ନୀରବତା
ଭାବ ଶବ୍ଦ ମିଶି ଯୁଗଯୁକ୍ତ ହେଲେ
ପ୍ରଭୁ ପ୍ରେମେ ଶ୍ରଦ୍ଧା ଖୁସି
ସକଳ ଘଟରେ ଆତ୍ମାରାମ ରୂପେ
ହୃଦୟେ ନୀରବେ ବସି ।୧
ମାୟା ନଗରୀର ଉଆସରେ ବାସ
ପଥ ଯାଇଅଛି ଭୁଲି
ବାରମ୍ବାର ପୀଡା ନିତି ପ୍ରତାରିତ
ମିଛ ଖେଳେ ଲୁଚକାଳି । ୨
ନୀରବତା ପାଶେ ଯନ୍ତ୍ରଣାର କୋହ
ବନ୍ଧୁ ଭାବେ ଦିଏ କହି
ଚେତନାର ସ୍ୱର ଆଶ୍ୱାସନା ଦିଏ
ମୋହ କାରାଗାରେ ତୁହି। ୩
ଏକାନ୍ତର ସାଙ୍ଗ ନୀରବ ପଣଟି
ଅସ୍ଥିର ହୁଅଇ ଭାରି
ସଂସାର ସାଗର ବିଷମ ଅଟଇ
ପ୍ରଭୁ ନାମେ କୂଳ ପାରି ।୪
ଭଗ୍ନ ମନ୍ଦିରେ ଯେବେ ମଗ୍ନେ ବସଇ
ଜୀବନ ତତ୍ତ୍ୱଟି ପାଇ
ନୀରବତା ଦେଇ ମହାଶୂନ୍ୟ ପଥ
ଅତିକ୍ରମ କରୁଥାଇ ।୫
ମହା ଆନନ୍ଦର ସ୍ୱାଦକୁ ଚାଖଇ
ଅଧିର ଅଗଣା ସେତ
ନୀରବେ ଲୋତକ ଝରି ଯାଉ ଥାଏ
ଶୀତଳ ଶ୍ରାବଣୀ ସ୍ରୋତ । ୬
ନୀରବ କାନନେ ସାଧୁ ସନ୍ଥ ଋଷି
ଯୁଗ ଯୁଗ ଧ୍ୟାନସ୍ଥିତ
ପରମାନନ୍ଦ ପ୍ରାପ୍ତି ଏକାନ୍ତ କାମ୍ୟ
ବ୍ରହ୍ମଚାରୀ ଜୀବନ’ତ । ୭
ସ୍ନିଗ୍ଧା ସାମନ୍ତରାୟ
,ଚୂନଭାଟି
,ଗୋପାଳ ଗାଁ,
ବାଲେଶ୍ବର ।
ଭକ୍ତିଭଦ୍ରାୟ