ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବି ନେଇ ଓଡ଼ିଶା ଆଦିବାସୀ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲା

ବିଭିନ୍ନ ଦାବି ନେଇ ଓଡ଼ିଶା ଆଦିବାସୀ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲା

ରାୟଗଡା, ତା ୨୬/୧୨/୨୦୨୪: ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଳତା ହୁଇକାଙ୍କ ନେତୃତ୍ତ୍ଵରେ ଏକ ପ୍ରତିନିଧି ଦଳ ପେସା ନିୟମାବଳୀ ପ୍ରଣୟନ, ବନ୍ଦ ଥିବା ବିଦ୍ୟାଳୟ ପୁନଃ ପ୍ରଚଳନ, ଜଙ୍ଗଲ ଜମି ଆବଣ୍ଟନ, ବିସ୍ଥାପିତଙ୍କୁ ଥଇଥାନ, ଆଦିବାସୀ ଭାଷାରେ ଶିଶୁ ଶିକ୍ଷା, ଜିଲ୍ଲା ସ୍ତରରେ ଆଦିବାସୀ ଭାଷା ଅନୁଷ୍ଠାନ ପ୍ରତିଷ୍ଠା, ଇତ୍ୟାଦି ଦାବିଗୁଡିକ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଯଦିଓ ୧୯୯୬ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପେସା ଆଇନ୍ ପ୍ରଣୀତ ହୋଇଛି, ଓଡ଼ିଶା ଆଦିବାସୀ ମଞ୍ଚର ବାରମ୍ବାର ଦାବି ସତ୍ତ୍ୱେ ପ୍ରାୟ ୩୦ ବର୍ଷ ହେଲା ଓଡ଼ିଶା ସରକାର ଏଦିଗରେ କୌଣସି ନିୟମ ପ୍ରଣୟନ କରିନାହାଁନ୍ତି । ଅଥଚ ଅନ୍ୟ କେତେକ ରାଜ୍ୟରେ ଏହି ନିୟମ ପ୍ରଣୟନ କରାଯାଇଛି । ଏଣୁ ଆଦିବାସୀ ଅଞ୍ଚଳରେ ଗ୍ରାମ ସଭା ଗୁଡ଼ିକୁ ସଶକ୍ତ କରିବା ପାଇଁ ତୁରନ୍ତ ଏକ ଲୋକଭିତ୍ତିକ ନିୟମାବଳୀ ପ୍ରଣୟନ କରିବା ପାଇଁ ଓଡ଼ିଶା ଆଦିବାସୀ ମଞ୍ଚ ଦାବି କରିଛି । ଗତ ସରକାର, ବିଶେଷ ରୂପେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ, କିଛି ଆଳ ଦେଖାଇ ଅନେକ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦେଇ ହଜାର ହଜାର ଆଦିବାସୀ ପିଲାଙ୍କୁ ମୌଳିକ ଶିକ୍ଷାରୁ ବଞ୍ଚିତ କରିଛନ୍ତି । ତେଣୁ ସେଇ ସମସ୍ତ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ପୁନଃ ଚାଲୁ କରିବାକୁ ମଞ୍ଚ ଦାବି ରଖିଛି ।

ଜଙ୍ଗଲ ଅଧିକାର ନିୟମ ଭିତ୍ତିରେ ଆବଣ୍ଟନ ହୋଇଥିବା ଜମିର ବ୍ୟକ୍ତିଗତ ମାଲିକାନା ସତ୍ତ୍ୱରେ ଅନେକ ଅନିୟମିତତା ଅଭିଯୋଗ ହେଉଛି । ବାରମ୍ବାର ଦାବି ସତ୍ତ୍ୱେ ଅନେକ ଆଦିବାସୀ ପରିବାର ଏପର୍ଯ୍ୟନ୍ତ ଜଙ୍ଗଲ ଜମି ପଟ୍ଟା ପାଇବାରେ ବିଫଳ ହୋଇଛନ୍ତି । ଅଧିକାଂଶ ଅଞ୍ଚଳରେ ଗୋଷ୍ଠିଗତ ଜଙ୍ଗଲ ପଟ୍ଟା ଦିଆଯାଇନାହିଁ । ଏସବୁ ସମସ୍ୟାର ଆଶୁ ସମାଧାନ ପାଇଁ ମଞ୍ଚ ଦାବି ଜଣାଇଛି । ଖଣି, ନଦୀ ବନ୍ଧ ଓ ଅନ୍ୟାନ୍ୟ ବୃହତ୍ ପ୍ରକଳ୍ପଗୁଡ଼ିକରେ ବିସ୍ଥାପିତ ଆଦିବାସୀ ପରିବାର ଗୁଡ଼ିକ ଆଜିବି ଅତି ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ସରକାରଙ୍କ ନୀତି ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ମଞ୍ଚ ଦାବି କରିଛି ।

