ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ ନାଁରେ ଗଦାଗଦା ଅଭିଯୋଗ, ତଦନ୍ତ ଶୂନ

ବନବିଭାଗରେ ମହାଦୁର୍ନୀତି-୦୧

ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ ନାଁରେ ଗଦାଗଦା ଅଭିଯୋଗ, ତଦନ୍ତ ଶୂନ

ରାସ୍ତାକଡ଼ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ୨୦ ଲକ୍ଷ, ଗଛ କି ପତ୍ର ଦେଖାନାହିଁ

ଲାଞ୍ଜିଗଡ଼,୦୩/୦୩(ମନିସ)-କୋଟି କୋଟି ଟଙ୍କାର ଦୁର୍ନୀତି ଓ ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ବନାଞ୍ଚଳରେ ଇଡି ତଦନ୍ତ କରିବା ପରେ ଏବେ ଜିଲ୍ଲାର ଅନ୍ୟ ବନାଞ୍ଚଳରେ ହୋଇଥିବା ସେଇ ସମାନ ଧରଣର ଦୁର୍ନୀତିକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏପରିକି ସେଇ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ୱନାଥପୁର ବନାଞ୍ଚଳର ବିଜେପୁର ଓ ସିକେରକୁପା ସେକ୍ସନର ବିଭିନ୍ନ ବିଟରେ ମଧ୍ୟ ବନବିଭାଗର ବିଭିନ୍ନ ଅନୁଦାନ ହରିଲୁଟ ହୋଇଥିବା ଅଭିଯୋଗ ହେଉଛି । ବନବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଉଭୟ ସେକ୍ସନର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ସିଧାସଳଖ ଭାବେ ଏହି ମହାଦୁର୍ନୀତିରେ ସାମିଲ ଥିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ଏହି ମହାଦୁର୍ନୀତିକୁ ଲକ୍ଷ୍ୟ କରି ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ଓ ବିଜେପୁର ସେକ୍ସନରେ ମଧ୍ୟ ଭିଜିଲାନ୍ସ କିମ୍ବା ଇଡି ତଦନ୍ତ ପାଇଁ ଦାବି ହେଉଛି । ଉଭୟ ସେକ୍ସନରେ ବନବିଭାଗର ବିଭିନ୍ନ ଅନୁଦାନକୁ ହେରଫେର କରାଯାଇଥିବାବେଳେ ବୃକ୍ଷରୋପଣ, ବନୀକରଣ ଆଦି ଯୋଜନା ସବୁ ଫସର ଫାଟିଛି । ଏପରି ଭାବେ ସିକେରକୁପା ସେକ୍ସନ ଅନ୍ତର୍ଗତ କେବଳ ପାଣିମୁଣ୍ଡା ବିଟରେ ଦୁର୍ନୀତିର ମାତ୍ରା ସୀମା ଲଙ୍ଘିଛି । ଏହି ବିଟର ଭାଲୁଚଞ୍ଚରାଠାରୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ମରୁଡି ରୋକିବା ପାଇଁ ୧୦ କିମି ରାସ୍ତାକଡ଼ ବୃକ୍ଷରୋପଣ ବାବଦକୁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩ ଲକ୍ଷ ୬୧ ହଜାର ୮୪୮ ଟଙ୍କା ମଞ୍ଜୁର ହୋଇଥିଲା । ସେଥିରେ ୨ ଲକ୍ଷ ୭୨ ହଜାର ୫୧୮ ଟଙ୍କା ଖର୍ଚ୍ଚ କରାଯାଇ ୮୩୦ ଗୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ଦର୍ଶାଯାଇଛି । ଅପରପକ୍ଷରେ ସର୍ବାଧିକ ୯ ଲକ୍ଷ ୫୭ ହଜାର ୮୫୦ ଟଙ୍କା ମେଟେରିଆଲ ବାବଦକୁ ଦର୍ଶାଯାଇଛି । ଦଶ କିଲୋମିଟର ରାସ୍ତାକଡ ବୃକ୍ଷରୋପଣର କିଛିଦିନ ମଧ୍ୟରେ ହିଁ ଉପଯୁକ୍ତ ଯତ୍ନ ଅଭାବରୁ ଚାରାଗଛ ସବୁ ମରିଯାଇଥିଲା। କିନ୍ତୁ ଏହାସତ୍ତ୍ୱେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଗଛଗୁଡିକର ରକ୍ଷଣାବେକ୍ଷଣ ପାଇଁ ୬ ଲକ୍ଷ ୪୧ହଜାର ୫୭ ଟଙ୍କା ବ୍ୟୟ କରାଯାଇଛି। ଏଥିରେ ଶ୍ରମିକ ନିଯୁକ୍ତି ବାବଦକୁ ୩ ଲକ୍ଷ ୨୪ ହଜାର ୪୯୮ ଟଙ୍କା ଖର୍ଚ୍ଚ କରାଯାଇ ୯୮୮ ଗୋଟି ଶ୍ରମଦିବସ ସୃଷ୍ଟି କରାଯାଇଥିବାବେଳେ ମେଟେରିଆଲ ବାବଦକୁ ୨ ଲକ୍ଷ ୯୦ ହଜାର ୮୭୯ ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ କହୁଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ବୃକ୍ଷରୋପଣର କିଛିମାସ ପରେ ଗଛଗୁଡିକ ମରିଯାଇଥିବାବେଳେ ତାର ବର୍ଷକ ପରେ ରକ୍ଷଣାବେକ୍ଷଣ ନାଁରେ ୬ଲକ୍ଷ ୪୧ ହଜାର ୫୭ ଟଙ୍କା କେମିତି ଓ କେଉଁଠି ଖର୍ଚ୍ଚ କରାଗଲା? ଯାହା ସଂପୂର୍ଣ୍ଣ ଭାବେ ଦୁର୍ନୀତିକୁ ପ୍ରମାଣିତ କରୁଛି । ସେହିପରି ଦୁଇ ଚାରିଜଣ ଶ୍ରମିକଙ୍କୁ ଛାଡିଦେଲେ ବାକି ସବୁତକ ଅନୁଦାନ ଭୁତ ଶ୍ରମିକଙ୍କ ନାଁରେ ପକାଇ ହରିଲୁଟ କରାଯାଇଥିବା ଜଣାପଡିଛି । ଏପରିକି ବର୍ଷ ବର୍ଷ ଧରି ଦାଦନ ଖଟିବାକୁ ଯାଇଥିବା, ସ୍କୁଲ ଓ କଲେଜ ଛାତ୍ର ତଥା ବୃଦ୍ଧବୃଦ୍ଧାଙ୍କ ନାଁରେ ଶତାଧିକ ମ୍ୟୁଲ ଏକାଉଣ୍ଟ ଖୋଲାଯାଇ ଅନୁଦାନ ରାଶି ହେରଫେର କରାଯାଇଛି। ମେଟେରିଆଲ ବାବଦକୁ ଖର୍ଚ୍ଚ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହାମାତ୍ର ଗୋଟିଏ ଉଦାହରଣ ହୋଇଥିବାବେଳେ ବନବିଭାଗର ଏହି ମହାଦୁର୍ନୀତିର ପର୍ଦ୍ଦାଫାସ ଖୁବଶୀଘ୍ର ହେବ ଏବଂ ଭିଜିଲାନ୍ସ କିମ୍ବା ଇଡି ତଦନ୍ତ ଦ୍ୱାରା ଏହା ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଏହି ଅଭିଯୋଗ ସଂପର୍କରେ ସିକେରକୁପା ସେକ୍ସନ ଦାୟିତ୍ୱରେ ଥିବା ଫରେଷ୍ଟର ଭାଗିରଥୀ ନାଏକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ । 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

masiha

ଗୋଳାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ପାଳିଲେ ନୂଆଁଖାଇ ପର୍ବ

masiha

ଆଇନଜୀବୀ ସଂଘ ନିର୍ବାଚନ: ନରସିଂହ ସଭାପତି ଓ ତପନ ସମ୍ପାଦକ 

masiha

Leave a Comment

error: Content is protected !!