ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

ଭାବ କଳ୍ପରେ କବି

    ବେଣୁଧର ସୂତାର

 

କେତେ ଭାବ କେତେ     

                     ଭାବନା ଲହରୀ

ଆଶାର ସାୟରୀ ରାଗ ଆଶାବରୀ

             ଜାଗିଉଠେ ମନତଳେ

ବୁକୁରେ ଖେଳଇ ନବ ଉନ୍ମାଦନା

ନବ ସୃଜନର ଲଳିତ କଳ୍ପନା

            ଭାବନାର ଅନ୍ତରାଳେ ।।

ବରଷା ବସନ୍ତ ଯା ପାଇଁ ସମାନ

ହୃଦ ଆବେଗର ଅନୁଭବ ମାନ

           ଅସରନ୍ତି ଆଶା ଜାଗେ

ଶବ୍ଦାୟିତ ହୁଏ କଳ୍ପନାର ଧାରା

ଭାବ ପ୍ରସୂନର ମହକ ପସରା

         ଭାଷା ପ୍ରୀତି ଅନୁରାଗେ ।।

ପ୍ରଲୁବ୍ଧ ମନର ଭାବକଳ୍ପ ଝର

ନିଃଶବ୍ଦରେ ତୋଳେ       

                      ଶବ୍ଦର ଝଙ୍କାର

          ସୁମୋହନ ସୁର ତାଳେ

ହୃଦୟ ବୀଣାର ମୂର୍ଚ୍ଛନା ମଧୁର

ଶବ୍ଦ ସୁର ଛନ୍ଦ ରସ ସମାହାର

             ରମ୍ୟ ରଚନା ଛଳେ ।।

ଭାବ ପୀୟୂଷର ପବିତ୍ର ପ୍ଳାବନ

ସୃଷ୍ଟି ସର୍ଜନା ର ଶ୍ରେଷ୍ଠ ଉପାଦାନ

          ସାରସ୍ବତ ପୁଣ୍ୟ ସ୍ରୋତେ

ଲେଖନୀରେ ଭାଷା 

                    କମଳିନୀ ଫୁଟେ

ମନ୍ଦାକିନୀ ଧାରା ମରୁତଟେ ଛୁଟେ

          ଚାନ୍ଦ ଉଏଁ ଅମା ରାତେ ।।

କଳ୍ପନା ନୟନ ପାରେ ଅନୁଭବି

ମାଟି ମଟାଳର ନବ ରୂପ ଛବି

             ପ୍ରୀତିର ଗୀତିକା ଗାଏ

ପ୍ରେମ ପ୍ରଣୟର ପୂରବୀ ଝଙ୍କାରେ

ବେଦନାର ସୁର ବିରହୀ ଅନ୍ତରେ

          ଲେଖନୀରେ ରୂପପାଏ ।।

କଙ୍କାଳ ବୁକୁରେ ତୁମେ ଭର ଭାଷା

ତୃଷାର୍ତ୍ତ ପ୍ରାଣର ହରିନିଅ ତୃଷା

                 ଭରି ନବ ଉନ୍ମାଦନା

ଭକ୍ତି ଆବେଗର ଭାବାଶ୍ରିତ ସ୍ବର

ହୃଦୟ ଅର୍ଘ୍ୟର ଗୀତି ସୁଧା ଧାର

            ଭକ୍ତିମୟ ନିରାଜନା ।।

ସାରସ୍ବତ ବନେ ପ୍ରଜ୍ଞାର ଦୀପାଳି

ତୁମ ଲେଖନୀର ପୂତ ଅର୍ଘ୍ୟାଞ୍ଜଳି

            ହରେ ଜନମନ କ୍ଷୁଧା 

ମର୍ମଭେଦି ତୁମ ଶବ୍ଦର ଚାତୁରୀ

ଦିବ୍ୟ ସୃଜନର ଅମୃତ ଲହରୀ

            ସାରସ୍ୱତ ସ୍ବପ୍ନ ସୁଧା ।।

କେଶଦୁରାପାଳ କେନ୍ଦୁଝର

 

Related posts

ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ , ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Sunil Chandra Nayak

ସରପଞ୍ଚ ଓ ପିଇଓଙ୍କ ବିରୋଧରେ ଅର୍ଥ ହଡପ୍ କରିଥିବା ନେଇ ଭାରପ୍ରାପ୍ତ ବିଡିଓ ଙ୍କ ପାଖରେ ଅଭିଯୋଗ

Sunil Chandra Nayak

ଧର୍ମଗଡ଼ ପୁରାତନ ବସ ଷ୍ଟାଣ୍ଡର ଅତ୍ୟାଧୁନିକରଣ ପ୍ରକ୍ରିୟା

Leave a Comment

error: Content is protected !!