ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ପୁରାତନ ଆମ୍ବଗଡିଆ ଘୋଡ଼ା ମେଳଣ

ବହୁ ପୁରାତନ ଆମ୍ବଗଡିଆ ଘୋଡ଼ା ମେଳଣ

ଖଇରା,୧୭/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଆମ୍ବଗାଡ଼ିଆ ଘୋଡ଼ା ମେଳଣ ବହୁ ପୁରାତନ । ଏହି ମେଳଣ ଖଇରା ଅଞ୍ଚଳର ଜନମାନସରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଳଣ ଦେଖିବା ପାଇଁ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ଲୋକମାନଙ୍କ ଗହଳିରେ ମେଳଣ ପଡିଆର ପ୍ରଚଣ୍ଡ ଗ୍ରୀଷ୍ମର ଉଷ୍ମତା ବୃଦ୍ଧି ପାଇଥାଏ । ଏହି ପରିବେଶକୁ ପୂର୍ବାନୁମାନ କରି ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜନହିତ ଯୁବକ ସଂଘ, ବାଲେଶ୍ୱର, ଓଡ଼ିଶା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସଂଘର ପୂର୍ବତନ କୋଷାଧ୍ୟକ୍ଷ ତଥା ଔପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ କରୁଣାକର ଦଳେଇଙ୍କ ନେତୃତ୍ୱରେ ଜଳଦାନ ଶିବିରର ଆୟୋଜନ କରାଯାଇଥିଲା । ସକାଳ ୮ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ସଂଘର ସଦସ୍ୟ ସଦସ୍ୟା ମାନେ ଅକ୍ଲାନ୍ତ ପରିଶ୍ରମ କରି ୪୦୦୦ ଲିଟର ଗ୍ଲୋକୁଜ ମିଶା ଦହି ପାଣି ବଣ୍ଟନ କରିଥିଲେ । ସଂଘର ସଭାପତି ସୁରେଶ ରାଉତ, କାର୍ଯ୍ୟକ୍ରମ ଉପ ସମ୍ପାଦକ ରବୀନ୍ଦ୍ର ମହାରଣା, ଉପଦେଷ୍ଟା ସୁକାନ୍ତି ମଣି ସାହୁ, ଯଜ୍ଞାସେନି ଜେନା , କୁଞ୍ଜଲତା ମାହୁନ୍ତ, ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ ତଥା ସଦସ୍ୟ ସଂଗ୍ରାମ ବେହେରା, ଅଭିଷେକ ଗୁପ୍ତା, ପୂର୍ଣ୍ଣଚନ୍ଦ୍ର ଦାସ, ଜ୍ଞାନରଞ୍ଜନ ବେହେରା, କୃଷ୍ଣ ଚନ୍ଦ୍ର, ରଞ୍ଜିତ, ବିଭୂତି ତଥା ଚାନ୍ଦିପୁର ଶାଖା ସଦସ୍ୟା ରଶ୍ମିତା ଓ ଶିଖା ଉପସ୍ଥିତ ଥିଲେ । ସଂଘର ସମସ୍ତ ଉପଦେଷ୍ଟା, ସଦସ୍ୟ ଏବଂ ସଦସ୍ୟା ମାନେ ସାହାଯ୍ୟ କରିଥିଲେ, ସଂଘର ଏପରି କାର୍ଯ୍ୟକୁ ଆମ୍ବଗାଡ଼ିଆ ମେଳଣ କମିଟି ଦ୍ବାରା ଉଚ୍ଚ ପ୍ରଶଂସା କରାଯାଇଛି । ସଂଘର ଏତାଦୃଶ କାର୍ଯ୍ୟରେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଖୁସି ବ୍ୟକ୍ତ କରିଛନ୍ତି ।

              ଚଇତି ଘୋଡ଼ା ନାଚ ଭାରତୀୟ ଲୋକନୃତ୍ୟ । ଚଇତି ଘୋଡ଼ା ନାଚ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟ ମାନଙ୍କ ଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳ ମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତି ଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆ ହୁଏ ଓ ଘୋଡ଼ା ରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟା ଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ । ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ । ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ । କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି ।

ପୌରାଣିକ କିମ୍ବଦନ୍ତୀ କହେ- ପୌରାଣିକ ମତେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିଲା । କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିରହିଥିଲା । କଳ୍ପବଟରେ ଅନନ୍ତ ଶୟନରେ ଥିବା ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ । ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଲା । ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷକୁ ଉଦ୍ଧାର କଲେ ଓ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା । ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା । ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତା’ର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ । ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା । ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡ଼ଙ୍ଗା ଓ ଜାଲ ପୂଜା କରିଥାନ୍ତି ।

      ଅନ୍ୟ ଏକ ମତ ଅନୁସାର ରାମଚନ୍ଦ୍ର ବନବାସ କରିବାକୁ ଯିବା ସମୟରେ ତାଙ୍କୁ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ସରଯୁ ନଦୀକୁ ପାର କରାଇଥିଲା, ରାମଚନ୍ଦ୍ର ତାକୁ ଗୋଟିଏ ଘୋଡ଼ା ପୁରସ୍କାର ରୂପେ ଦେଇଥିଲେ; ସେହି ଦିନରୁ କେଉଟ ମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଅଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!