଗେନା କାହାର ପୂଜା ପ୍ରାର୍ଥନାରେ
ଯେତେସଜ ଥିଲେ ହୋଇ ।
ବହଳ ରଙ୍ଗରେ ସଜେଇ ହୋଇକି
ଧରି ତୁ ଫଗୁଣ ଆସୁ
ଗୋଟେ ଦିନ ପାଇଁ ତୋହରି ଆଦର
ଗାଁ ଦାଣ୍ତ ପରେ ଦିଶୁ ।
ଭୂମିପରେ ଝଡି ଦେଉ ତୁ ଅଜାଡି
ମନୋରମ ଶୋଭାରାଜି
ରୂପ ଗୁଣ ତୋର ଜିଣିବ ହୃଦୟ
ପାରୁ ତୁହି ସବୁ ବୁଝି ।
ସରୋଜ କୁମାର ସାହୁ
ଆଠଗଡ଼ .କଟକ