ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ ସରପଞ୍ଚ
କୋକସରା,୧୦/୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ପଞ୍ଚାୟତ ହେଉଛି ବ୍ଲକର ସଦର ପଞ୍ଚାୟତ । ୧୧ ଗୋଟି ୱାର୍ଡ଼କୁ ନେଇ ପଞ୍ଚାୟତର ପରିସୀମା ରହିଥିବା ବେଳେ କୋକସରା ସହର ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି। କୋକସରା ଗ୍ରାମର କିଛି ଉଠା ଦୋକାନୀ, ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଡ୍ରେନକୁ ଜବରଦଖଲ କରି ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରିଛନ୍ତି। କିଛି ସ୍ୱାର୍ଥପର ବ୍ୟକ୍ତି ଡ୍ରେନ ଉପରେ ଜବରଦଖଲ କରି ଭଡାରେ ଦୋକାନ ଦେଇ ଥିବା ମଧ୍ୟ ଅଭିଯୋଗ ହୋଇଛି। ଡ୍ରେନରେ ଦୋକାନ ବଜାରର ବର୍ଜ୍ୟବସ୍ତୁ ପଡି ପୋତିହେବା କାରଣରୁ ଅନେକ ସ୍ଥାନରେ ଡ୍ରେନ ଦେଇ ପାଣି ନିଷ୍କାସନ ହୋଇ ପାରୁନାହିଁ। ଅଳ୍ପ ବର୍ଷା ହେଲେ ଡ୍ରେନର ମଇଳା ଆବର୍ଜନା ପାଣି ରାସ୍ତା ଉପରେ ବୋହୁଛି ଓ ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହେଉଛି। ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ଦୋକାନୀଙ୍କୁ ଅନେକ ସମୟରେ ଡ୍ରେନ ଉପରେ ଜବରଦଖଲ ଖାଲି କରିବାକୁ କହିବା ପରେ ମଧ୍ୟ ଦୋକାନୀ ମାନେ ପଞ୍ଚାୟତର ନିର୍ଦ୍ଦେଶକୁ ଅବମାନନା କରୁଥିବା ବେଳେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଶୁକ୍ରବାର କୋକସରା ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ଭେଟି ଲିଖିତ ଭାବେ ଜବରଦଖଲ ଉଚ୍ଛେଦ କରିବାକୁ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଜବର ଦଖଲ କାରୀଙ୍କୁ ନୋଟିସ କରାଯିବ ଓ ପରବର୍ତ୍ତୀ ସମୟରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଳି କହିଛନ୍ତି।
ମସିହା ନିୟୁଜ୍ ସର୍ଭିସ୍