ଆଦିବାସୀ ଅଞ୍ଚଳରେ ମାତୃଭାଷା ଭିତ୍ତିକ ପ୍ରାକ୍ ପ୍ରାଥମିକ ଶିକ୍ଷା(ଅଙ୍ଗନବାଡ଼ି) ପ୍ରଚଳନ କରିବା ପାଇଁ ମଞ୍ଚର ନିରନ୍ତର ଆନ୍ଦୋଳନ ଫଳରେ କେନ୍ଦ୍ର ସରକାର ୨୦୧୩ ମସିହାରେ ଏକ ନୀତି ପ୍ରଣୟନ କଲେ । କିନ୍ତୁ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଲା ନାହିଁ । ଗତ ରାଜ୍ୟ ସରକାର ମଧ୍ୟ ଦଶ ଗୋଟି ଆଦିବାସୀ ଭାଷାରେ ପୁସ୍ତକ ଛାପି ଓ ସେ ବିଷୟରେ ସମ୍ୟକ୍ ତାଲିମ୍ ପ୍ରଦାନ ପରେ ଚୁପ୍ ହୋଇଗଲେ । ତୃଟିପୂର୍ଣ୍ଣ ସେହି ପୁସ୍ତକ ଗୁଡ଼ିକ ଗୋଦାମରେ ଖତ ଖାଉଛି । ଆଦିବାସୀ ମଞ୍ଚ ତରଫରୁ ଦାବି କରାଯାଇଛି ଯେ ଉକ୍ତ ନୀତିକୁ ପୁନଃ ସମୀକ୍ଷା କରି ତୃଣମୂଳ ସ୍ତରରେ ମୋହନ ସରକାର କାର୍ଯ୍ୟକାରୀ କରନ୍ତୁ । ସମସ୍ତ ଆଦିବାସୀ ଅଞ୍ଚଳରେ ମାତୃଭାଷା ଭିତ୍ତିକ ବହୁଭାଷୀ ପ୍ରାକ୍ ପ୍ରାଥମିକ ଶିକ୍ଷା ପ୍ରଚଳନ କରାଯାଉ ବୋଲି ଦାବି ରଖିଛି ମଞ୍ଚ ।

ଓଡିଶାର ୬୨ ପ୍ରକାର ଆଦିବାସୀ ମଧ୍ୟରୁ ଏବେ ପ୍ରାୟ ୩୦ ଗୋଟି ଭାଷା ଯେନତେନ ପ୍ରକାରେ ବଞ୍ଚି ରହିଛି । ଅନ୍ୟ ସବୁ ଆଦିବାସୀ ଭାଷା ମୃତ କିମ୍ବା ମୃତବତ । ଓଡ଼ିଆ ଅସ୍ମିତା ଭଳି ନିଜର ମାତୃଭାଷା ମଧ୍ୟ ଆଦିବାସୀ ଅସ୍ମିତାର ପରିଚାୟକ । ଉକ୍ତ ପରିପ୍ରେକ୍ଷୀରେ ପ୍ରତି ଆଦିବାସୀ ଭାଷାରେ “ଭାଷା ପ୍ରତିଷ୍ଠାନ ବା ଲାଙ୍ଗୁଏଜ୍ ଏକାଡେମୀ” ପ୍ରତିଷ୍ଠା କରିବାକୁ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛି ।

 ମଞ୍ଚ କହିଛି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓ ନିଜେ ଜଣେ ଆଦିବାସୀ ହିସାବରେ ଓଡ଼ିଶାର ଅଗଣିତ ଆଦିବାସୀଙ୍କ ଉପରୋକ୍ତ ସମସ୍ୟାଗୁଡ଼ିକ ପ୍ରତି ସେ ସମ୍ବେଦନଶୀଳ କାରଣ ଏସବୁକୁ ସେ ଅତି ନିକଟରୁ ଦେଖିଛନ୍ତି ଓ ହୃଦୟଙ୍ଗମ କରିଛନ୍ତି । ଏକ ସମୟସୀମା ମଧ୍ୟରେ ଉପରୋକ୍ତ ନ୍ୟାୟୋଚିତ ଦାବି ଗୁଡ଼ିକ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

 ଏହି ପ୍ରତିନିଧି ଦଳରେ ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍‌ ର ସଭାପତି ଡ଼. ଜାକୋବ୍‌‍ ଥୁଣ୍ଡିଲ, ଇଡ୍‌‍କୋର କେନ୍ଦ୍ରୀୟ ନିର୍ଦ୍ଦେଶକ ଗୁରୁ ପ୍ରସାଦ, ଓଡ଼ିଶା ଆଦିବାସୀ ମଂଚର କୋରାପୁଟ ଜିଲ୍ଲାରୁ ରାଜ୍ୟ ଉପଦେଷ୍ଟା ବାଦଲ କୁମାର ତା, କନ୍ଧମାଳରୁ ରାଜ୍ୟ ସଂଯୋଜକ ସୁଧୀର ଦିଗାଲ ଓ ସନ୍ତୋଷ ସାହୁ, ମୟୂରଭଞ୍ଜ ଆବାହକ ବସନ୍ତ ସିଂ, ଗଜପତିରୁ ରତନ ମିଶ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି କୁ ଷ୍ଟଡି ଟୁର୍ ରେ ପହଞ୍ଚିଲେ ପଶ୍ଚିମବଙ୍ଗ ର ତିନଟି କଲେଜର ଛାତ୍ରଛାତ୍ରୀ

masiha

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

masiha

ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କାୟାକଳ୍ପ ଟିମ

masiha

Leave a Comment

error: Content is protected !!