ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା -: ତତ୍ତ୍ଵରାଶି

ତତ୍ତ୍ଵରାଶି

ଜ୍ୟୋତ୍ସ୍ନା ରାଣୀ ଦେବୀ

ଯତ୍ନ ନ କରି ରତ୍ନ ପ୍ରାପତେ ମିଳଇକି କେବେ ତୋଷ

ଅନ୍ତରକୁ ଥରେ ପଚାରି ଦେଖ ତ ରହିବନି ଅବସୋସ

ଚାଟୁକାର କଥା ଦିଅଇକି କେବେ ଆତ୍ମାକୁ ପରମ ସୁଖ

ହୃଦୟ ଅଳିନ୍ଦ ଭେଦ କରି ଥରେ ପରଖି ନିରେଖି ଦେଖ ।

 

ମର୍କଟ କି କେବେ ବୁଝିପାରିବ ଯେ ଶାଳଗ୍ରମ ତତ୍ତ୍ୱ ରାଶି

ଉପରେ ଉପରେ ଭାସିଲେ କି ହେବ ନିଜକୁ ନିଅ ପରଖି

ମନ୍ତ୍ରର ମହତ୍ତ୍ଵ ନ ଜାଣି ଉଚ୍ଚରି ଭ୍ରମରେ ଭ୍ରମଇ ଯେବେ

ଧୂମ୍ରାଭ ଆକାଶେ ମରୀଚିକା ପଛେ ମିଛରେ ଧାବନ୍ତି ତେବେ ।

 

ଶୂନ୍ୟଥାଳ ନେଇ ସେନେହ ନଈର ଧାରାରୁ ବିନ୍ଦୁଏ ଆଣି

ଅମୃତ ନିର୍ଝର ଯେ ପାରେ ବୁହାଇ କୋଟି ହୃଦମନ ଜିଣି 

ସିନ୍ଧୁର ସମାନ ସମଦର୍ଶୀ ହୋଇ ଭିଜାଏ ଯେ ବେଳାଭୂଇଁ

ସେ ଏକା ଅଟଇ ମହତ ସଂସାରେ ଆନ କି ପାରିବ ହୋଇ ।

 

ପ୍ରସ୍ତର ତନୁରେ ଫୁଟାଇ କମଳ କୋମଳଛୁଆଁର ବର୍ଷା

ମରୁ ପ୍ରାନ୍ତରରେ ଶୁଷ୍କ ତନୁତୀରେ କରି କରେନାହିଁ ଈର୍ଷା

ଅଳୀକ ଭଙ୍ଗୁର ଅଟେ ଏ ଦୁନିଆ ବୃଥା ମାନ ଅଭିମାନ

ସଫରୀ ପରାଏ କି ଲାଭ ମହୀରେ କରୁଥିଲେ ବିଚରଣ ?

 

ଅସାର ସଂସାର ଜ୍ଞାନ ଗନ୍ତାଘର ଜୀବନବ୍ୟାପି ସାଧନା

କରି ନ ମିଳଇ ଚାବିପେନ୍ଥା କିଛି ଉଦ୍ଭଟ ଖାଲି କଳ୍ପନା

ଆସ ଆଜି ସର୍ବେ ବିତରିବା ଭବେ ଆପଣା ଆପଣା ବାସ

ମଧୁର କଷାୟ ତିକ୍ତ ରସାୟନ ମିଶ୍ରିତେ ମିଳିବ ରସ ।

 ବ୍ରହ୍ମପୁର, ଗଂଜାମ

Related posts

ଆସ ଆମେ ଇସ୍କୁଲ ଜିମା, ଉପାନ୍ତ ଅଞ୍ଚଳ ରେ ବୁଲି ଶିକ୍ଷା ଗ୍ରହଣ ପାଇଁ ସଚେତନ କଲେ ଶିକ୍ଷା ଅଧିକାରୀ

Sunil Chandra Nayak

ଜିଲ୍ଲା ସଂସ୍କୃତି ପରିଷଦରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସାମିଲ

Sunil Chandra Nayak

ମୟୂରଭଂଜ – ଜାମଦାର ଶତାଧିକ ଶ୍ରମିକଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ବିଭିନ୍ନ ସରବତ ବଣ୍ଟନ

Leave a Comment

error: Content is protected !!